ଦିବ୍ୟାଙ୍ଗ ଘନା ଜାଗରଙ୍ଗାଙ୍କୁ କେବେ ମିଳିବ ସହାୟତା: ଆଉ କେତେ ଦିନ ଚାଲିବେ ଗୁରୁଣ୍ଡି ଗୁରୁଣ୍ଡି

ରାୟଗଡ: ଦିବ୍ୟାଙ୍ଗମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କାର ବିଭିନ୍ନ ଯୋଜନା ଓ ସହାୟତା ବ୍ୟବସ୍ଥା ରହିଛି । ସରକାରୀ ଯୋଜନା ତଥା ସହାୟତାରୁ କେହି ହେଲେ ଦିବ୍ୟାଙ୍ଗ ଯେମିତି ବଂଚିତ ହୋଇପାରିବେ ନାହିଁ ସେଥିପ୍ରତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ତେବେ ପରିତାପର ବିଷୟ କେବଳ ଭତା ଟଙ୍କାକୁ ଛାଡି ଦେଲେ ଅନ୍ୟ କୈାଣସି ସହାୟତା ପାଇ ନ ପାରି ନିଜ ଭାଗ୍ୟକୁ ଆଦରି ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ଦିବ୍ୟାଙ୍ଗ ଯୁବକ ଘନା । ଜନ୍ମରୁ ଶତ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବାରୁ ମାସିକ ୭୦୦ ଟଙ୍କା ଭତା ପାଇ ପାଉଛନ୍ତି ଘନା ଜଗାରାଙ୍ଗା । ରାୟଗଡ ଜିଲ୍ଳା ଗୁଡାରୀ ବ୍ଳକ ସେରିଗୁଡା ପଂଚାୟତର ଭୂରିପଦର ଗ୍ରାମର ୨୫ ବର୍ଷିୟ ଯୁବକ ଘନା ଜାଗରଙ୍ଗା । ଜନ୍ମରୁ ଦୁଇଟି ଗୋଡ ପୋଲିଓ ଯୋଗୁଁ କାର୍ଯ୍ୟକ୍ଷମ ହୋଇ ନ ପାରୁଥିବାରୁ ଦିବ୍ୟାଙ୍ଗ ଭତା ବାବଦକୁ ପ୍ରଶାସନ ତରଫରୁ କେବଳ ୭ଶହ ଟଙ୍କା ପାଉଛନ୍ତି । ରାୟଗଡ ଜିଲ୍ଳା ପ୍ରଶାସନର ସଂପୃକ୍ତ ବିଭାଗ ପକ୍ଷରୁ ଆଜି ପର୍ଯ୍ୟନ୍ତ ତାଙ୍କୁ କୈାଣସି ଟ୍ରାଇ ସାଇକେଲ ପ୍ରଦାନ କରାଯାଇ ନ ଥିବାରୁ ସେ ହାତରେ ଚପଲ ଧରି ଗୁରୁଣ୍ଡି ଗୁରୁଣ୍ଡି ଯିବା ଆସିବା କରୁଛନ୍ତି । ବାପା ଓ ମା ପରିଣତ ବୟସରେ ରହିଥିବାରୁ ତାଙ୍କ ଯତ୍ନ ନେବା ତାଙ୍କ ପକ୍ଷେ ସମ୍ଭବ ପର ହୋଇପାରୁନାହିଁ । ଏକ ପକ୍କା ଘର ନ ଥିବାରୁ ସେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ବେଳେ ଗାଁରେ ଘର ଘର ବୁଲିଲେ ଦିଗୁଣ୍ଡା ଖାଇବାକୁ ପାଉଛନ୍ତି ଘନା ।


ଛୋଟ ବେଳେ ଗାଁ ସ୍କୁଲରେ ମାତ୍ର ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ପାରିଥିଲେ ଘନା । ତେବେ ଅନ୍ୟଙ୍କ ପରି ରୋଜଗାରକ୍ଷମ ହେବାର ଉଚ୍ଚ ଆଶା ତାଙ୍କୁ କେବେ ହେଲେ ହାର ମାନିବାକୁ ଦେଇନାହିଁ । ତେଣୁ ନିଜେ ସକ୍ଷମ ଭାବି ନିଜ ପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଳକ ଠାରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁରୁଣ୍ଡି ଗୁରୁଣ୍ଡି ଏକ ଛୋଟ ଦୋକାନ ଖୋଲିବା ନିମନ୍ତେ ବ୍ୟାଙ୍କ ଋଣ ସକାଶେ ହଇରାଣ ହେଉଥିଲେ ସୁଦ୍ଧା ଏହି ଦିବ୍ୟାଙ୍ଗର ଗୁହାରୀ କେହି ହେଲେ କର୍ଣ୍ଣପାତ କରୁ ନ ଥିବା ଘନା ଅଭିଯୋଗ କରିଛନ୍ତି । ଏ ନେଇ ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଆଦିପତି କହଁରକୁ ପଚାରିବାରୁ ତାଙ୍କ ସହ ଯୋଗାଯୋଗ କରାଯାଇଛି ଯଥାଶୀଘ୍ର ତାଙ୍କୁ ଏକ ଟ୍ରାଇ ସାଇକେଲ ପ୍ରଦାନ କରାଯିବା ସହ ଡିଆରଆଇ ଲୋନ ସକାଶେ ସହାୟତା ଯୋଗାଇବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.