ରାୟଗଡ,୨୮/୭: ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ ଜିଲ୍ଲାର ଓଡ଼ିଶା ପ୍ରଶାସନିକ ସେବା ସଙ୍ଘ ରାୟଗଡ ଶାଖା ତରଫରୁ କୋରୋନା ଯୋଦ୍ଧା ତଥା ଗଜପତି ଅତିରିକ୍ତ ଜିଲ୍ଲାପାଳ ସ୍ୱର୍ଗତ କରୁଣାକର ରାଇକାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଦ୍ଭାବନା ସଭା ଗୃହରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ପ୍ରଶାସନିକ ସେବା ସଙ୍ଘ ରାୟଗଡା ଶାଖାର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ, ରାୟଗଡା ଶରତ ଚନ୍ଦ୍ର ପଣ୍ଡା ପ୍ରାରମ୍ଭିକ ଭାଷଣରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା କୋରୋନା ଯୋଦ୍ଧା ସ୍ୱର୍ଗୀୟ କରୁଣାକର ରାଇକାଙ୍କ ଜୀବନାଦର୍ଶ ଓ କର୍ମମୟ ଜୀବନର ଗୁଣବଳୀ ଉପରେ ଆଲୋକପାତ କରିଥିଲେ ଓ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ଏହା ପରେ ସ୍ୱର୍ଗତ ରାଇକାଙ୍କ ତୈଳ ଫୋଟ ଚିତ୍ରରେ ମାଲ୍ୟର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲ। ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲାପାଳ ଶ୍ରୀ ବେହେରା ସ୍ୱର୍ଗତ ଅତିରିକ୍ତ ଜିଲ୍ଲାପାଳଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ନିଜର ବକ୍ତବ୍ୟରେ କହିଲେ ଯେ, ସ୍ୱର୍ଗତ ରାଇକା ଜଣେ ଅମାୟକ ଓ କର୍ତ୍ତବ୍ୟ ନିଷ୍ଠା ବ୍ୟକ୍ତି ଥିଲେ ଯିଏ କୋରୋନା ବିରୁଦ୍ଧରେ ସଂଗ୍ରାମ କରି ପ୍ରାଣତ୍ୟାଗ କରିଛନ୍ତି । ଆମେ ସମସ୍ତେ ସଂଗ୍ରାମ କରୁଛୁ ସମସ୍ତେ ସତର୍କତା ଅବଲମ୍ବନ କରି ସଂଗ୍ରାମ ଜାରି ରଖିବା ନିମନ୍ତେ ପରାମର୍ଶ ଦେଇଥିଲେ ।
ପ୍ରକାଶ ଥାଉକି ସ୍ୱର୍ଗତ ରାଇକା ରାୟଗଡ ଜିଲ୍ଲା ଓ ଜନସାଧାରଣଙ୍କ ସହିତ ଓତଃପ୍ରତ ଭାବରେ ଜଡିତ ଥିଲେ । ରାୟଗଡ ଉପଜିଲ୍ଲାପାଳଙ୍କ କାର୍ଯାଳୟରେ ରାଜସ୍ଵ ଅଧିକାରୀ ଭାବରେ ୨୦୦୪ ରୁ ୨୦୦୬ ମସିହାରେ ଓ ଗୁଣୁପୁର ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ପ୍ରକଳ୍ପ ପ୍ରଶାସକ ଭାବରେ ୨୦୧୧ ମସିହାରୁ ୨୦୧୭ ମସିହା ଯାଏଁ ନିଷ୍ଠାପର ଭାବରେ କାର୍ଯ୍ୟ ତୁଲାଇଥିଲେ ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ରାଇକାଙ୍କ ସହିତ ଯେତେଜଣ କୋରୋନା ଯୋଦ୍ଧା ଓ ଜନସାଧାରଣ କୋରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କ ସମେତ ପ୍ରକଳ୍ପ ପ୍ରଶାସକ, ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଗୁଣୁପୁର ଗୋରାଚନ୍ଦ ଗୋମଙ୍ଗ, ଉପଜିଲ୍ଲାପାଳ, ରାୟଗଡ ପ୍ରତାପଚନ୍ଦ୍ର ପ୍ରଧାନ, ବିଡ଼ିଓ ରାୟଗଡ ରାଜେନ୍ଦ୍ର ମାଝୀ, ବିଡ଼ିଓ କୋଲନରା ତାପସ କୁମାର ଭୋଇ, ତହସିଲଦାର, ରାୟଗଡ ଉମାଶଙ୍କର ବେହେରା, ଡେପୁଟି କଲେକ୍ଟର ନାରାୟଣ ମିଶ୍ର, ଓଡ଼ିଶା ପ୍ରଶାସନିକ ସେବା (ଓଏଏସ ସଂଘ) ସଙ୍ଘର ସଦସ୍ୟ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in