‘ଡମ୍ ବଜା’ କୁ ଆଦି ବାଦ୍ୟର ମାନ୍ୟତା ପ୍ରଦାନ କରାଯାଉ

“ଯା ଯା ଘରକେ ପଲା…. ତର୍ ମା ନୁରୁଥିବା ଖଲା ଖଲା….. ତର୍ ମା ନୁରୁଥିବା ଖଲାଖଲାରେ ଯା ଯା ନାଇଁରଖେଁ ତତେ
ତୁଇତ ମହତବାଧା ଦେଲୁ ମୋତେ
ତୁଇତ ମହତବାଧା ଦେଲୁ ମୋତେରେ ଯା ଯା ନାଇଁ ରଖେଁ ତତେ…
ଆମର ବୁଢିପଦର ଦଲକା ମାଟି
ଆମର ବୁଢିପଦର ଦଲକା ମାଟି
ଦଲଦଲି ଯାବା ଛାତି….
ଆମର ବୁଢିପଦର ଭାଲୁ ଡୁଙ୍ଗରୀ
ଆମର ବୁଢିପଦର ଭାଲୁ ଡୁଙ୍ଗରୀ
ଢୁଲିଆ ବାବୁରେ ଠଟାମିଁ ତିନି ଠେଙ୍ଗରୀ……।” (ବଜାସାଲ୍ ଗୀତ)

ପଶ୍ଚିମ ଓଡ଼ିଶାର ବିବାହ ସଂସ୍କାରରେ ‘ଡମ୍ ବଜା’ ବା ‘ଗଣାବଜା’ ଏକ ଅବିଚ୍ଛେଦ୍ୟ ଅଙ୍ଗ। ବିବାହର ପୂର୍ବଦିନ ସନ୍ଧ୍ୟାରେ ବଜା ବସେ। ଏହାକୁ ‘ବଜାସାଲ୍’ ବୋଲି କୁହାଯାଏ। ପଞ୍ଚବାଦ୍ୟ ଢୋଲ, ନିସାନ୍, ତସା, ମହୁରୀ ଓ ତାଲ୍ ବା ଝାଞ୍ଜର ସମନ୍ବୟରେ ବଜାସାଲ୍ ଗତିଶୀଳ ହୋଇଥାଏ। ଶାସ୍ତ୍ର ବର୍ଣ୍ଣିତ ଚର୍ତୁବିଧ ବାଦ୍ୟ ବଜାସାଲ୍ ରେ ବ୍ୟବହୃତ ହୋଇଥାଏ।

ବଜା ବସିବା ସମୟରେ ବଜନିଆମାନେ ମଦ୍ୟ ଅର୍ପଣ କରି ପ୍ରଥମେ ପୃଥିବୀ ମାତା (ଧରନୀ ଦେବୀ)କୁ ଶାନ୍ତ କରିଥାନ୍ତି। ଏହାପରେ ଅନ୍ୟ ଦେବାଦେବୀମାନଙ୍କୁ ମଧ୍ୟ ଅଭିଚାର ତନ୍ତ୍ର ଧାରାରେ ମଦ୍ୟ ଅର୍ପଣ କରାଯାଏ। ବଜାସାଲ୍ ପ୍ରାରମ୍ଭରେ ବାଦ୍ୟକାରମାନେ ୧୬ ଭରନୀ ବାଦ୍ୟ ମାଧ୍ୟମରେ ପ୍ରାଚୀନ ଦେବାଦେବୀଙ୍କୁ ଆବାହନ କରିଥାନ୍ତି। ଏହାସହ ଗ୍ରାମଦେବାବେବୀ ଧରନୀ, କାଲିସୁନ୍ଦରୀ, ଦୁଲା, ଡଙ୍ଗରବୁଡା, ବୁଡାରଜା, ବସ୍ତରେନ, ମାଉଲି ଆଦିଙ୍କୁ ବାଦ୍ୟନାଦରେ ଆବାହନ କରାଯାଇଥାଏ। ଏହାକୁ ଦେବତା ପାହାର ବୋଲି କୁହାଯାଏ। ଦେବତା ପାହାରରେ ରଶ କୋଇଲା ପରି ପ୍ରାଚୀନ ରାଗ ରାଗିଣୀ ମହୁରିଆ ବୋଲିଥାନ୍ତି। ଏହାକୁ ଢୋଲ୍, ନିସାନ, ତସା, ଝୁମକା ସଂପୂର୍ଣ୍ଣ ଋପ ଦେଇଥାନ୍ତି।

ଦେବତା ପାହାର ପରେ ବଜନିଆମାନେ କିଛି ସମୟ ବିଶ୍ରାମ କରିଥାନ୍ତି। ରାତି ବଢିବାସହ ବଜାସାଲ ଅଧିକ ସରଗରମ ହୋଇ ଉଠେ। ପ୍ରଥମ ପର୍ଯ୍ୟାୟରେ ଛୋଟ ଛୋଟ ପିଲାମାନେ ନାଚି ଥାନ୍ତି। କିଛି ସମୟ ନାଚିବାପରେ ସେମାନେ ଥକି ପଡି ଘରକୁ ଯାଇ ଶୋଇ ପଡିଥାନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ପର୍ଯ୍ୟାୟରେ ପ୍ରୋଢମାନେ ଗୀତଗାଇ ନାଚିଥାନ୍ତି। ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଯୁବା ଧାଙ୍ଗରୀମାନେ ନାଚିଥାନ୍ତି। ଏହାପରେ ବଜାସାଲର ଅସଲ ମଜା ଆସିଥାଏ। କୋଶଳାଞ୍ଚଳର ନାରୀ ମହାଚାତୁରୀ ସେ ନୃତ୍ୟରେ ଯେପରି ପ୍ରବିଣା ସେହିପରି ଗୀତ ଗାୟନରେ ମଧ୍ୟ ମାହିର। ଯୁବତୀମାନେ ନୃତ୍ୟ କରୁଖିବା ଦେଖି ଯୁବକମାନେ ମଧ୍ୟ ବଜାସାଲରେ ଯୋଗ ଦେଇଥାନ୍ତି।

ବଜାସାଲ୍ ରେ ଢୁଲିଆ ଓ ମହୁରିଆ ମୁଖ୍ୟ ଭୁମିକା ନିର୍ବାହ କରିଥାନ୍ତି। ଏଥିରେ ଜାଇଫୁଲ, ମାଏଲାଜଡ, ରଶରକେଲି, ଚପକରାଟି, ଡାଲଖାଇ ଆଦି ବିଭିନ୍ନ ଗୀତ ସହ ଦେହାତୀ ଗୀତ ଗାନ କରାଯାଏ। ତେବେ ବଜାସାଲ୍ ରେ ଗୀତ ଜୁରାଜୁରୀ ଅଧିକ ମହତ୍ବ ରଖିଥାଏ। ଯୁବକ-ଯୁବତୀ, ନାରୀ-ପୁରୁଷ ମଧ୍ୟରେ ଗୀତ ଜୁରାଜୁରୀ ଚାଲିଥାଏ। ଗୀତର ଧାରାକୁ ଆଧାରକରି ବଦ୍ୟ ବାଦନ କରାଯାଇଥାଏ। ବାଦ୍ୟର ତାଳେତାଳେ ଧାଙ୍ଗରୀ ମାନେ ରାମକାଠି ଧରି ନୃତ୍ୟ କରିବାକୁ ଓହ୍ଲାଇ ଆସିଥାନ୍ତି। ଧଙ୍ଗରାମାନେ ମଧ୍ୟ ନୃତ୍ୟ କରିଥାନ୍ତି। ପ୍ରକୃତି ଓ ପୁରୁଷର ବ୍ୟବଧାନ ପରି ନାରୀ ଓ ପୁରୁଷ କଳା ପ୍ରଦର୍ଶନ ସମୟରେ ଭିନ୍ନ ମନେ ହୁଅନ୍ତି। କଳା ପ୍ରଦର୍ଶନ କାଳରେ ନାରୀ ଲାସ୍ୟମୟୀ ହୋଇ ଉଠିବାବେଳେ ପୁରୁଷ ଭାବ ଓ ଆବେଗମୟ ହୋଇଉଠେ। ବଜାସାଲ୍ ରେ ପୁରୁଷ ସଶକ୍ତ ଛନ୍ଦରେ ନୃତ୍ୟରତ ହେବାବେଳେ ଦେହରେ ମାର୍ଦ୍ଦବ ଭୈରବ ଓ ଭିମକାନ୍ତିର ବିପରୀତ ମିଶ୍ରଣ ଉଭୁରି ଉଠେ। ପୁରୁଷର ନୃତ୍ୟରେ ଶୃଙ୍ଗାର ହାସ୍ୟକରୁଣ ବୀର ରୌଦ୍ର ଭୟାନକ ବିଭତ୍ସ ଅଭୁଶୋନ୍ତ ନବରସ ଫୁଟାଇବାବେଳେ ନାରୀ ଶୃଙ୍ଗାର ହାସ୍ୟ କରୁଣ ଶାନ୍ତ ଓ ବାତ୍ସଲ୍ୟରସ ଫୁଟାଏ। ପୂର୍ବ କାଳରେ କୁକରାଡକା ପର୍ଯ୍ୟନ୍ତ ବଜା ବାଜୁଥିଲା। ବଜାସାଲ ଗୀତରେ ପ୍ରେମ ପ୍ରଣୟର ଗାଥା, ଜୀବନ ଯୌବନର କଥା, ପଲ୍ଲୀ ପ୍ରକୃତିର ଚିତ୍ର, ଧର୍ମ କର୍ମର ଗାଥା, ପଶୁ ପକ୍ଷୀ ଏବଂ ପ୍ରକୃତିର ଅପରୁପ ରୁପକଳ୍ପ ପ୍ରତିଫଳିତ ହୋଇଥାଏ।

ବଜାବସା ଦିନ ସକାଳ ପ୍ରହରରେ ମହୁରିଆ ମହୁରୀ ମାଧ୍ୟମରେ ପ୍ରାତଃ ବନ୍ଦନା କରିଥାନ୍ତି। ଅନ୍ୟ ବାଦ୍ୟବୃନ୍ଦ ମଧ୍ୟ ମହୁରୀ ସହ ଗର୍ଜି ଉଠିଥାଏ। ଏହି ପାହାରରେ ପ୍ରାଚୀନ ଦେବିଦେବତାଙ୍କୁ ବାଦ୍ୟନାଦ ମାଧ୍ୟମରେ ଜାଗ୍ରତ କରାଯାଏ। ସୂର୍ଯ୍ୟଙ୍କ ତେଜ ବଢିବାସହ ବର/କନ୍ୟା ଘରର ଚଞ୍ଚଳତା ମଧ୍ୟ ବଢିଯାଇଥାଏ। ସେମାନେ ଘରେ ମସାନକୁନାରେ ପୂଜା କରିବା ସମୟରେ ମଧ୍ୟ ବଜନିଆମାନଙ୍କ ବାଦ୍ୟର ଆବଶ୍ୟକତା ପଡିଥାଏ। ବଜାସାଲର ଅସଲ ନେତା ମହୁରିଆ। ସେ ହିଁ ଧ୍ବନୀର ସ୍ରଷ୍ଟା, ଶବ୍ଦର ଯାଦୁଗର, ବାଦ୍ୟବୃନ୍ଦର ଚାଳକ ଓ ନିର୍ଦ୍ଦେଶକ ଅଟେ। ପରିସ୍ଥିତି ଓ ପରିବେଶର ଗାମ୍ଭୀର୍ଯ୍ୟ ଉଷ୍ମତା, ରୁଚି ଓ ଆବଶ୍ୟକତାକୁ ଚାହିଁ ସେ ମହୁରୀର ଇନ୍ଦ୍ରଜାଲ ତିଆରି କରେ। ରାଗରାଗିଣୀ ମଧ୍ୟରେ ରାଗ ଖେମଟା, କଳାହଂସ କେଦାର, କାମୋଦୀ, ତୋଡି ପରଜ ଆଦି ଅନେକ ଶାସ୍ତ୍ରୀୟ ଧୁନ ମହୁରୀରେ ଉକୁଟି ଆସିଥାଏ।

ବଜନିଆମାନେ ଦେଗନସନ, ଡାଲ ଅନା, ଗନସନ, ଦୁର୍ଲାନଚା ଆଦି ସମୟରେ ବାଦ୍ୟ ବାଦନ କରିଥାନ୍ତି। ଏହାପରେ ଠିକ୍ ସମୟରେ ବର ବାହାରିଥାଏ। ସେହି ସମୟରେ ବଜନିଆମାନେ ବର ବାହାରା ବାଦ୍ୟ ବଜାଇଥାନ୍ତି। ବରଯାତ୍ରୀ ସହ ବଜନିଆମାନେ କନ୍ୟା ଘରକୁ ଯାଇଥାନ୍ତି। ତେବେ ହସ୍ତଲଗ୍ନ ସମୟରେ କନ୍ୟା ଘର ବଜନିଆମାନେ ବାଦ୍ୟନାଦ କରିଥାନ୍ତି। ଏଥିରେ ମଧ୍ୟ ବିଭିନ୍ନ ପାହାର ରହିଛି। ବିବାହର ପରଦିନ ଡମବଜା ବାଜି ବରକନ୍ୟାଙ୍କ ଗନସନ କରାଯାଏ। ଏହାପରେ ଅପରାହ୍ନ ସମୟରେ ଡାଲ ବହଲା ଏବଂ ପରିଶେଷରେ ସମରବିନ୍ଧା କରାଯାଇଥାଏ। ତେବେ ଏତିକିରେ ବଜନିଆ ମାନଙ୍କ କାମ ଶେଷ ହୋଇନଥାଏ। ସନ୍ଧ୍ୟାରେ ଲଜ୍ଜା ହୋମ ସମୟରେ ମଧ୍ୟ ଡମବଜା ବାଜିଥାଏ। ଏହାପରେ ବର/କନ୍ୟା ଘର ପକ୍ଷରୁ ବଜନିଆ ମାନଙ୍କୁ ପାରିତୋଷିକ ସହ ଚାଉଲ ଭାତିଆ ଦେଇ ବିଦା କରାଯାଇଥାଏ। ତିନି ଦିନ ଭିତରେ ସମସ୍ତଙ୍କ ପ୍ରିୟ ହୋଇ ସାରିଥିବା ବଜନିଆ ମାନଙ୍କୁ ବରଙ୍କ ପରିବାରବର୍ଗ ଓ ଗ୍ରାମବାସୀ ଦୁଃଖର ସହ ବିଦାୟ ଦେଇଥାନ୍ତି।

ଡମବଜା ପଶ୍ଚିମ ଓଡିଶାର ଜନଜୀବନ ସହ ଓତଃପ୍ରେତ ଭାବେ ଜଡିତ। ବିବାହ ସଂସ୍କାର ବ୍ୟତିରେକ ଦଶରା, ଚଇତ୍ରା ସମୟରେ ଦେବାଦେବୀ ପୀଠ ମାନଙ୍କରେ ଡମବଜା ବାଜିଥାଏ। ଦେବତା ଜାଣି ଡମବଜାର ପାହାରରେ ପରିବର୍ତ୍ତନ ହୋଇଥାଏ। ଦୁଆରସୁନୀ, କାଲିସୁନ୍ଦରୀ, ଦୁଲା, ଭୈରବ (ବାଲି ଭୈରବ, କଁଟା ଭୈରବ, ଅଗ୍ନି ଭୈରବ), ବାରମୁନି, ବୁଢାରଜା, ଡଙ୍ଗରବୁଢା, ପାହାଡେନ ଆଦି ଅସଂଖ୍ୟ ଦେବାଦେବୀଙ୍କ ପାହାର ଭିନ୍ନ ଭିନ୍ନ ହୋଇଥାଏ। ପୂର୍ବ ପୁରୁଷଙ୍କ ଠାରୁ ପରମ୍ପରା ଅନୁକ୍ରମେ ବଜନିଆମାନେ ଏହି ବାଦ୍ୟ ଆୟତ୍ତ କରିଥାନ୍ତି। ନିଜର ପ୍ରିୟ ପରିଜନଙ୍କ ମୃତ୍ୟୁ ସମୟରେ ମଧ୍ୟ ଗଣାର ଆବଶ୍ୟକତା ପଡିଥାଏ। ଶବ ଉଠିବା ସମୟ ଠାରୁ ଦାହ ସଂସ୍କାର ପର୍ଯ୍ୟନ୍ତ ନିସାନ ବାଜିଥାଏ। ଏକକ ନିସାନ ବାଜିଲେ ଆଖ ପାଖ ଗାଁର ଲୋକ ଜାଣିଥାନ୍ତି କିଏ ଜଣେ ପରଲୋକ ଗମନକଲେ। ନିସାନ ବାଦ୍ୟ ଶୁଣିଲାପରେ ଯିଏ ଯେଉଠି ଥାନ୍ତି ସେହିଠାରୁ ହିଁ ମୃତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥାନ୍ତି। ଏପରି ଭାବେ ଡମ୍ ବଜା ଜନଜୀବନର ଧାରା ସହ ପାଦଦେଇ ଆଗେଇ ଚାଲିଥାଏ।

ଡମ୍ ବଜା କେବଳ ଓଡିଶା କାହିଁକି ସମଗ୍ର ଭାରତର ସର୍ବଶ୍ରେଷ୍ଟ ପୁରାତନ ଲୋକ ସଂସ୍କୃତିର ଅଙ୍ଗ। ବାସ୍ତବରେ ଦେଖିଲେ ଲୋକବାଦ୍ୟ ଓ ଶାସ୍ତ୍ରୀୟ ବାଦ୍ୟ ବୋଲି ଭିନ୍ନଭିନ୍ନ ବାଦ୍ୟ ନଥାଏ। ମୂଳ ଲୋକବାଦ୍ୟକୁ ହିଁ ଶାସ୍ତ୍ରୀୟ ପଦ୍ଧତିର ଅନୁକୂଳ ରୂପେ ନିର୍ମାଣ ବା ତିଆରି କରାଯାଇଥାଏ। ଭରତମୁନିଙ୍କ ନାଟ୍ୟଶାସ୍ତ୍ର ଅନୁସାରେ ଭାରତୀୟ ସଙ୍ଗୀତ ପରମ୍ପରାରେ ଶାସ୍ତ୍ରୀୟ ଶୃଙ୍ଖଳାବଦ୍ଧ ପ୍ରଥମ ଅବନନ୍ଧ ବାଦ୍ୟ ପୁଷ୍କରର ନିର୍ମାଣ ପାଇଁ ପ୍ରଥମେ ସ୍ବାତୀ ମୁନି ପ୍ରେରଣା ପାଇଥିଲେ। ତାଙ୍କ ପୂର୍ବରୁ ଭାରତର ବନପଦ ଓ ଜନପଦରେ ଏକଶତ ପ୍ରକାର ଅବନନ୍ଧ ଲୋକବାଦ୍ୟ ରହିଥିଲା। ଲୋକବାଦ୍ୟ ଗୁଡିକର ଉତ୍ପତ୍ତି ଓ ବିକାଶ ଦିଗରେ ବିନ୍ଧ୍ୟପର୍ବତ ଶୃଙ୍ଖଳାର ଅମର କଣ୍ଟକ ଠାରୁ ରାମଗିରି ପର୍ଯ୍ୟନ୍ତ ପରିବ୍ୟାପ୍ତ ବିନ୍ଧ୍ୟ ମୌଳିକ ମେକଳ ପ୍ରାନ୍ତ, ମାଳବ, କୋଶଳ ଏବଂ କଳିଙ୍ଗ ଜନପଦ ପର୍ଯ୍ୟନ୍ତ ବିଶାଳ ଗିରିବନ ସଂକୁଳ ମାଳ ଅଞ୍ଚଳର ବିଶେଷ ଅବଦାନ ରହିଛି। ଏହି ବିଶାଳ ଅଞ୍ଚଳ ହେଉଛି ଦ୍ବିତୀୟ ଶତାବ୍ଦୀରେ ଟଲେମୀଙ୍କ ଭୁଗୋଳରେ ବର୍ଣ୍ଣିତ ବୃହତ୍ତର-ସବରାଇ କ୍ଷେତ୍ର। ଏହା ମଧ୍ୟରେ କୋଶଳ ଜନପଦର ସମଗ୍ର ଅଞ୍ଚଳ ରହିଛି। କୋଶଳ ମହାଜନପଦ ଅନ୍ତଃର୍ଗତ ବୃହତ୍ତର ତୈତଳିକ ଜନପଦ ସମେତ ଏକଦା ମହାକାନ୍ତାର ବୋଲାଉଥିବା କଳାହାଣ୍ଡି, କୋରାପୁଟର କେତେକାଂଶ ଓ କନ୍ଧମାଳ ଅଞ୍ଚଳରେ ସେ ସମୟରେ ଏକ ନିର୍ଦ୍ଧିଷ୍ଟ ବାଦ୍ୟ କଳାକାର ଗୋଷ୍ଟି ରହୁଥିଲେ। ତାଙ୍କୁ ଐତିହାସିକମାନେ “The Great Dom Caste” ର ସଭ୍ୟ ବୋଲି ଚିହ୍ନଟ କରିଛନ୍ତି।

ଡମ୍ ବଜା ବା ଗଣା ବଜା ପରି ଏକ ମହାନ ସଂସ୍କୃତିକୁ ବଞ୍ଚାଇ ରଖିଥିବା ଏହି ମହାନ ଜାତିକୁ ଅସୃୁଶ୍ୟ କରି ରଖାଯାଇଛି। ଏ ଜାତିର ଲୋକଙ୍କ ଅପେକ୍ଷା ସେମାନଙ୍କ ବାଦ୍ୟବୃନ୍ଦ ପ୍ରତି ଅସୃୁଷ୍ୟ ଭାବନା ଏହି ଲୋକ ନୃତ୍ୟଟିର ଅଧିକ କ୍ଷତି କରିଛି। ଡମ୍ ବଜା ନହେଲେ ବାହାଘର ସିଡିମ୍ କରେ, ଗ୍ରାମଦେବାଦେବୀ ଅସନ୍ଚୁଷ୍ଟ ହୁଅନ୍ତି ତେବେବି ଏହି ମହାନ ଲୋକନୃତ୍ୟର କଳାକାରମାନେ ସମାଜରେ ଅବହେଳିତ ଜୀବନ ନିର୍ବାହ କରନ୍ତି। ମଞ୍ଜି କଥା ହେଲା କଳାକାର ହେବାର ଗୌରବ ଏମାନଙ୍କୁ କେହି ଦିଅନ୍ତି ନାହିଁ।

ପଶ୍ଚିମ ଓଡ଼ିଶାର କଳା ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ ଡମ୍ ଜାତିର ଭୂମିକା ଅତୁଳନୀୟ। ପୂର୍ବେ ବାଦ୍ୟ ନୃତ୍ୟ ଗୁରୁର ଆସନରେ ବସିଥିବା ଡମ୍ ଜାତି ଆଜି ଅବହେଳିତ ଜୀବନ ଜାପନ କରୁଛନ୍ତି। ଅଶୃଷ୍ୟତାର ଅନ୍ଧ ଅର୍ଗଳିରେ ଆଜି ମଧ୍ୟ ଏହି ଜାତି ବନ୍ଧା ପଡ଼ିଛି। ଡମ୍, କନ୍ଧ, ଗଉଡର ମାଟିର ଛାତି ଉପରେ ଛିଡ଼ାହୋଇ ବହିରାଗତ ଲୋକମାନେ ଏହି ଜାତି ସମୁହକୁ ନ୍ୟୁନ କରିବାରେ ଲାଗିଲେ। ଯାହାର ଅଧିକ ପ୍ରଭାବ ପଡିଲା ଡମ୍ବ ଜାତି ଉପରେ। ହଜାର ହଜାର ଏକର ଜମିର ମାଳିକ ଡମ୍ବ ସଂପ୍ରଦାୟ ହାତରୁ ଚକ୍ରାନ୍ତ କରି ଭୁମି ଛଡାଇନେଲେ ବହିରାଗତ ଜାତି। ଏହାସହ ଏହି ମହାନ ଜାତିକୁ ଆଶୃଷ୍ୟ ବୋଲି ଘୋଷଣା କରି ବିଭିନ୍ନ ପାତର ଅନ୍ତରର ପ୍ରାଚୀର ସୃଷ୍ଟି କରାଗଲା। ଏହି ପ୍ରାଚୀର ଏତେ ଶକ୍ତ ଯେ, ଏକବିଂଶ ଶତାବ୍ଦୀରେ ମଧ୍ୟ ଏହା ସଂପୂର୍ଣ୍ଣ ଭାବେ ଭୁଷୁଡି ପାରିନାହିଁ। କଳା ସଂସ୍କୃତିରେ ରୁଦ୍ଧିମନ୍ତ ଡମ୍ବ ସଂପ୍ରଦାୟର ଦାୟାଦ ସମୟର କରାଳ ଗ୍ରାସରେ ନିଜର ଗାରିମାମୟ ଐତିହ୍ୟକୁ ଭୁଲିବାକୁ ବସିଛି। ସମୟର ପରିବର୍ତ୍ତନ ସହ ନିଶ୍ଚିହ୍ନ ହେବାକୁ ବସିଛି କୋଶଳାଞ୍ଚଳର ଅନେକ ପ୍ରାଚୀନ ଲୋକଗୀତ। ଏହାସହ ହଜିଯିବାକୁ ବସିଲାଣି ବଜାସାଲ୍। ପୂର୍ବେ ବଜା ବଜାଇ ପରିବାର ପ୍ରତିପୋଷଣ କରିବା ଡମ୍ ସଂପ୍ରଦାୟର କୈାଳିକ ବୃତ୍ତି ଥିଲା। ତେବେ ବର୍ତ୍ତମାନ ‘ଡମ୍ ବଜା’ କଳାକାର ଏଥିରେ ଜୀବନ ନିର୍ବାହ କରିବା ସହଜ ହୋଇପାରୁନାହିଁ। ଓଡ଼ିଶାର ଅନ୍ୟାନ୍ୟ କଳାକୁ ଯେଉଁପରି ପ୍ରୋତ୍ସାହନ ମିଳୁଛି ଡମ୍ ବଜାକୁ ସେହିପରି ପ୍ରୋତ୍ସାହନ ମିଳିପାରିନାହିଁ। ତେଣୁ ଏହି ମହାନ କଳା ଠାରୁ ମୁହଁ ଫେରାଇ ନେଉଛନ୍ତି ନୂତନ ପିଢି। ସମୟ ଏପରି ସ୍ଥିତିରେ ପହଞ୍ଚିଛି ଯେଉଁଠି କଳାର ପୁଝାରୀ ଦାଦନ ଯିବାକୁ ବାଧ୍ୟ ହେଉଛି। ତେଣୁ ଆମର ମହାନ କଳା ସଂସ୍କୃତିର ସଂରକ୍ଷଣ ସହ ଡମ୍ବ ଜାତିର ପୁନଃରୁତ୍ଥାନ ଦିଗରେ ଆମେ ସମସ୍ତେ ସଚେତନ ହେବା ଜରୁରୀ ହୋଇପଡିଛି। ଏହାସହ ରାଜ୍ୟ ସରକାର ‘ଡମ୍ ବଜା’ କୁ ‘ଆଦି ବାଦ୍ୟ’ ର ମାନ୍ୟତା ଦେବା ଉଚିତ। କାରଣ ଏହି ମାଟିରୁ ଉଦ୍ଭବ ହୋଇ ଅନେକ ଘାତ ପ୍ରତିଘାତ ଦେଇ ହଜାର ହଜାର ବର୍ଷ ଧରି ଏହା ନିଜର ବିଜୟଧ୍ବଜା ଉଡାଇ ଚାଲିଛି। ଆଦି ସଂସ୍କୃତିର ଅପୂର୍ବ ମୁର୍ଛନା ‘ଗଣାବଜା’ ବା ‘ଡମ୍ ବଜା’କୁ ଆଜି ପର୍ଯ୍ୟନ୍ତ ହୃଦୟର ସ୍ପନ୍ଦନ ସଦୃଷ୍ୟ ବଞ୍ଚାଇ ରଖିଥିବା ଡମ୍ ଜାତିକୁ ପ୍ରଣାମ।

✍🏾ସୁନୀଲ କୁମାର ଧଙ୍ଗଡାମାଝୀ

ସଂପାଦକ, ‘ଓଡ଼ିଆ ବାର୍ତ୍ତା’
Email: odiabarta.in@gmail.com
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.