ରାୟଗଡ,୨୮/୭: ଜୁଲାଇ ୨୮ତାରିଖରୁ ଅଗଷ୍ଟ ୩ ତାରିଖ ସପ୍ତାହବ୍ୟାପି ମାଓବାଦୀମାନେ ଶହୀଦ ସପ୍ତାହ ପାଳନ ନିମନ୍ତେ ସିପିଆଇ ମାଓବାଦୀ ସଂଗଠନ ତରଫରୁ ଡାକରା ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ମାଓ ପ୍ରବଣ ରାୟଗଡ ଜିଲ୍ଳାରେ ଜିଲ୍ଳାବାସୀଙ୍କୁ ସୁରକ୍ଷା ଦେବା ନିମନ୍ତେ ଜିଲ୍ଳା ପୋଲିସ ପକ୍ଷରୁ କଡାକଡି ବ୍ୟବସ୍ଥା କରାଯାଇଛି । ସପ୍ତାହବ୍ୟାପି ମାଓବାଦୀମାନେ ଏହି ଶହୀଦ ଦିବସ ପାଳନ କରୁଥିବା ବେଳେ କୈାଣସି ହିଂସାତ୍ମକ ଆକ୍ରମଣ କରିବେ ନାହିଁ ସେଥିପ୍ରତି ବିଶେଷ ଦୃଷ୍ଟି ଦେଇ ଜିଲ୍ଳାର ସୀମାନ୍ତବର୍ତୀ ଅଂଚଳରେ କୁମ୍ଭିଂ ଅପରେସନ ଜୋରଦାର କରାଯିବା ସହ ସହ ରାୟଗଡ ଜିଲ୍ଳା ସଦର ମହକୁମାକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥରେ ନାକା ଚେକିଂ ଓ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇଛି । ସମସ୍ତ ଗାଡିଗୁଡିକକୁ ଯାଂଚ କରାଯାଉଛି । ମାଓବାଦୀମାନଙ୍କ ଶହୀଦ ସପ୍ତାହକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମହାମାରୀ କରୋନା ସଂକ୍ରମଣ ପାଇଁ ଜିଲ୍ଳା ପ୍ରଶାସନ ତରଫରୁ ପୂର୍ବରୁ ସରକାରୀ ଓ ବେସରକାରୀ ବସ ଚଳାଚଳ ଉପରେ ରୋକ ଲଗାଯାଇଛି । ପ୍ରତିବର୍ଷ ଜୁଲାଇ ୨୮ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଶହୀଦ ସପ୍ତାହ ପାଳନ ପାଇଁ ମାଓବାଦୀଙ୍କ ପକ୍ଷରୁ ଆହ୍ୱାନ କରାଯାଇଥାଏ । ଏହି ସମୟରେ ମାଓବାଦୀମାନେ ବିଶେଷ କରି ପୋଲିସ ସୁରକ୍ଷା ବଳକୁ ଟାର୍ଗେଟ କରି ବହୁ ମାଓହିଂସା ଘଟାଇବା ପାଇଁ ଯୋଜନା କରିଥାନ୍ତି । ରାୟଗଡ ଜିଲ୍ଳାର ସମସ୍ତ ଥାନାକୁ ସତର୍କ କରାଯାଇଥିବା ବେଳେ ଜିଲ୍ଳା ପୋଲିସର ଏସଓଜି, ଡିଭିଏଫଙ୍କ ସମେତ ୫ଟି ସିଆରପିଏଫ ଓ ୨ଟି ବିଏସଏଫ କମ୍ପାନୀ ଯବାନମାନଙ୍କ ମିିଳିତରେ ଜିଲ୍ଳାର ମାଓ ପ୍ରବଣ ବିଷମକଟକ, ଗୁଡାରୀ, ଚନ୍ଦ୍ରପୁର, ମୁନିଗୁଡା, କଲ୍ୟାଣସିଂହପୁର ଥାନା ସହ ଅନ୍ୟ ଅଂଚଳଗୁଡିକରେ କୁମ୍ଭିଂ ଅପରେସନକୁ ଜୋରଦାର କରାଯାଇଥିବା ନେଇ ଜିଲ୍ଳା ଏସ.ପି. ଡଃ.ଶର୍ବଣା ବିବେକ ଏମ. ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିପିରି ଜିଲ୍ଳାକୁ ସଂଯୋଗ କରୁଥିବା ଆନ୍ତଃଜିଲ୍ଳା ସୀମାନ୍ତରେ ମଧ୍ୟ ନାକା ଚେକିଂକୁ ଜୋରଦାର କରାଯାଇଥିବା ସେ ସୂଚନା ଦେଇଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in