ପଶ୍ଚିମ ଓଡିଶାର ଦଣ୍ଡ ନୃତ୍ୟ: ଉତ୍ପତ୍ତି କଥନ, ଇତିହାସ ଓ ସାଂସ୍କୃତିକ ଧାରା

ସନାତନ ସଂସ୍କୃତିର ୪ଟି ଦଣ୍ତ ମଧ୍ୟରୁ ଶିବଦଣ୍ତ ଅନ୍ୟତମ। ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ଲୋକସଂସ୍କୃତି ‘ବାରମାସୀ ଦଣ୍ତ ନୃତ୍ୟ’, ଦଣ୍ଡ୍ ନାଟ୍ ବା ‘ଡଁଣ୍ ନାଟ୍’ ଶିବଦଣ୍ତ ଅନ୍ତର୍ଗତ। ବାର ଭାଇ ବାର ଭୋକ୍ତା ପ୍ରଥମେ ଦଣ୍ଡ ନୃତ୍ୟ ଆରମ୍ଭ କରିଥିବା ଲୋକଶୃତିରୁ ଜଣାପଡେ। ପ୍ରାଚୀନ ସାସ୍କୃତିକ ଧାରାରେ ପ୍ରଥମେ ଶିବ ପାର୍ବତୀ ବାହାରି ଝାମୁଯାତ୍ରା ଚରିତ ବୁଝାଇବା ପରେ ରାଧା କୃଷ୍ଣ ଲିଳା ଆରମ୍ଭ ହେଉଥିଲା। କିନ୍ତୁ ବର୍ତମାନ ଏଥିରେ ସାମାନ୍ୟ ବ୍ୟତିକ୍ରମ ହୋଇ ଶିବ ପାର୍ବତିଙ୍କ ଅଭିନୟକୁ ବାଦ ଦିଆଯାଇଛି। ତେବେ ପ୍ରଥମେ ଢ଼ୁଲିଆ ବାଦ୍ୟ ମାଧ୍ୟମରେ କାଲିସୁନ୍ଦରୀ, ଜାଡେନ, ଦୂଆରସୁନୀ, ବୁଢାରଜା, ଡଙ୍ଗରବୁଢା, ବସ୍ତରେନ ସହ ଅଭିଚାର ତନ୍ତ୍ରର ଅନେକ ଦେବାଦେବୀ, ପଞ୍ଚ ଦେବାଦେବୀ ଓ ଗ୍ରାମ ଦେବତୀଙ୍କୁ ଆବାହନ କରିଥାଏ। ଏସବୁ ପ୍ରାଚୀନ ଧାରା ଅନୁସାରେ ପର୍ଯ୍ୟାୟ କ୍ରମେ ଅନୁଶୃତ ହୋଇଥାଏ। ଷୋହଲ ଭର୍ନି ବାଦ୍ୟର ଶକ୍ତ ଶୃଙ୍ଖଳ ମଧ୍ୟରେ ପରିବେଷିତ ଏହି ଦଣ୍ଡ ନୃତ୍ୟରେ ଢ଼ୁଲିଆ ମୂଖ୍ୟ ଭୂମିକା ନିର୍ବାହ କରିଥାଏ। ଏଥିରେ ରାଧା, କୃଷ୍ଣ, ଦୂତିକା, ବାଣୀ(କୁଟିଲା), ଚନ୍ଦ୍ରସେଣା ଆଦି ଚରିତ୍ର ଅଭିନୟ କରିଥାନ୍ତି। ହରିବଂଶ ଓ ଅନ୍ୟାନ୍ୟ ଶାସ୍ତ୍ରକୁ ମାଧ୍ୟମ କରି ଏହା ଅଭିନିତ ହୋଇଥାଏ। ଏହାର ପଦ ସବୁ ଉଭୟ କୋଶଳୀ ଓ ଓଡିଆରେ ରଚନା କରାଯାଇଥାଏ। ଦଣ୍ତ ନୃତ୍ୟ ମାଧ୍ୟମରେ ଦର୍ଶକ ରାଧା କୃଷ୍ଣକଂ ଅପୂର୍ବ ସାସ୍ବତ ପ୍ରେମ କାହାଣୀ ଓ ଯଦୁବଂଶ ଚରିତ ଶ୍ରବଣ କରିବା ସହ ପ୍ରାଚିନ ସଂସ୍କୃତି ଓ ପରମ୍ପରା ବିଷୟରେ ଜ୍ଞାନ ଆହାରଣ କରିଥାନ୍ତି। ବାରମାସୀ ଦଣ୍ଡନୃତ୍ୟ ଯାଦବ ସଂସ୍କୃତିର ଅନେକ ଦିଗକୁ ଦର୍ଶାଇ ଥାଏ। ଏହା ମୂଖ୍ୟତଃ ହରିବଂଶ ମହାପୁରାଣର କଥାବସ୍ତୁକୁ ନେଇ ଗତିଶିଳ ହୋଇଥାଏ। ଏହା ସହ ଅନ୍ୟାନ୍ୟ ପୁରାଣ, ଉପ-ପୁରାଣର କଥା କେତେକାଂଶରେ ବର୍ଣନା କରାଯାଇଥାଏ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ, ବାଲ୍ୟକାଳ ବର୍ଣ୍ଣନା, ଗୋପୀ ଗୋପାଳ ଜନ୍ମ, ଗୋ ମହାତ୍ମ୍ୟ, ରାଧା ଜନ୍ମ, ଚନ୍ଦ୍ରସେଣା, ଦୂତୀକା, କୁଟିଲାଙ୍କ ଜନ୍ମ, ଗୋପାଳଙ୍କ ଧର୍ମକର୍ମ ଆଦି ବିଭିନ୍ନ ବିଷୟରେ ଏହି ନାଟ ଶ୍ରୋତା ଓ ଦର୍ଶକଙ୍କୁ ସହଜ ସରଳ ଭାଷା ମାଧ୍ୟମରେ ଜଣାଇବାକୁ ସକ୍ଷମ ହୋଇଥାଏ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଡଁଣ୍ ନାଟ୍ ରେ ବ୍ୟବହୃତ ହେଉଥିବା ବାଦ୍ୟ ବୃନ୍ଦ ମଧ୍ୟରେ ରହିଛି ଢ଼ୋଲ୍, ନିସାନ୍, ତସା, ତାଲ୍, ମୃଦଙ୍ଗ ଓ ବଇଁଶୀ। ମୃଦଙ୍ଗ ଓ ବଇଁଶୀକୁ ଛାଡିଦେଲେ ବାକିସବୁ ବାଦ୍ୟ ଡମ୍ ବଜା ବା ଗଣାବଜାରୁ ଆନିତ। ତେବେ କୋଶଳାଞ୍ଚଳରେ ପ୍ରଚଳିତ ସୂଷୀର ବାଦ୍ୟ ମାନଙ୍କ ମଧ୍ୟରେ ମୁହୁରୀ, ବଂଶୀ, ବାଂଶ (ଭାଲୁ ବଏଁଶୀ), ବୀରକାହାଳୀ, ବିନ୍, ନାଗଧୁନୀ, ଫୁକାଟିମୁର୍ଲି ଆଦି ପ୍ରଧାନ। ମୁହୁରୀ ପରି ବଂଶୀରେ ସବୁ ପ୍ରକାର ମଧୁର ସ୍ବର ଉତ୍ପନ୍ନ କରିବା ସାମର୍ଥ ରହିଛି। ତେଣୁ ଦଣ୍ଡ ନୃତ୍ୟରେ ପ୍ରମୁଖ ବାଦ୍ୟ ଢୋଲ ସହ ସୂଷୀର ବାଦ୍ୟ ବଂଶୀର ପ୍ରୟୋଗ ଦେଖାଯାଏ। ସାଂସ୍କୃତିକ ଧାରାର ଋପାନ୍ତରିତ କ୍ରମେ ଏହି ବାଦ୍ୟବୃନ୍ଦ ବାରମାସୀ ଦଣ୍ଡନୃତ୍ୟ ବା ଡଁଣ୍ ନାଟ୍ ରେ ସାମିଲ ହୋଇଛି। ବିବାହ ସଂସ୍କାର ଓ ଲୋକ ଅନୁଷ୍ଠାନ ମାନଙ୍କରେ ଡମ୍ କଳାକାର ମାନଙ୍କ ଦ୍ବାରା ପରିବେଷିତ ହେଉଥିବା ଗଣା ବଜା ପରବର୍ତ୍ତୀ ସମୟରେ ଡଁଣ୍ ନାଟ୍ ର ପ୍ରସାର କରାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲା। ଢୋଲ, ନିସାନ୍, ତସା, ତାଲ୍ ବିନା ଦଣ୍ଡ ନୃତ୍ୟର କଳ୍ପନା ମଧ୍ୟ କରାଯାଇନପାରେ। ଦଣ୍ଡ ନୃତ୍ୟରେ ପୂର୍ବରୁ କେବଳ ଡମ୍ କଳାକାରମାନେ ବାଦ୍ୟ ପରିବେଷଣ କରୁଥିବାବେଳେ ସମୟକ୍ରମେ ଅନ୍ୟାନ୍ୟ ଜାତିର କଳାକାରମାନେ ଏହାକୁ ଆପଣେଇ ନେଇଥିଲେ। ଯଦ୍ୱାରା ଡମ୍ କଳାକାରଙ୍କ ବହୁତ କ୍ଷତି ହେଲା। ସେମାନେ କେବଳ ଡମ୍ ବଜା ମଧ୍ୟରେ ସୀମିତ ହୋଇ ରହିଗଲେ। ଅନ୍ୟାନ୍ୟ ଜାତିର ଲୋକେ ଦଣ୍ଡ ନୃତ୍ୟରେ ବାଦ୍ୟ ପରିବେଷଣ କରିବା ଫଳରେ ପ୍ରକୃତ ଡମ୍ କଳାକାର ନିଜର ଜିବୀକା ହରାଇଲେ। କେତେକ ଆଲୋଚକ କୁହନ୍ତି, ବାଜା ବଜାଇବା ଯୋଗୁଁ ଯଦି ଡମ୍ ଜାତି ଅସୃଷ୍ୟ ହୋଇ ରହିଥିଲା ତେବେ କଥା କଥିତ ଉଚ୍ଚ ଜାତିର ଲୋକେ ସେହି ବାଦ୍ୟବୃନ୍ଦକୁ କାହିଁକି ଡଁଣ୍ ନାଟ୍ ସହ ଅନ୍ୟାନ୍ୟ ଲୋକନୃତ୍ଯରେ ବାଦନ କରୁଥିଲେ ? ଏହାର ପ୍ରକୃତ ଅଭିସନ୍ଧି କ’ଣ ହୋଇପାରେ? ତେବେ ସେ ଯାହାହେଉ ସମୟର ନିଷ୍ଠୁର ପଟ୍ଟ ପରିବର୍ତ୍ତନ ସହ ଦଣ୍ଡ ନୃତ୍ୟରେ ଡମ୍ କଳାକାରମାନଙ୍କ ଭୂମିକା ନଗଣ୍ୟ ହୋଇଗଲା। ଏହା କେମିତି ଓ କାହିଁକି ହେଲା ତାହା ବର୍ତମାନ ସୁଦ୍ଧା ରହସ୍ୟାବୃତ୍ତ ହୋଇ ରହିଛି।

Udyog Nursery
Udyogi Nursery

କୋଶଳ ମହାଜନପଦ ଅନ୍ତଃର୍ଗତ ବୃହତ୍ତର ତୈତଳକ ଜନପଦ ସମେତ ଏକଦା ମହାକାନ୍ତାର ବୋଲାଉଥିବା କଳାହାଣ୍ଡି, କୋରାପୁଟ କେତେକାଂଶ ଓ କନ୍ଧମାଳ ଅଞ୍ଚଳରେ ସେ ସମୟରେ ଏକ ନିର୍ଦ୍ଦିଷ୍ଟ ବାଦ୍ୟ କଳାକାର ଗୋଷ୍ଠୀ ରହୁଥିଲେ। ଏମାନେ ବାଦ୍ୟ ବାଦନ ଓ ବାଦ୍ୟ ନିର୍ମାଣ କଳାରେ ସାରା ଭାରତବର୍ଷରେ ବିକ୍ଷାତ ଥିଲେ। ୭ମ/୮ମ ଶତାବ୍ଦୀରେ ମହାରାଜ ବଏରାମ ଗଉରଙ୍କ ରାଜତ୍ଵ ସମୟରେ ପାରସ୍ୟ ସମ୍ରାଟଙ୍କ ନିମନ୍ତ୍ରଣ କ୍ରମେ ଏହି ବଜନିଆ ଗୋଷ୍ଠୀରୁ ପ୍ରାୟ ୧୨,୦୦୦ (ବାର ହଜାର) ବାଦ୍ୟ ଶିଳ୍ପୀ ସଂଗୀତ ଶିକ୍ଷା ଦେବାକୁ ପାରସ୍ୟ ଯାଇଥିଲେ। ଏହି କଳାକାରମାନଙ୍କୁ ‘The Great Dom Caste’ର ସଭ୍ୟ ଭାବେ ଏ୍ୟୖତିହାସିକ ମାନେ ଚିହ୍ନଟ କରିଛନ୍ତି। ହଜାର ହଜାର ବର୍ଷ ପୂର୍ବରୁ ରହି ଆସିଥିବା ଦଣ୍ଡ ନୃତ୍ୟ ଏହାର ପରବର୍ତ୍ତୀ ସମୟରେ ଜନ ସାଧାରଣଙ୍କ ଦ୍ବାରା ଆଦୃତ ହୋଇ ବିକାଶ ଲାଭ କରି ଲୋକନୃତ୍ୟରେ ଋପାନ୍ତରିତ ହୋଇଛି। ଇତିହାସରୁ ଜଣାଯାଏଯେ, ମଧ୍ୟଯୁଗରେ ଶୈବ ଓ ବୈଷ୍ଣବ ଧର୍ମ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଥିଲା। ଜଗଦ୍ ଗୁରୁ ଶଙ୍କରାଚାର୍ଯ୍ୟ ଓ ଅନ୍ୟାନ୍ୟ ସନ୍ଥମାନେ ସନାତନ ଧର୍ମଧାରାର ଏହି ଦୁଇ ଶାଖାର ବିବାଦର ଅନ୍ତ ଘଟାଇ ଅପୂର୍ବ ସମନ୍ବୟ ରକ୍ଷା କରିବାରେ ସମର୍ଥ ହୋଇଥିଲେ। ସେହି ସମୟରେ ଏହି ଦଣ୍ତନୃତ୍ୟ ଶୈବ ଓ ବୈଷ୍ଣବ ଧର୍ମର ଏକକ ପ୍ରଚାରକ ଭାବେ ପଶ୍ଚିମ ଓଡିଶା ଓ ବସ୍ତର୍ ଅଞ୍ଚଳରେ ବିଶେଷ ଜନାଦୃତି ଲାଭ କରିପାରିଥିଲା। ଏଥିରେ ଡମ୍ ଓ ଗଉଡ (ଯାଦବ) ଜାତିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା।

ଖ୍ରୀ:ପୂ: ୨୬୧ରେ କଳିଙ୍ଗ ଯୁଦ୍ଧରେ ଯୋଗ ଦେବାକୁ ମଗଧରୁ ଯଦୁବଂଶୀମାନେ କଳିଙ୍ଗକୁ ଆସିଥିଲେ ପରବର୍ତ୍ତୀ ସମୟରେ ସେମାନେ ଆଟବିକ ବିଦ୍ୟାଧର ରାଜ୍ୟ ଓ କୋଶଳକୁ ଆସି ବସତି ସ୍ଥାପନ କରିଥିଲେ। ଏମାନେ ଲୋକ ମୁଖରେ ମଗଧା ଗଉଡ ବା ମଗଧା ଯାଦବ ନାମରେ ଖ୍ୟାତ ହେଲେ। ମଗଧରୁ ଆସିଥିବା ଏହି ମଗଧା ଗୋଷ୍ଠୀଙ୍କ ସହ ଆଟବିକମାନଙ୍କ ପାଇଁ ସମ୍ରାଟ ଅଶୋକ ଏକ ସ୍ବତନ୍ତ୍ର ଅନୁସାଶନ ପ୍ରଣୟନ କରିଥିଲେ, ଯାହା ଜଉଗଡ ଶିଳାଲେଖରୁ ସ୍ପଷ୍ଟ ହୋଇଥାଏ। ଏହି ଅଞ୍ଚଳରେ ପୂର୍ବରୁ ଆଦିବାସୀ କନ୍ଧ, ଗଣ୍ଡ, ଶବର ଆଦିଙ୍କ ସହ ଡମ୍ବମାନେ ବସବାସ କରୁଥିଲେ। ଏହାପରେ ଏଠାରେ ମଗଧା ଯାଦବମାନେ ବସତି ସ୍ଥାପନ କଲେ। ମହା କୋଶଳର ଅନେକ ଲୋକସଂସ୍କୃତିର ପୃଷ୍ଠପୋଷକ ଆଦିବାସୀ ହୋଇଥିବାବେଳେ ଡମ୍ବ ଜାତି ବାଦ୍ୟକାର ଓ ଯାଦବମାନେ ସଂସ୍କୃତିର ବାହକ ଭାବେ କାର୍ଯ୍ୟ କରୁଥିବା ଅନେକ ଅନୁଶିଳନରୁ ସ୍ପଷ୍ଟ ହୋଇଥାଏ। ବାରମାସୀ ଦଣ୍ତ ନୃତ୍ୟରେ ପୂର୍ବରୁ ଗଉଡମାନେ କଳା ପ୍ରଦର୍ଶନ କରୁଥିବାବେଳେ ଡମ୍ବମାନେ ବାଦ୍ୟ ପରିବେଷଣ କରୁଥିଲେ। ଏହି ଦୁଇ ସଂପ୍ରଦାୟର ଉଦ୍ୟମକ୍ରମେ ଏହି ନୃତ୍ୟ ପ୍ରାଚୀନ ମହାକୋଶଳ ସମେତ ପଡୋଶୀ ରାଜ୍ୟମାନଙ୍କୁ ପରିବ୍ୟାପ୍ତ ହୋଇ ପାରିଥିଲା। ଏହା ଶୈବ ଓ ବୈଷ୍ଣବ ଧର୍ମ ମଧ୍ୟରେ ଅପୂର୍ବ ସମନ୍ବୟ ସୃଷ୍ଟି କରିପାରିଥିଲା। ଶହ ଶହ ବର୍ଷପରେ ଦଣ୍ଡ ନୃତ୍ୟକୁ ଅନ୍ୟାନ୍ୟ ଜାତିର ଲୋକେ ଆପଣେଇ ନେଲେ ଏବଂ ଏଥିରୁ ଡମ୍ ଓ ଯାଦବମାନେ ଧିରେଧିରେ ଅପସରିତ ହୋଇଗଲେ। ତେବେ ଡଁଣ୍ ନାଟ୍ ରେ ଆଜି ମଧ୍ୟ ଷୋହଲ ଭର୍ଣ୍ଣି ବାଦ୍ୟ ରହିଛି, ଯାହା ଏହି ମହାନ ସଂସ୍କୃତିରେ ଡମ୍ ଜାତିର ଭୂମିକାକୁ ମନେ ପକାଇଦିଏ। ସେହିପରି ଦଣ୍ଡ ନୃତ୍ୟ ଯାଦବ ସଂସ୍କୃତିର ପ୍ରତ୍ୟେକ ଦିଗକୁ ଦର୍ଶାଇଥାଏ। ରାଧାକୃଷ୍ଣଙ୍କ ଠାରୁ ଆରମ୍ଭକରି ଯଦୁ ବଂଶର ବର୍ଣ୍ଣନା ଏହି ଲୋକନୃତ୍ୟର ଛତ୍ରେ ଛତ୍ରେ ପରିଲକ୍ଷିତ ହୋଇଥାଏ। ଯାହା ଅତିତର ଗୈାରବ ଗାଥାକୁ ମନେ ପକାଇ ଦେଇଥାଏ। ତେବେ ସେ ଯାହାହେଉ ବର୍ତ୍ତମାନର ସମୟରେ ଦଣ୍ଡ ନୃତ୍ୟ ଆଉ କୈାଣସି ଜାତି ବା ସଂପ୍ରଦାୟ ମଧ୍ୟରେ ସୀମିତ ନରହି ଲୋକ ନୃତ୍ୟ ବା ଲୋକ ନାଟକର ରୂପ ନେଇଛି। ବାରମାସୀ ଦଣ୍ତ ନୃତ୍ୟ ପଶ୍ଚିମ ଓଡିଶାର ଏକ ପ୍ରସିଦ୍ଧ ଲୋକସଂସ୍କୃତି ଏଥିରେ ଦ୍ବିମତ ନାହିଁ। ବର୍ତମାନ ଏହାକୁ ବିଶ୍ବ ସ୍ଥରରେ ପହଞ୍ଚାଇବାକୁ ସମୟ ଆମକୁ ଆହ୍ବାନ କରୁଛି। ଏଥି ପାଇଁ ପ୍ରଶାସନ, ସରକାର, କଳାକାର, ସାସ୍କୃତିକ ଅନୁଷ୍ଠାନ, କଳାପ୍ରେମୀ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବଦାନ୍ୟବ୍ୟକ୍ତି, ଜନସାଧାରଣ ଓ ଗବେଷକ ମାନେ ଆଗେଇ ଆସି ଏହି ମହାନ ସଂସ୍କୃତିକୁ ଦେଶ ବିଦେଶରେ ପହଞ୍ଚାଇବା ଜରୁରି ହୋଇପଡିଛି।

✍🏾ସୁନୀଲ କୁମାର ଧଙ୍ଗଡାମାଝୀ
ସଂପାଦକ, ଓଡ଼ିଆ ବାର୍ତ୍ତା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.