ନଭେମ୍ବର ୧୪ ତାରିଖ ଠାରୁ ୨୪ ତାରିଖ ଯାଏଁ ଚାଲିବ ମା ଦକ୍ଷିଣ କାଳୀଙ୍କ ଦଶମହାବିଦ୍ୟା ପୂଜାର୍ଚ୍ଚନା
ରାୟଗଡା: କରୋନା ଗାଇଡଲାଇନ ମଧ୍ୟରେ ଚଳିତ ବର୍ଷ ଫ୍ରେଣ୍ଡସ ୟୁଥ୍ ଆସୋସିଏସନ ଆନୁକୁଲ୍ୟରେ ୩୮ ତମ କାଳୀ ପୂଜା ଉତ୍ସବ ଉପଲକ୍ଷେ ମଙ୍ଗଳବାର ଦିନ ଶୁଭ ଖୁଂଟି ସ୍ଥାପନ ହୋଇଛି । ରାୟଗଡ ସହର ବ୍ଲକ କଲୋନୀ ସ୍ଥିତ କାଳୀ ମନ୍ଦିରରେ ରୀତିନୀତି ଅନୁଯାୟୀ ପୁରୋହିତ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ଶୁଭଖୁଂଟି ସ୍ଥାପନ କରାଯାଇଥିଲା ।
ଚଳିତ ମାସ ୧୪ ତାରିଖ ଠାରୁ ୨୪ ତାରିଖ ଯାଏଁ ମା ଦକ୍ଷିଣ କାଳୀଙ୍କ ଦଶମହାବିଦ୍ୟା ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇ ୨୫ ତାରିଖ ଦିନ ମୂର୍ତି ବିସର୍ଜନ ହେବ ବୋଲି ପୂଜା କମିଟି ତରଫରୁ ସୂଚନା ଦିଆଯାଇଛି । ଶୁଭଖୁଂଟି ସ୍ଥାପନ ସମୟରେ କର୍ତା ଭାବେ ଶିବ ପଟ୍ଟନାୟକ ଏବଂ ସହକର୍ତା ଭାବେ ଶିବାଜୀ ଦାସ ଉପସ୍ଥିତ ଥିଲେ । ଶୁଭଖୁଂଟି ସ୍ଥାପନ ହେବା ପରେ ଥେରୁବାଲି ନିକଟସ୍ଥ ପାଇକପଡା ସ୍ଥିତ ପ୍ରସିଦ୍ଧ ଦକ୍ଷିଣକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରି ଆଜ୍ଞାମାଳ ଅଣାଯାଇ ମାଁ ଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇଛି ।
ଶୁଭଖୁଂଟି ସ୍ଥାପନ ସମୟରେ ସାଧାରଣ ସଂପାଦକ ଶିବ ପଟ୍ଟନାୟକ, ଉପ-ସଭାପତି ଶିବାଜୀ ଦାସ, ସଂପାଦକ ସଂଗ୍ରାମ ପଟ୍ଟନାୟକ, କୋଷାଧ୍ୟକ୍ଷ ଗୌରି ପଟ୍ଟନାୟକ, ସଭ୍ୟ ସରୋଜ ପାଢୀ, ବି.ରାମୁ, ସୁନିଲ କୁମାର ପାଣିଗ୍ରାହୀ, ବଳରାମ ବଗର୍ତି ପ୍ରମୁଖ ଉପସ୍ଥିତ ଥିଲେ । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶା ସରକାର ଜାରୀ କରିଥିବା କୋଭିଡ କଟକଣା ମଧ୍ୟରେ ପୂଜା ମାର୍ଗଦର୍ଶିକା ମାନି ଚଳିତ ବର୍ଷ ମାଁଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ । ତେଣୁ ଗାଇଡଲାଇନକୁ ଅନୁସରଣ କରି ପୂଜା ସମୟରେ ମନ୍ଦିର ସମ୍ମୁଖରେ ଅଯଥାରେ ଗହଳି ନ କରିବା ପାଇଁ ଜନସାଧାରଣଙ୍କୁ ଫ୍ରେଣ୍ଡସ୍ ୟୁଥ୍ ଆସୋସିଏସନର ସାଧାରଣ ସଂପାଦକ ଶିବ ପଟ୍ଟନାୟକ ନିବେଦନ କରିଛନ୍ତି ।