ଲାଞ୍ଜିଗଡ ବ୍ଲକରେ ମିଲେଟ୍ ମିଶନ ଫେଲ୍‌: ପ୍ରତିଶୃତି ଦେଇ ମଣ୍ଡି ଖୋଲିଲେ, ଚାଷୀଙ୍କୁ ଭୁଲିଗଲେ

ମଣ୍ଡିରେ ପଡିଛି ୩୦୦ କ୍ୱିଣ୍ଟାଲ ମାଣ୍ଡିଆ, ହତାଶ ଚାଷୀ

ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି ପ୍ରଶାସନ ଓ ସ୍ବେଚ୍ଛାସେବୀ ସଂସ୍ଥା!

କଳାହାଣ୍ଡି/ଲାଞ୍ଜିଗଡ: ଦଲାଲ ହାତରେ ଆଉ ଶୋଷିତ ହେବେ ନାହିଁ ଚାଷୀ। ନିଜ କଷ୍ଟ ଉପାର୍ଜିତ ଶସ୍ୟର ଉପଯୁକ୍ତ ମୂଲ୍ୟ ପାଇବେ। ଚାଷ କରି ନିଜର ଉତ୍ପାଦିତ ଦ୍ରବ୍ୟର ସିଧାସଳଖ ବଜାର ବ୍ୟବସ୍ଥା ସହିତ ଦଲାଲ ଓ ମଧ୍ୟସ୍ଥି ଉଚ୍ଛେଦ ପାଇଁ ସରକାର ନେଇଥିଲେ ଚରମ ପଦକ୍ଷେପ। କଳାହାଣ୍ଡି ଜିଲ୍ଲାର ଆଦିବାସୀ ବହୁଳ ଲାଞ୍ଜିଗଡ ବ୍ଲକର ଚାଷୀମାନଙ୍କ ପାରମ୍ପରିକ ମାଣ୍ଡିଆ ଚାଷ କରି ଚାଷୀମାନେ ପ୍ରତ୍ୟକ୍ଷ ଭାବେ ଲାଭ ପାଇପାରିବେ ବୋଲି ବ୍ଲକର ପ୍ରଥମ ମାଣ୍ଡିଆ ମଣ୍ଡି ଉଦ୍‌ଘାଟନ ପରେ ଏହି ନୂତନ ଆଶା ସଂଚାର ହୋଇପାରିଛି ବୋଲି ବିଜେପୁର ଗ୍ରାମପଞ୍ଚାୟତ କରନମୁଣ୍ଡାଠାରେ ବ୍ଲକର ପ୍ରଥମ ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ କରି ଅତିଥିମାନେ ଏହି ମତବ୍ୟକ୍ତ କରିଥିଲେ। ମାଣ୍ଡିଆ ମଣ୍ଡି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଆତ୍ମାର ଅଧ୍ୟକ୍ଷ ବିରାଜ ପନ୍ଦର ଯୋଗଦେଇ ମଣ୍ଡିର ଉଦ୍‌ଘାଟନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ବ୍ଲକ କୃଷି ଅଧିକାରୀ ଚନ୍ଦ୍ରମୋହନ ଚାନ୍ଦ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ କୃଷି ଅଧିକାରୀ ହିରଣ୍ୟ ବାରିକ, ଟିଡିସିସିର ବ୍ରାଞ୍ଚ ମ୍ୟାନେଜର ନବଘନ ପ୍ରଧାନ, ୱାସନ ସ୍ୱେଚ୍ଛାସେବୀ ସଂସ୍ଥାର ଜିଲ୍ଲା ମୁଖ୍ୟ ଜିତୁ ନାଏକ, ଦେବାଶିଷ ସାହୁ, ଓଡିଶା ମିଲେଟ ମିଶନର ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣେନ୍ଦୁ ପଣ୍ଡା, ପ୍ରକଳ୍ପ ପରିଚାଳକ ସୁବାସ ନାଏକ, ବିଜେପୁର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ ପ୍ରମୁଖ ଯୋଗଦେଇଥିଲେ। ଓଡିଶା ମିଲେଟ ମିଶନକୁ କାର୍ଯ୍ୟକାରୀ କରୁଥିବା ଜନସାହାଯ୍ୟ ସ୍ୱେଚ୍ଛାସେବୀ ସଂସ୍ଥାର ମୁଖ୍ୟ ସୀତା ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ସିଆର୍‌ପି ନିରାକାର ବାଗ ପରିଚାଳନା କରିଥିଲେ।


ତେବେ ଜାନୁୟାରୀ ମାସର ଛଅ ତାରିଖରେ ବହୁ ଆଶା ଦେଖାଇ ଖୋଲିଥିବା ମଣ୍ଡିରେ ବ୍ଲକର ଶହଶହ ଚାଷୀ ନିଜ ଦ୍ୱାରା ଉତ୍ପାଦିତ ମାଣ୍ଡିଆ ନେଇଥିଲେ। ତେବେ ମାତ୍ର ମାସକ ଚାଲିବା ପରେ ମାର୍ଚ୍ଚ ମାସରୁ ମଣ୍ଡି ବନ୍ଦ ରହିଛି। ଅପରପକ୍ଷରେ ବିଜେପୁରସ୍ଥିତ କରନମୁଣ୍ଡା ମଣ୍ଡିରେ ଏବେ ଦୁଇମାସ ହେଲା ୨୫୦ କ୍ୱିଣ୍ଟାଲ ମାଣ୍ଡିଆ ପଡି ରହି ନଷ୍ଟ ହେଉଥିବାବେଳେ କାନକୁଟ୍ରୁ ଗ୍ରାମପଞ୍ଚାୟତରେ ମଧ୍ୟ ପ୍ରାୟ ଦୁଇଶହ କ୍ୱିଣ୍ଟାଲ ମାଣ୍ଡିଆ ବିକ୍ରି ହୋଇନପାରି ପଡିରହିଛି। ସରକାରୀ ଦରରେ ଦୁଇ ପଇସା ପାଇବା ଆଶାରେ ଘାଟି ଅଞ୍ଚଳର ଚାଷୀମାନେ ମଣ୍ଡିରେ ମାଣ୍ଡିଆ ଦେଇଥିଲେ। ତେବେ ଦୀର୍ଘ ଦୁଇମାସ ହେଲା ଖୋଲା ଆକାଶ ତଳେ ଚାଷୀଙ୍କ ମାଣ୍ଡିଆ ପଡିରହି ବର୍ଷା ଖରାରେ ନଷ୍ଟ ହେଉଥିବାବେଳେ ମିଲେଟ ମିଶନ ନାଁରେ ବାହାବା ନେଉଥିବା କୃଷି ବିଭାଗ, ଟିଡିସିସି ତଥା ସ୍ୱେଚ୍ଛାସେବୀ ସଂସ୍ଥା ୱାସନ ଓ ଜନସାହାଯ୍ୟର କର୍ମକର୍ତ୍ତା ଏବେ ନିରବଦ୍ରଷ୍ଟା ସାଜିଛନ୍ତି। ଯାହାଫଳରେ ଚାଷୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ମଣ୍ଡିରେ ପଡିଥିବା ମାଣ୍ଡିଆ ଉଠାଇବାକୁ ଚାଷୀ ମହଲରେ ଦାବି ହେଉଛି। ନଚେତ୍ ଆଗାମୀ ଦିନରେ ଏକ ବିରାଟ ଚାଷୀ ଆନ୍ଦୋଳନକୁ ଏଡାଇ ଦିଆଯାଇ ନପାରେ ବୋଲି ଅଞ୍ଚଳରେ ଆଲୋଚନା ହେଉଛି। ଏ ସଂପର୍କରେ ବ୍ଲକ କୃଷି ଅଧିକାରୀ ଚନ୍ଦ୍ରମୋହନ ଚାନ୍ଦ ମତ ଦେବାକୁ ଯାଇ କହିଛନ୍ତି ଯେ, ଯେଉଁ ଚାଷୀଙ୍କ ମାଣ୍ଡିଆ ଅଛି ବୋଲି କୁହାଯାଉଛି, ହୁଏତ ସେମାନଙ୍କ ନାମ ପଞ୍ଜିକରଣ ହୋଇନଥିବ ନଚେତ୍ ଉପଯୁକ୍ତ ଗୁଣବତ୍ତା ମାଣ୍ଡିଆ ହୋଇନଥିବାରୁ ଫେରାଇ ଦିଆଯାଇଥିବ ବୋଲି ସେ କହିଛନ୍ତି। ଏହାସହିତ ମାର୍ଚ୍ଚ ୧ ତାରିଖ ସୁଦ୍ଧା ସମସ୍ତ ପଞ୍ଜିକୃତ ଚାଷୀଙ୍କଠାରୁ ମାଣ୍ଡିଆ କିଣା ସରିବା ପରେ ମଣ୍ଡି ବନ୍ଦ ହୋଇଥିଲା ବୋଲି ସେ କହିଛନ୍ତି। ଚାଷୀମାନେ କିନ୍ତୁ ତାଙ୍କ ମନ୍ତବ୍ୟରେ ସନ୍ତୁଷ୍ଟ ହୋଇନାହାନ୍ତି। ମଣ୍ଡି ଖୋଲି ସେମାନଙ୍କୁ ପ୍ରଶାସନ ଓ ସ୍ୱେଚ୍ଛାସେବୀ ସଂସ୍ଥା ଭୁଆଁ ବୁଲାଉଥିବା ସେମାନେ ଅଭିଯୋଗ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.