ଭୁବନେଶ୍ଵର: କରୋନା ମହାମାରୀ ମୁକାବିଲାରେ ସରକାର ଚରମ ବିଫଳତା ପ୍ରଦର୍ଶନ କରିଵା ଫଳରେ ସମଗ୍ର ଦେଶର ସାମାଜିକ ଅର୍ଥନୈତିକ ବ୍ୟବସ୍ଥା ଭୁଷୁଡି ପଡିଲା। ଏଥିରୁ ମୁକୁଳିବା ପାଇଁ ଶିଳ୍ପ, କଳ, କାରଖାନା, ନିର୍ମାଣ କାର୍ଯ୍ଯ, ବ୍ୟବସାୟ, ବାଣିଜ୍ଯ ଓ କୃଷି କ୍ଷେତ୍ରରେ କୋଭିଡ୍ ସୁରକ୍ଷା ସହ ଚାଲୁ କରିବାରୁ ଅର୍ଥନୀତି ୨୦୨୦ରେ -୨୩.୮% ରୁ ସୁଧୁରି -୭.୬% ରେ ପହଞ୍ଚିଛି। ମାତ୍ର ସାମାଜିକ ବ୍ୟବସ୍ଥାକୁ ଆଗକୁ ନେବାର ଏକମାତ୍ର ରାସ୍ତା ଶିକ୍ଷା ବ୍ୟବସ୍ଥାକୁ ସରକାର ଗତ ୨୦୨୦ମସିହା ମାର୍ଚ୍ଚ ୧୩ ତାରିଖରୁ ବନ୍ଦ କରି ଦେଇଛନ୍ତି। ପୁଣି ୨୦୨୦ ଜୁଲାଇରେ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷାବିତ୍ ଓ ଅଭିଭାବକଙ୍କ ମତ ନ ନେଇ ଅବହେଳିତ ବର୍ଗଙ୍କୁ ଶିକ୍ଷାରୁ ବଞ୍ଚିତ କରିବା ପାଇଁ ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରଣୟନ କରିଛନ୍ତି। ଏହାପରେ ୟୁଜିସି ପକ୍ଷରୁ ବ୍ଲେଣ୍ଡେଡ୍ ମୋଡ୍ ଅଫ୍ ଟିଚିଙ୍ଗ୍ ନାମରେ ପ୍ରାଥମିକ ଭାବେ ୪୦%ସିଲାଵସ ଅନଲାଇନ୍ ରେ ଓ ପରେ ଏହାକୁ ୮୦%କୁ ବୃଦ୍ଧି କରି ଶିକ୍ଷକ ଛାତ୍ର ଶିକ୍ଷା ଦାନ ଓ ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଶିକ୍ଷକଙ୍କ ଦ୍ୱାରା ଉତ୍ତର ଭଳି ଗୁଣାତ୍ମକ ବିଜ୍ଞାନ ସମ୍ମତ ଶିକ୍ଷା ବ୍ୟବସ୍ଥାକୁ ବନ୍ଦ କରି ପାଠ୍ୟକ୍ରମରୁ ଛାତ୍ରଛାତ୍ରୀ ନିଜେ ଅଧ୍ଯୟନ କରିବା ନିଷ୍ପତ୍ତି ଦ୍ୱାରା ସରକାର ଶିକ୍ଷାଦାନରୁ ଦାୟିତ୍ଵମୁକ୍ତ ହେବାର ଅପଚେଷ୍ଟା କରିଛନ୍ତି। ଏହି ପୃଷ୍ଠଭୁମିରେ ବିଶ୍ଵ ବିଦ୍ଯାଳୟ ଓ ମହା ବିଦ୍ଯାଳୟମାନଙ୍କରେ ଡିସେମ୍ଵର ୨୦୨୦ରୁ ଅନଲାଇନ ଶିକ୍ଷା ଓ ପରୀକ୍ଷାର୍ଥୀଙ୍କୁ ଶହେ ଦିନିଆ ଶିକ୍ଷାଦାନ କଥା କହିଥିଲେ ବି ୭୫ଦିନ ପରେ ବନ୍ଦ କରିଦିଆଗଲା।ରାଜ୍ୟରେ ଚଳିତ ଜୁନ ୨୧ରୁ ୟୁଟ୍ୟୁବ୍ ଭିଡିଓ ଜରିଆରେ ଶିକ୍ଷାଦାନର ପ୍ରହସନ ଆରମ୍ଭ କରାଯାଇଛି। ଏଥିରେ ଗ୍ରାମାଞ୍ଚଳରେ ଅନବରତ ବିଦ୍ଯୁତ୍ ଓ ଇଣ୍ଟର୍ଣ୍ଣେଟ୍ ସଂଯୋଗ ନଥିବା ଏପରିକି ଆର୍ଥିକ ଅବହେଳିତ ବର୍ଗ ପରିବାରରେ ସ୍ମାର୍ଟ ଫୋନ ଓ ଡାଟା କ୍ରୟ ପାଇଁ ଅର୍ଥ ନଥିବା ହେତୁ ୮୦%ରୁ ଅଧିକ ଛାତ୍ର ଛାତ୍ରୀ ଏହି ୟୁଟ୍ୟୁବ୍ ଶିକ୍ଷାଦାନରୁ ବଞ୍ଚିତ ହେଉଥିବା ବେଳେ ସହରାଞ୍ଚଳର ଆର୍ଥିକ ଦୁର୍ବଳ ବର୍ଗଙ୍କ ସ୍ମାର୍ଟ ଫୋନ୍, ଡାଟା ରିଚାର୍ଜ ଅଭାବରୁ ୫୦%ରୁ ୬୦% ଛାତ୍ର ଛାତ୍ରୀ ସରକାରଙ୍କ ନୂଆ ଭେଳିକି ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି। ଏହା ଧନୀ ଗରିବ ବିଭାଜନ ବା ଡିଜିଟାଲ ଡିଭାଇଡ୍ କରାଇ ସଂଖ୍ଯା ଗରିଷ୍ଠ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାରୁ ବଞ୍ଚିତ କଲାଣି। ଅପର ପକ୍ଷରେ ତେଲେଙ୍ଗାନା ସମେତ ଅନେକ ରାଜ୍ଯରେ ଶିକ୍ଷକଙ୍କ ଦ୍ଵାରା ଶ୍ରେଣୀ ଗୃହ ଶିକ୍ଷାଦାନ ଘୋଷଣା କରାଗଲାଣି। ପ୍ରଧାନମନ୍ତ୍ରୀଙ୍କ ସ୍ଵପ୍ନର ପ୍ରାସାଦ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ କାର୍ଯ୍ଯରେ ହଜାର ହଜାର ଶ୍ରମିକ, ବିଭିନ୍ନ ସ୍ମାର୍ଟ ସିଟିର ସର୍ବନାସୀ ନିର୍ମାଣ କାର୍ଯ୍ଯ ସମେତ ଶିଳ୍ପ, କଳ, କାରଖାନା, ବ୍ୟବସାୟ, ବାଣିଜ୍ଯ କୋଭିଡ୍ ସୁରକ୍ଷା ପାଳନ ସହ ସମ୍ଭବ ହେଉଛି, ମନ୍ତ୍ରୀ ତନ୍ତ୍ରୀ ମାନଙ୍କ ପରିଦର୍ଶନ ଭିଡ଼ ସମ୍ଭବ ହେଉଛି, ଏହା ବ୍ୟତୀତ ବିବାହ ଉତ୍ସବରେ ୨୫ଜଣ ଯୋଗଦେବାର ଅନୁମତି ଥିବା ବେଳେ ଶ୍ରେଣୀ ଗୃହରେ ୨୫ଜଣ ଛାତ୍ର ଛାତ୍ରୀ ଶାରିରୀକ ଦୂରତା ସହ କୋଭିଡ୍ ସୁରକ୍ଷାରେ ଶିକ୍ଷକମାନଙ୍କ ଦ୍ଵାରା ଶିକ୍ଷାଦାନକୁ ସରକାର କାହିଁକି ଗୁରୁତ୍ୱ ଦେଉନାହାନ୍ତି ? ଯଦି ଏ ବ୍ୟବସ୍ଥାରେ ସରକାର ଦାୟିତ୍ଵ ନ ନେଉଛନ୍ତି ତେବେ ସ୍କୁଲ୍ ରୁ ବିଶ୍ଵ ବିଦ୍ଯାଳୟ ପର୍ଯ୍ଯନ୍ତ ଅଧ୍ଯୟନରତ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଲାପଟପ୍, ସ୍ଵତନ୍ତ୍ର ନିରନ୍ତର ଇଣ୍ଟର୍ଣ୍ଣେଟ ପ୍ରଦାନ ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ରେ ଶିକ୍ଷକଙ୍କ ଦ୍ଵାରା ପ୍ରଶ୍ନ ଉତ୍ତର ବ୍ୟବସ୍ଥା ସହ ଶିକ୍ଷା ଦାନ ବ୍ୟବସ୍ଥା କରନ୍ତୁ। ତୁରନ୍ତ ଉପାନ୍ତ ଅଞ୍ଚଳରେ ବିଦ୍ୟୁତ୍ ଓ ମୋବାଇଲ୍ ନେଟୱର୍କ ସଂଯୋଗ କରାନ୍ତୁ। ସରକାର ଯେତେବେଳେ ବି ଶିକ୍ଷା ସମ୍ଵନ୍ଧୀୟ କୌଣସି ନିଷ୍ପତ୍ତି ନେଉଛନ୍ତି କେବେ ହେଲେ ବି ମୁଖ୍ଯ ହିତାଧିକାରୀ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଶିକ୍ଷାବିତଙ୍କ ମତ ନ ନେଇ କେବଳ ଶାସକଙ୍କୁ ଚାନ୍ଦାଦିଆ ଶିକ୍ଷା ବେପାରୀଙ୍କ ଇଙ୍ଗୀତରେ ଚାଲିଛନ୍ତି।ଘରୋଇ ଶିକ୍ଷାନୁଷ୍ଠାନମାନେ ଆଡମିଶନ ସମୟରୁ ବର୍ଷ ସାରାର ଶିକ୍ଷାଦାନ ଫି’ ନେଇ ଅତି ସହଜରେ ନିଜ ଦାୟିତ୍ଵରୁ ଅପସରି ଯାଉଛନ୍ତି। ଏହି ପୃଷ୍ଠଭୂମିରେ ଉପରୋକ୍ତ ଦାବି ନେଇ ୨୮ଜୁନ ରାଜ୍ଯବ୍ୟାପୀ “ଶିକ୍ଷା ବଞ୍ଚାଅ – ଶ୍ରେଣୀ ଗୃହ ବଞ୍ଚାଅ – ଭାରତ ବଞ୍ଚାଅ” ଛାତ୍ର ଆକ୍ରୋଶ ଦିବସ ପାଳନ କରିବାକୁ ଏଆଇଏସ୍ଏଫ୍ ଓଡିଶା ରାଜ୍ଯ କମିଟିର ଏକ ଓ୍ଵେବିନାର ବୈଠକରେ ୩୦ଜିଲ୍ଲାର ଛାତ୍ର ନେତାମାନେ ସର୍ବ ସମ୍ମତ ଭାବେ ଚେତାବନୀ ଦେଇଛନ୍ତି ଵୋଲି ଏଆଇଏସ୍ଏଫ୍ ଓଡିଶା ରାଜ୍ଯ ସଭାପତି ସଂଘମିତ୍ରା ଜେନା ସୂଚନା ଦେଇଛନ୍ତି।