କଳାହାଣ୍ଡି: ପୋଖରୀକୁ ଗାଧୋଇବାକୁ ଆସି ପାଣିରେ ବୁଡି ଯାଇ ଅକାଳରେ ସ୍ୱର୍ଗପଥର ଯାତ୍ରୀ ହୋଇଥିବା ଦୁଇ ପିଉସୀ-ଝିଆରୀଙ୍କ ପାର୍ଥିବ ଶରୀର ଶବ ବ୍ୟବଚ୍ଛେଦ ପରେ ଗାଁକୁ ଆଣିବା ପରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗତକାଲି ଠାରୁ ଦୁଇ ଝିଅକୁ ହରାଇ ବାହୁନି କାନ୍ଦୁଥିବା ଛତ୍ରିଆ ପରିବାରରେ ଦେଖାଦେଇଛି ଅକାଳ ଚଡକ ।
ପିଉସୀ ଅଷ୍ଟମୀ(୧୮) ସମେତ ନାତୁଣୀ ସିମରନ(୧୨)କୁ ଏବେ ବି ସତେକି ଖୋଜି ବସୁଛନ୍ତି ତାଙ୍କ ପିତାମାତା ମାନେ । ସବୁବେଳେ ହସହସ ମୁହଁ, ମେଳାପି ଏଇ ଦୁଇ ଝିଅଙ୍କୁ କେବଳ ତାଙ୍କ ପରିବାର ନୁହଁ ସାରା ଗ୍ରାମବାସୀ ଓ ସମ୍ପର୍କିୟ ମାନେ ମନେପକାଇ ଆଖିରୁ ଲୁହ ଗଡାଇ ଥିବାର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ ।
ଗତକାଲି କର୍ଲାମୁଣ୍ଡା ବ୍ଳକ ରିଷିଡା ଫାଣ୍ଡି ଅର୍ନ୍ତଗତ ଶିରାବାହାଲ ଗ୍ରାମର ସୀତାରାମ ଛତ୍ରିଆଙ୍କ ଝିଅ ଅଷ୍ଟମୀ ଓ ତାଙ୍କ ନାତୁଣୀ (ବଡପୁଅ ସନ୍ତୋଷର ଝିଅ) ସିମରନ ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନଥିଲେ । ସେମାନଙ୍କ ମୃତ ଦେହକୁ ପୋଖରୀ ରୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପୁଲିସ ମ.ରାମପୁର ଡାକ୍ତରଖାନାକୁ ପଠାଇଥିଲା । ତେବେ ଗତକାଲି ସନ୍ଧ୍ୟା ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନ ଥିଲା । ଆଜି ପୂର୍ବାହ୍ନରେ ଶବ ବ୍ୟବଚ୍ଛେଦ ପରେ ପୁଲିିସ ଉକ୍ତ ପରିବାରକୁ ଶବ ହସ୍ତାନ୍ତର କରିଥିଲେ ।
ତେବେ ଅପରାହ୍ନରେ ଶବ ଗାଁରେ ପହଂଚିବା ପରେ ହୃଦୟ ବିଦାରକ ଥିଲା ଗ୍ରାମ ପରିବେଶ । ଗୋଟିଏ ଜୁଇରେ ପିଉସୀ-ଝିଆରୀ ଙ୍କ ଶବ ଦାହ କରାଯାଇଥିଲା । ଅଷ୍ଟମୀର ବାପା ସୀତାରାମ ଓ ସିମରନ ର ବାପା ସନ୍ତୋଷ ମୁଖାଗ୍ନି ଦେଇଥିଲେ । ଶୋକାକୁଳ ପରିବେଶ ମଧ୍ୟରେ ଶବଦାହ କରାଯାଇଥିଲା । ପ୍ରକାଶଥାଉକି ଅଷ୍ଟମୀ ଯୁକ୍ତ ତିନି ରେ ଅଧ୍ୟୟନ କରୁଥିବା ବେଳେ ସିମରନ ଷଷ୍ଠ ଶ୍ରେଣୀ ପଢୁଥଲେ । ମୃତକ ଙ୍କ ପରିବାରକୁ ସରକାର ସହାୟତା ପ୍ରଦାନ କରିବାକୁ ଅଚଂଳବାସୀ ଦାବୀ ଜଣାଇଛନ୍ତି ।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in