✍️ରଶ୍ମି ରଂଜିତା ସିଂହ
ସିଡ଼ିତଳୁ ସାଇକେଲଟା ବାହାର କରି ଗେଟ ପର୍ଯ୍ୟନ୍ତ ନେବା ଭିତରେ ମାଆ ତାର ଟିଫିନ୍ ବାକ୍ସଟା ହାତକୁ ବଢେଇଦିଏ । ମାଆର ଶୁଖିଲା ମୁହଁରୁ ଓଠତଳକୁ ଚିମୁଟତ ଦେଇ ଜବରଦସ୍ତ ହସେଇ ସେହି ହସ ହସ ମୁହଁକୁ ଚାହିଁ ବାହାରିଯାଏ ସାଇକେଲ ଚଢି ବିନୁ ଅଫିସ ଅଭିମୁଖରେ । ଏଇଟା ହେଉଛି ତା’ର ନିତି ଦିନିଆ କଥା । ମାଆର ଚେହେରା କଥା ଭାବି ଭାବି କେତେବେଳେ ଯେ ଅଫିିିସ ଦୁଆର ମୁହଁରେ ପହଂଚିଯାଏ ଜଣାପଡ଼େନି ତାକୁ । ହଳଦୀ ଗୁରୁଗୁରୁ ଚେହେରାରେ ନାଲିବଡ଼ ସିନ୍ଦୁର ଟୋପା ମଥାରେ ଆଉ ଥୋକାଏ ସିନ୍ଥିରେ ବେଶମାନେ ତାକୁ । ଦାଉ ଦାଉ ଝଟକୁଥାଏ ସବୁବେଳେ ମୁହଁଟି ତାର । କେବେ କେହି ସେଇ ଚେହେରାରେ ଦୁଃଖ, ରାଗ, ମାନ, ଅଭିମାନ ଦେଖିପାରନ୍ତିନି ।ସବୁବେଳେ ହସ ହସ ମୁହଁ ବାହା ହେଇ ଅଇଲା ଦିନରୁ । ଘରେ ବାହାରେ, ସାଇପଡ଼ିଶା ସମସ୍ତଙ୍କ କତିରେ ପ୍ରିୟ ବିନୁ ବୋଉ । ହେଲେ ଦଇବ ସେସବୁ ବେଶୀଦିନ ସହିପାରିଲେନି । ହଠାତି୍ ଦିନେ ରାତିରେ ବାପା ତାର ଛାତିକୁ ମୁଠେଇ ଶୋଇଗଲେ ଯେ ଶୋଇରହିଲେ ଆଉ ଜମାରୁ ବି ଉଠିଲେନି । ବିିନୁ ବୋଉର ସବୁ ସୁଖ ଶିରୀ ସେଇଠି ସରିଗଲା । ଦୁନିଆଟା ତାକୁ ଘୋଟି ବାଦଲ ପରି ଲାଗିଲା । ସଂସାର ରଥର ଗୋଟିଏ ଚକାରେ ଆଉ ଅଧରାସ୍ତାକୁ କେମିତି ଅତିକ୍ରାନ୍ତ କରିବ ପିଲା ଦୁଇଟିର ଲାଳନପାଳନ, ମଣିଷ କେମିତି କରିବ, ଘର ଖର୍ଚ୍ଚ କେମିତିି କରିବ ଭାବି ଭାବି ମୁହଁରୁ ତାର ହସ କୁଆଡ଼େ ଉଭେଇଗଲା ।
ସେ ଯାହା ବି ହେଉ ବିନୁ ତାର ଏବେ ପାରିବାର ହେଇଗଲାଣି । ଛୁଆଟି ବେଳୁ ଅନ୍ୟପିଲାମାନଙ୍କୁ ପାଠପଢେଇବା ଖର୍ଚ୍ଚରେ ନିଜେ ଆଉ ବାବୁନିର ପଢାଖର୍ଚ୍ଚଟା ଉଠଇଥିଲା । ତାପରେ ଗୋଟିଏ ଘରୋଇ ସଂସ୍ଥାରେ ଚାକିରୀଟିଏ ବି କଲାଣି । ଘର ତାଙ୍କର ବେଶ ଖୁସିରେ ନହେଲେ ବି କେବେ କାହା ଆଗରେ ହାତ ପାତିବାକୁ ପଡ଼ୁନି କି ଦୁଇ ଓଳିରୁ ଓଳିଏ ଖାଇବା ବନ୍ଦ ହେଇନି । ସାନଭାଇ ବାବୁନିକୁ ପାଠ ପଢେଇ କେମିତି ମଣିଷ କରିବ ବିନୁର ମୂଳଲକ୍ଷ୍ୟ । ନିଜର ଲକ୍ଷ୍ୟସ୍ଥଳରେ ପହଂଚିବା ଲାଗି ଯେତେ ଶାରିରୀକ ପରିଶ୍ରମ ପଡ଼ିଲେ ସୁଦ୍ଧା ଅଫିସରେ ସେ କେବେ କୁଣ୍ଠାବୋଧ କରିନି । ମନପ୍ରାଣଦେଇ କାମ କରିଥାଏ । ଆଉ ସେଥିଲାଗି ତାର ସମସ୍ତ ସହକର୍ମୀ, ଉଚ୍ଚପଦସ୍ଥ ଅଫିସର ତାକୁ ଭାରି ପ୍ରଶଂସା କରନ୍ତି । ଭଲପାଆନ୍ତି ଆଉ ସମବେଦନା ମଧ୍ୟ ଜଣାନ୍ତି । ବାପାଙ୍କର କଥାଟି କାନ ଭିତରେ ତାର କେମିତି ଗୋଟେ ସବୁବେଳେ ଗୁଂଜରଣ ସୃଷ୍ଟି କରୁଥିଲା । କେତେ ସ୍ୱପ୍ନ ଦେଖିଥିଲେ ତାଙ୍କ ପୁଅ ବାବୁନିକୁ ନେଇ । ସବୁବେଳେ କହୁଥିଲେ ପୁଅକୁ ମୋର ବହୁତ ପାଠ ପଢେଇବି । ଗୋଟେ ଇଞ୍ଜିନିୟର କରିବି । ତେଣିକି ମୋତେ ଯେତେ କଷ୍ଟ କରିବାକୁ ପଡ଼ୁପଛେ । ହେଲେ ଦୈବାତ ଜୀବନ୍ତ ଥିବା ସମୟରେ ତ ବାପା ତାଙ୍କ ଆଶା ପୂରଣ କରିପାରିଲେନି । କିନ୍ତୁ ପୁଅକୁ ଇଞ୍ଜିନୟୟର ରପରେ ଦେଖି ତାଙ୍କ ଆତ୍ମକୁ ତୃପ୍ତି ମଳିବ ଭାବି ବିନୁ ଲାଗିପଡ଼ିଛି ଭାଇକୁ ପଢେଇବାରେ । କଲେଜ, ହଷ୍ଟେଲ ଫି, ରହିବା ଖାଇବା ଇତ୍ୟାଦିର ସମସ୍ତ ଖର୍ଚ୍ଚକୁ ଠିକ୍ ସମୟରେ ପଇଠ କରିଥାଏ । ମାଆ ଉପରେ କୌଣସି ଚାପ ପକେଇବାକୁ ଦିଏନି କେବେ । ଯେଉଁ ବୟସରେ ପାଦରେ ଝୁମୁକା ନାଇ ଭଳି ଭଳିକା ପୋଷାକ ପିନ୍ଧି ସାଙ୍ଗସାଥୀ ସହ ରଜମଉଜ କରନ୍ତା, ଫଗୁଣରେ ରଙ୍ଗବେରଙ୍ଗର ଫଗୁ ମାଖିହୋଇ ମିଠା ମିଠା ସ୍ପପ୍ନ ଦେଖନ୍ତି, ସେଇ ସମୟରେ ପରିବାରର ସମସ୍ତ ଦାୟିତ୍ୱ ସାନଭାଇ ବାବୁନି କେମିତି ପାଠପଢି ମଣିଷ ହେବ, ସେଇସବୁ ସ୍ୱପ୍ନ ଦେଖିବାକୁ ବାଧ୍ୟ ହୋଇଥିଲା । ଏବଂ ତାକୁ ସାକାର କରିବାକୁ ଯୋଇ ନିଜ ଖୁସି, ରୂପରଙ୍ଗ, ଯୌବନକୁ ଖୁବ୍ ପଛକୁ ଠେଲି ଦେଇଥିଲା । ଭାରୀ ସ୍ୱାଭିମାନୀ, କାହା ଆଗରେ ହାତପତେଇ ସାହାଯ୍ୟ ମାଗିବାକୁ ଜମା ପସନ୍ଦ କରେନି । ଏମିତି ବି ସମୟ ଆସିଛି ଭାଇ ପାଖକୁ ଠିକ୍ ସମୟରେ ପଇସା ପଠେଇବା ଲାଗି ନିଜ ଶରୀରରୁ ରକ୍ତ ନିଗାଡ଼ି ବିକ୍ରୀ କରି ପଠେଇଛି । ଥରେ ନୁହେଁ ଅନେକ ଥର ଏପରି କରିଛି । ଅଥଚ ଏକଥା ନା ତାର ମାଆ କୁ ଗୋଚର ନା ଭାଇ ବାବୁନିକୁ, କେବଳ ଜଣେ ଜାଣନ୍ତି । ସେ ହେଉଛନ୍ତି ସାଗର । ଯିଏ କି ବିନୁର ସହକର୍ମୀ । ସ୍ୱଭାବରେ ଖୁବ ଭଦ୍ର, ନମ୍ର, ଶାନ୍ତ, ନିିଶାପାଣିଠାରୁ ବହୁତ ଦୂରରେ ଆଜିକାଲିକା ପିଲା ହେଇମଧ୍ୟ । ବିନୁର ସ୍ୱଭାବ ଚରିତ୍ର ସେ ବହୁତ ପସନ୍ଦ କରନ୍ତି । ମନେ ମନେ ବିନୁକୁ ଖୁବ ଭଲପାଆନ୍ତି କିନ୍ତୁକେବେ ମୁହଁ ଖୋଲି କହିନାହାନ୍ତି । ଅନେକଥର ଚେଷ୍ଟା କରିଛନ୍ତି ଏ ସମ୍ବନ୍ଧରେ ବିନୁକୁ କହିବେ କିନ୍ତୁ ସମୟ ଏତକ କହିବାକୁ କେବେ ସୁଯୋଗ ଦେଇନି । ଦିହରେ ସାହାସ ସଂଚୟ କରି ଅନେକଥର ଭାବେ, କାଗଜରେ ଲେଖି ବିନୁ ହାତରେ ଗୁଂଜି ଦେବ, ହେଲେ କରିପାନ୍ତିନି ।
ମୁହଁ ସଂଜବେଳ ହେଲା । ବିନୁର ଅଫିସରୁ ଫେରିବା ବେଳ । ସାଗର ଭାବିଲେ ଆଜି ସାଙ୍ଗହେଇ ଅଫିସରୁ ବାହାରିବେ ଏବଂ ବିନୁକୁ ରାସ୍ତାରେ କହିବେ । ରାସ୍ତାରେ ଅନେକ ଇଆଡ଼ୁସେଆଡ଼ୁ କଥା ହେଇଥାଆନ୍ତି କିନ୍ତୁ ଅସଲ ପ୍ରସଙ୍ଗଟିକୁ କହିବାକୁ ତାଙ୍କ ଜିଭ ଲେଉଟୁନଥାଏ । ଅନେକ ପ୍ରଚେଷ୍ଟା ପରେ ମଧ୍ୟ ସେ ବିଷୟରେ ସେ କିଛି ବି କହିପାରିନଥିଲେ । ବିନୁ ଖାଲି ତର ତର ହେଇ ଆଗକୁ ମାଡ଼ି ଚାଲିଥାଏ । ମାଆ ତାର ଦୁଆରେ ମୁହଁରେ ଜଗି ବସିଥିବ ବୋଲି । ସାଗର ନିଜକୁ ଭାରି ଇତସ୍ତତଃ ମନେ କରୁଥାନ୍ତି କେମିତି କହିବେ ? ବିନୁର ତାଙ୍କ ପ୍ରତି ଯେକୌଣସି ଆସକ୍ତି ମନ, ଭାବନା ନାହିଁ ସେକଥା ସେ ଭଲଭାବେ ବୁଝିପାରୁଛନ୍ତି । ତଥାପି ସେ ନିଜଆଡ଼ୁ କହିବାକୁ ପ୍ରାଣ ପଣେ ଚେଷ୍ଟା କରି ବି କହିପାରୁନଥାନ୍ତି । ବିନୁର ଘର ପହଂଚିବାକୁ ଆଉ ଅଳ୍ପ ବାଟ ଅଛି । ସେ ପଛରୁ ଡ଼ାକିଲେ ..ବିନୁ ଟିକେ ରୁହ । ତୁମକୁ କିଛି କହିବାର ଥିଲା । ସାଇକେଲର ବ୍ରେକ୍ ଟିକେ କମ୍ ଦେଇ କହିଲା-କୁହନ୍ତୁ କୁହନ୍ତୁ । ଜଲଦି କୁହନ୍ତୁ । ନହେଲେ କାଲି କଥା ହେବା । ମୋ ମାଁ ସେପଟେ ଚାତକ ଭଳିଆ ଅନେଇ ଅନେଇ ଅଥୟ ହେଇଯିବଣି । ମୋତେ ଜଲଦି ଯିବାକୁ ହେବ । ବିନୁର ଏ ପ୍ରକାର ଉତ୍ତର ଶୁଣି ସାଗର ପୂରା ଚୁପ୍ ରହିଗଲେ । କିଛି ବି କହିପାରିଲେନି । ପଛକୁ ଫେରି ଚାହିଁଲା ବିନୁ ସାଗରଙ୍କର ଭୟଭୀତ ମୁହଁ ଦେଖି ଫିକ୍କିନା ହସିଦେଲା । ତାପରେ ସାଗର ଆଉ ଜମ୍ମାରୁ କିଛି ବି କହିପାରିଲେନି । ଶେଷରେ ଗୋଟିଏ ଲଫାପାଟେ ବଢାଇଦେଇ କହିଲେ ଏଇଟା ଟିକେ ଦେଖି ନେବ । ହଉ ମାରିଦେଇ ଲଫାପାଟାକୁ ସେମିତି ହାତରେ ଧରି ମୁହାଁଇଲା ଘର ଆଡ଼େ। ମାଁ ଘର ସବୁଦିନ ପରି ବସିରହିଥାଏ, ଦୁଆର ମୁହଁରେ । ଟିଫିନ ବ୍ୟାଗ ଓ ଲଫାପାଟିକୁ ମାଆ ହାତକୁ ବଢେଦେଇ ସାଇକେଲଟାକୁ ନେଇଗଲା ରଖିବାକୁ ସିଡ଼ି ତଳକୁ । ଧୁଆଧୋଇ ଆସିଲା ବେଳକୁ ମାଆ ତାର ଚ କପେ ହାତକୁ ବଢେଇ ଦିଏ । ଅଳ୍ପ ସମୟ ଗଡ଼ପଡ଼ ହୋଇ ଗଲିଯାଏ ବୈଠକ ଘରକୁ ଟିଉସନ କରିବାକୁ । ଲଫାପା ଟା ମାଆ ପାଖରୁ ଆଣିବାକୁ ସଂପୂର୍ଣ୍ଣ ଭୁଲିଯାଇଛି ।
ଇତି ମଧ୍ୟରେ ବିନୁ ମାଆ ଖୋଲା ଲଫାପାରେ କଣ ଲେଖାଅଛି ଭାବି ଚିଠିଟାକୁ ପଢିନେଇଚି । ସେଥିରୁ ସେ ସଂପୂର୍ଣ୍ଣ ଜାଣିପାରୁଛନ୍ତି ଯେ ବିନୁ ସେସବୁ ସମ୍ବନ୍ଧରେ ଅଜ୍ଞ । ସାଗରର ଲେଖାଶୈଳୀରୁ ସ୍ପଷ୍ଟ ବାରିହେଉଛି ଯେ ସେ ନିଃସ୍ୱାର୍ଥପର ଭାବେ ବିନୁକୁ ବହୁତ ଭଲ ପାଇଛନ୍ତି । ବିନୁବାପା ଚାଲିଗଲା ଠାରୁ ମାଆ ତାର ସବୁବେଳେ ଚିନ୍ତା କରନ୍ତି କେମିତି ବିନୁ ହସଖୁସି ସଂସାରଟେ ଗଢି ତୋଳିବ । ବାପ ଛେଉଣ୍ଡ ଝିଅର ହାତ ଧରିବାକୁ କିଏ ବା ଆଗେଇ ଆସିବ । ସାଗରକୁ ଅକେଥର ଦେଖିଛନ୍ତି । ବେଶ ଭଲ ପିଲାଟା । ଟିଉସନ ସାରି ବିନୁ ଆସିଲା ମାଆ ପାଖକୁ । ଖାଇବା ପୂର୍ବରୁ ନିୟମିତ ଔଷଧ ଦେବା ହେଲା ବିନୁର ଦାୟିତ୍ୱ । ଔଷଧ ଡ଼ବାରୁ ଔଷଧ ଖୋଲି ଦେଉ ଦେଉ ମାଆ ତାର କହିଲେ ..ମୋ କଥା ତାର କଥା ସବୁକୁ ଆଉ କେତେଦିନ ମୁଣ୍ଡେଇଥିବୁ । ତୋ ହସଖୁସିର ସଂସାରଟିକେ ମୋତେ କଣ ଦେଖିବାକୁ ସୁଯୋଗ ଦେବୁନି । ଆଉ କେଇଟା ଦିନ ବଂଚିବି କେଜାଣି? ହଉ ହଉ କହି ଖାଲି ହସିଦେଇଥିଲା । ତାପର ଦିନ ବିନୁ ପୁଣି ଅଫିସ ବାହାରି ଚାଲିଗଲା ତା ସମୟରେ । ହେଲେ ସଂଜବେଳକୁ ସବୁକିଛି ଓଲଟପାଲଟ ହେଇଗଲା । ବିନୁର ଆସିବାବେଳ ଯେ କେତେବେଳୁ ଗଡ଼ିଗଲାଣି କିନ୍ତୁ ବିନୁର ଦେଖାନାଇଁ । ବସି ବସି ଦୁଆର ମୁହଁରେ ଭାରି ବ୍ୟସ୍ତ ହେଇଗଲାଣି । କୋଉଥିରେ ବି ମନ ଲାଗୁନି । କାହିଁକି କେଜାଣି ତାର ଖାଲି ପାପ ଛୁଉଁଛି । ହଠାତ ଗେଟ୍ ସାମ୍ନାରେ ଅଟୋଟା ରହିଲା । ସାଗର ଏବଂ ଆଉ ଦୁଇଜଣ ଲୋକ ବିନୁକୁ ଧରି ଧରି ଘର ଆଡ଼କୁ ଆଣୁଛନ୍ତି । କଣ ହେଇଛି ବିନୁର । ଆଶ୍ଚର୍ଯ୍ୟଚକିତ ହେଇ ଚାହିଁ ରହିଥାଏ ମାଆ ତାର । ମୁଣ୍ଡ, ହାତପାଦ ସବୁଆଡ଼େ ବ୍ୟାଣ୍ଡଜ୍ ଗୁଡ଼ା ହେଇଚି । ରକ୍ତ ଛିଟା ସବୁ ଟୋପାଟୋପା ହେଇ ଇଷତ ଗୋଲାପି କମିଜ୍ରେ ଲେସି ହେଇଛି । ତଥାପି ବିନୁର ମୁହଁରେ ହସ । ମାଆକୁ କୁଣ୍ଢେଇ ପକେଇ କହିଲା-ଆଲୋ ମାଆ, ମୋର କିଛି ହେଇନି । ମଝିରାସ୍ତାର ଟ୍ରକ୍ଟରଟା ହଠାତ ଓହ୍ଲାଇଆସିଲା ରାସ୍ତାକଡ଼କୁ ଆଉ ମୁଁ ନିୟନ୍ତ୍ରଣ ହରାଇ ବାଡ଼େଇ ହେଇ ପଡ଼ିଗଲି । ଜମାରୁ ବ୍ୟସ୍ତ ହେବା ଦରକାର ନାଇଁ । ହସପିଟାଲକୁ ଯାଇ ଡ଼ାକ୍ତରଙ୍କ ପରାମର୍ଶ, ଚିକିତ୍ସା କରାଇ ଔଷଧ ଆଣିଆସିଛି । ଆଉ କାଲି ଖାଲି ରକ୍ତ ପରୀକ୍ଷା କରିବା ପାଇଁ କହିଚନ୍ତି । କାହିଁକି ବ୍ୟସ୍ତ ହେଉଛୁ? ଅଳ୍ପ ଦିନରେ ମୁଁ ପୂରା ଠିକ ହେଇଯିବି । ମାଆ ତାର ନିତ୍ତର ହେଇ ଖାଲି କୋହ ଉଠେଇ କାନ୍ଦି ଚାଲିଥାଏ ।
ପରଦିନ ସାଗରଙ୍କ ସହାୟତାରେ ମାଆ ବିନୁକୁ ଡ଼ାକ୍ତରଖାନାକୁ ନେଇଗଲେ ରକ୍ତ ପରୀକ୍ଷା କରିବାକୁ ଡ଼ାକ୍ତରଙ୍କ କହିବାନୁସାରେ । ହେଲେ ରିପୋର୍ଟ ଆସିଲାପରେ ସମସ୍ତଙ୍କ ମୁହଁ ଶୁଖି କଳାକାଠ ପଡ଼ିଯାଇଥିଲା । ମାଅ। ତା’ର ନିସ୍ତବ୍ଧ, ଅବାକ୍ ହେଇ ଠିଆ ହେଇଥାନ୍ତି କାନ୍ଥକୁ ଆଉଜି । ବିନୁର ବନ୍ଦ ଆଖିକୋଣରୁ ଧାର ଧାର ଲୁହ ବୋହି ବନ୍ଦ ଓଠର ଦୁଇ କୋଣରେ ପଶିଚାଲିଚି ଅଥଚ ବିନୁର ହାତ ଶକ୍ତିହୀନ ନିଜ ଲୁହ ନିଜେ ପୋଛିବାକୂୁ ବି ତାକତ୍ ନାହିଁ । ରିପୋର୍ଟଟା ହାତରେ ଧରି ଧରି ଲୁହରେ ସଂପୂର୍ଣ୍ଣ ଭିଜିଗଲାଣି । ସେ ଯେ ଏଚଆଇଭି ଯୁକ୍ତ ସଂକ୍ରମିତ ହେଇସାରିଛି ଇତି ମଧ୍ୟରେ । ବାରମ୍ବାର ରକ୍ତ ବିକ୍ରୀ କରିବା ସମୟରେ ହିଁ କିଛିଟା ହେଇଥିବ ଖୁବ ସହଜରେ ବୁଝିପାରୁଛି ବିନୁ । ହେଲେ କାହାକୁ ଅବା ଦୋଷ ଦେବ । ଭାଗ୍ୟର ବିଡ଼ମ୍ବନା ହିଁ ଧରି ନେବାକୁ ହବ । ସାଗର ବିନୁ ଓ ତା ମାଁଙ୍କୁ ଧରି ଘରକୁ ଫେରିଲେ । ବିନୁର ଭବିଷ୍ୟତ କଥା ଚିନ୍ତା କରି ମାଆ ତାର କାନ୍ଥରେ ମୁଣ୍ଡ ପିଟି ଚାଲିଥାଏ ଅଣାୟତ୍ତରେ । ଭାବୁଥାଏ ଗତକାଲିର କଥାକୁ । ବିନୁର ବାହାଘର ପ୍ରସଙ୍ଗରେ ଯେତେବେଳେ ବିନୁକୁ କହିଥିଲା ଉତ୍ତର ଥିଲା ବିନୁର “ଓ ତୁ ମାଁ କାଇଁ ସବୁବେଳେ ଏମିତି ବ୍ୟସ୍ତ ହଉଛୁ । ମୋର ବାହାହେବା ବୟସ କଣ ଗଡ଼ିଯାଉଛି । ଏଇ କାଲି ସଂଜରେ ମାଆ-ଝିଅ କଥା ଭିତରେ କହିଥିଲା ବିନୁ ଗୋଟିଏ ଦିନ ଭିତରେ ଏମିତି ସବୁକିଛି ଓଲଟପାଲଟ ହେଇଯିବ ବୋଲି କିଏ ଜାଣିଥିଲା । ନିଃସ୍ୱାର୍ଥପର ଭାବେ ଭଲପାଉଥିବା ସାଗର ଗୋଟେ ସ୍ଥାଣୁ ଜଡ଼ ବସ୍ତୁ ପାଲଟି ଯାଇଥିଲେ କିଛି କ୍ଷଣ ପାଇଁ । ଦୀର୍ଘ ନିଃଶ୍ୱାସଟିଏ ମାରି ଆଗେଇ ଆସିଲେ ବିନୁ ପାଖକୁ ଆଉ ବିନୁର ପାପୁଲି ଦ୍ୱୟକୁ ଖୁବ୍ ଜୋର୍ରେ ଜାବୁଡ଼ି ଧରିଲେ । ମୁହଁ ଖୋଲି କିଛି ନ କହିଲେ ଆଖି ଦୁଇଟିରୁ ସ୍ପଷ୍ଟ ବାରିହେଉଥିଲା ଯେ ଏବେ ବି ସେ ବିନୁକୁ ଭଲପାଆନ୍ତି ଏବଂ ସବୁଦିନ ପାଇଁ ଆପଣେଇବାକୁ ପ୍ରସ୍ତୁତ ଅଛନ୍ତି । ଏତିକିବେଳେ ବାବୁନି ୟୁନିଭରସିଟିରେ ପ୍ରଥମ ହେଇଥିବା ସାର୍ଟିଫିକେଟ୍ଟା ଧରି ଖୁସିରେ ଦୌଡ଼ି ଆସିଥିଲା । ପ୍ରଥମେ ତା ପାଖକୁ ଯିଏ ତାକୁ ସଫଳତାର ଶୀର୍ଷରେ ପହଂଚାଇ ପାରିଛି । ସେଇ ମୂର୍ତ୍ତିମନ୍ତ ପ୍ରତିମା ଭଉଣୀ ବିନୁର ଚରଣ ସ୍ପର୍ଶ କରିବାକୁ । କିନ୍ତୁ ପହଂଚି ଦେଖେ ତ ଭଉଣୀର ଅବସ୍ଥା । ସାର୍ଟିଫିକେଟ୍ ଟା ବିନୁ ହାତରେ ଧରାଇଦେଇ ଭୋ ଭୋ କାନ୍ଦିଉଠିଲା ବାବୁନି । ସେପଟେ ବିନୁ ବାବୁନିର ସାର୍ଟିଫିକେଟ ଦେଖି ଖୁସିରେ ଅଧୀର ହେଇ ପୁଣି କାନ୍ଦି ଚାଲିଲା ।
ସାଗର ଥୟ କରିନେଇଥିଲେ ବିନୁ ହିଁ ହେବ ତାଙ୍କ ଜୀବନସାଥୀ ।
ହସଲୁହ ମିଶା କାନ୍ଦଣାର ଏକ ଲହରୀ ଭାସି ଆସୁଥିଲା ଘର ଭିତରୁ ଅଦୂରକୁ ।