ବିଫଳ ସରକାରୀ ବ୍ୟବସ୍ଥା : ତୁଚ୍ଛାଟାରେ ଚାଷୀଙ୍କୁ ଟୋକନ ଧରେଇଛି ଲ୍ୟାମ୍ପସ, ସାର ମିଳିବାର ନାଁ ଗନ୍ଧ ନାହିଁ
ସାର ଯୋଗାଣରେ ଅବ୍ୟବସ୍ଥା ଅଭିଯୋଗ, ବଢୁଛି ଚାଷୀ ଅସନ୍ତୋଷ
କଳାହାଣ୍ଡି/ଲାଞ୍ଜିଗଡ,୨୧/୮: ନୂଆଖାଇ ଆସିଲା କିନ୍ତୁ ଚାଷୀଙ୍କ ପାଖରେ ପହଞ୍ଚି ପାରିଲା ନାହିଁ ସରକାରୀ ସାର୍। ଏବେ ଗୋଦାମରେ ସାର ମହଜୁଦ ଥିବା ସତ୍ତ୍ବେ ଚାଷୀଙ୍କୁ ସାର ଯୋଗାଇ ଦିଆଯାଇନାହିଁ। ୩ ଦିନ ହେଲା ସାର ପାଇବା ପାଇଁ କୃଷି ସେବା ସମବାୟ ସମିତି ଦେଇଥିବା ଟୋକନକୁ ଧରି ବସିରହିଛି ଚାଷୀ। ସରକାରୀ ବାବୁ ମାନଙ୍କ ବାହାନା ପରେ ବାହାନା ଚାଲିଛି, ଏପଟେ ଉପେକ୍ଷିତ ହେଉଛି ଚାଷୀ। ଏମିତି ଅନେକ ଅଭିଯୋଗ ଆସିଛି ଲାଞ୍ଜିଗଡ଼ ବ୍ଲକରୁ।
ବ୍ଲକର ବିଶ୍ବନାଥପୁର ଲ୍ୟାମ୍ପସ ସାର ନେବା ପାଇଁ ଚାଷୀଙ୍କୁ ଟୋକନ ଦେଇଥିଲା। କିନ୍ତୁ ସାର ଦେବା ଦାଇତ୍ୱରେ ଥିବା ଡିଓ ଲିଙ୍ଗରାଜ ସାହୁ ସାର ଗୋଦାମକୁ ବନ୍ଦ ରଖି ସମବାୟ ସମିତିକୁ ଆସୁନଥିବା ଯୋଗୁଁ ଶୁକ୍ରବାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଚାଷୀଙ୍କ କହିବା ଅନୁଯାୟୀ ସାର ଯୋଗାଇ ଦେବାପାଇଁ ସୋମବାର ଚାଷୀଙ୍କୁ ଟୋକନ ଦିଆଯାଇଥିଲା।ମଙ୍ଗଳବାର ସକାଳେ ୭ ଟାରେ ଆସି ସାର ନେବାପାଇଁ କୁହା ଯାଇଥିଲା। ବିଭିନ୍ନ ସ୍ଥାନରୁ ଶହେରୁ ଉର୍ଦ୍ଧ ଚାଷୀ ମଙ୍ଗଳବାର ଦିନଠାରୁ ନିଜ କାମ ଧନ୍ଦା ଛାଡି ତିନି ଦିନ ନିରାଶ ପରେ ବିରକ୍ତ ହୋଇ ଆଜି ପାଟିତୁଣ୍ଡ କରିଥିଲେ।
ସୂଚନା ଅନୁସାରେ ବିଶ୍ୱନାଥପୁର ଲ୍ୟାମ୍ପସର ଗତ ବର୍ଷର ଟଙ୍କା ବକେୟା ଥିବାରୁ କେସିଙ୍ଗା ବଫର ସାର ଦେବାପାଇଁ ମନା କରି ଦେଇଥିଲା । ଫଳରେ ଅଞ୍ଚଳର ୬ ଗୋଟି ପଞ୍ଚାୟତର ପ୍ରାୟ ୫ ହଜାରରୁ ଅଧିକ ଚାଷୀ ସାର ନପାଇ ଅସୁବିଧା ଭୋଗୁଛନ୍ତି। ଯାହା ଫଳରେ ବ୍ଲକରେ ଥିବା ବ୍ୟବସାୟୀ ମାନଙ୍କଠାରୁ ପକେଟ ପିଛା ୨୦୦ ଟଙ୍କା ଚଢାଦରରେ କିଣିବାକୁ ବାଧ୍ୟ ହେଉଥିବା କହିଛନ୍ତି। ଏହି ଅଞ୍ଚଳରେ ଚାଷୀମାନେ ଅଧିକ ପରିମାଣରେ ୟୁରିଆ, ପଟାସ ଓ ଡିଏପି ସାର ବ୍ୟବହାର କରୁଛନ୍ତି। ୟୁରିଆର ସରକାରୀ ଦର ୨୬୬.୫୦ଟଙ୍କା ରହିଥିବା ବେଳେ ଡିଏପି ୧୨ ଶହ ଟଙ୍କା ଓ ପଟାସ ୯୫୦ ଟଙ୍କା ରହିଛି। ବ୍ଲକରେ ଲ୍ୟାମ୍ପସ ଦ୍ବାରା ଚାଷୀଙ୍କୁ ସରକାରୀ ଦରରେ ସାର ବିକ୍ରି କରିବା ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ବିଶ୍ଵନାଥପୁର ଲ୍ୟାମ୍ପସ ଚଳିତ ବର୍ଷ ଠିକ୍ ସମୟରେ ସାର ଯୋଗାଇ ନଥିଲା। ଚାଷୀଙ୍କ ଆନ୍ଦୋଳନର ଚେତାବନୀ ଯୋଗୁଁ ବିଶ୍ୱନାଥପୁର ଲ୍ୟାମ୍ପସରେ ଚାଷୀଙ୍କୁ ୟୁରିଆ, ପଟାସ ଓ ଡିଏପି ସାର ଆଣି ଗାଡି ଭଡା ବାବଦକୁ ପକେଟ ପିଛା ୩୩ ଟଙ୍କା ଅଧିକ ନେଇ ଚାଷୀଙ୍କୁ ସାର ଯୋଗାଇ ଦିଆଯାଇଥିଲା। କିନ୍ତୁ ଗୋଦାମରେ ସାର ରଖି ଚାଷୀଙ୍କୁ ନଦେଇ ହଇରାଣ କରୁଥିବା ଯୋଗୁଁ ଆଜି ଅଞ୍ଚଳର ଚାଷୀ ବିଶ୍ୱନାଥପୁରର ହରି ମାଝୀ, ସାନ ମାଝୀ, ପିତବାସ ବେହେରା, ଅଙ୍କୁର ମାଝୀ, ତୁଳସୀ ବେହେରା, ରତ୍ନ ମାଝୀ, ପରମାନନ୍ଦ ଗଉଡ଼, ଗୋପୀନାଥପୁର ଗ୍ରାମର ଅନୁସାୟୀ ହରିଜନ, ଜନ ହରିଜନ, ଜଳନ୍ଧର ହରିଜନ, ଅନନ୍ତ ହରିଜନ, ପ୍ରତାପପୁରର ମାଧବ ବାଗ, ଡୁମେର ମୁଣ୍ଡାର ଲକ୍ଷ୍ମୀଧର ଭାଟି, ଉମାକାନ୍ତ ଭାଟି, ହରିହରପୁରର ରୁପା ହରିଜନ, ଅନି ହରିଜନ, ନୂତନବାତେଲଲିମାର ମାଳି ମାଝୀଙ୍କ ସମେତ ଅନେକ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।ବର୍ତମାନ ଚାଷୀଙ୍କ ହାତରେ ସାର ଟୋକନ ଥିଲେ ମଧ୍ୟ ବିଭାଗୀୟ ଅବହେଳା ଯୋଗୁଁ ସେମାନେ ସାର ପାଉନଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ଚାଷୀ ମହଲାରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି।
ଏନେଇ ବିଶ୍ୱନାଥପୁର ଲ୍ୟାମ୍ପସ ଏମଡି କମ୍ବୁ ବାରିକଙ୍କୁ ପଚାରିବାରୁ ଦାଇତ୍ୱରେ ଥିବା ଡିଓ ଲିଙ୍ଗରାଜ ସାହୁ ଲ୍ୟାମ୍ପସ ଅଫିସର କାଗଜପତ୍ର କାର୍ଯ୍ୟରେ ବ୍ୟସ୍ତ ଥିବା ଯୋଗୁଁ ମୁଁ ଲ୍ୟାମ୍ପସ ପିଅନ ଲଳିତ ସାହୁଙ୍କୁ ଚାଷୀଙ୍କୁ ସାର ଦେବାରେ ସାହାଯ୍ୟ କରିବା ପାଇଁ କହିଥିଲି। କିନ୍ତୁ ସେ ନ ଶୁଣିବା ଯୋଗୁଁ ଡିଓ ଲିଙ୍ଗରାଜ ଆଜି ଦିନ ୧୨ ଟାରେ ଯାଇ ଚାଷୀଙ୍କୁ ପଟାସ୍ ଓ ଡିଏପି ସାର ଦେଇଛନ୍ତି।ୟୁରିଆ ନାହିଁ ଦୁଇ ଦିନ ମଧ୍ୟରେ ଦୁଇ ଗାଡି ଆସିବ ବୋଲି ପ୍ରକାଶ କରିଛନ୍ତି।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ବିଭିନ୍ନ କାରଣରୁ ସାର ନଆସିବା ଏକ ଭିନ୍ନ କାରଣ, ତେବେ ଗୋଦାମରେ ସାର ଥିବା ସତ୍ତ୍ବେ ଚାଷୀଙ୍କୁ ହଇରାଣ ହରକତ କରିବାର କାରଣ ହୋଇପାରେ ? ଯଦି ସରକାରୀ କର୍ମଚାରୀ ମାନଙ୍କ ଭୁଲ ଭଟକା ରହୁଛି ତେବେ ସଂପୃକ୍ତ ବିଭାଗ ଏହାକୁ ସୁଧାରିବାର ପ୍ରଜତ୍ନ କରୁନାହିଁ କାହିଁକି ? ସରକାରୀ କର୍ମଚାରୀ ଭୁଲ କରିବାର ଫଳ କାହିଁକି ଭୋଗିବ କୃଷକ ? ଏମିତି ଅନେକ ପ୍ରଶ୍ନବାଚୀ ଅଞ୍ଚଳର ବୁଦ୍ଧିଜୀବି ମାନଙ୍କ ମନରେ ଉଙ୍କି ମାରୁଛି, ତେବେ ଦେଖିବାକୁ ବାକିରହିଲା କେବେ ସୁଧୁରୁଛି ଏହି ବ୍ଲକର କୃଷି ସେବା ସମବାୟ ସମିତି ମାନଙ୍କ ବ୍ୟବସ୍ଥା।
କଳାହାଣ୍ଡିରୁ କ୍ଷମାନିଧି ମହାକୁଡ଼ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in