ନର୍ଲାରେ ମନରେଗା ଯୋଜନା ବାଟବଣା: ହତାଶ ଶ୍ରମିକ, ନିରାଶ ହିତାଧିକାରୀ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ସମସ୍ତ ଶ୍ରମଜିବୀଙ୍କ ହାତକୁ କାମ ଯୋଗାଇଦେବା ପାଇଁ ପ୍ରଣିତ ହୋଇଛି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)। ଏହି ଯୋଜନା ନର୍ଲା ସମେତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ବାଟବଣା ହୋଇଥିବା ଅଭିଯୋଗ ହେଉଛି। ଏଥିପାଇଁ ଅତିତରେ ମନରେଗା ସିବିଆଇ ତଦନ୍ତର ସମ୍ମୁଖୀନ ହୋଇଥିଲା। ତଥାପି ବର୍ତ୍ତମାନ ସୁଦ୍ଧା ପରିସ୍ଥିତିରେ ସୁଧାର ହୋଇନାହିଁ କିମ୍ବା ମନରେଗାରେ ସ୍ବଚ୍ଛତା ଆସିନାହିଁ। ଏପରିକି ମନରେଗା ଯୋଜନାର ବିଫଳତା ଯୋଗୁଁ ଶହଶହ ଶ୍ରମିକ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି। ସେହିପରି ମନରେଗା ଯୋଜନାରେ ମାତ୍ରାଧିକ ଦୁର୍ନୀତି ଓ ଅନିୟମିତତା ହାଟରେ ପଡି ଦାଣ୍ଡରେ ଗଡୁଥିଲା ବେଳେ ବ୍ଲକ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ ନଭାଙ୍ଗିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି।

ଅଭିଯୋଗ ଅନୁଯାୟୀ ନର୍ଲା ବ୍ଲକର ୨୬ଟି ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ ମନରେଗା ଯୋଜନା ଅଧିନରେ କାର୍ଯ୍ୟକାରୀ ହେଉଥିବାବେଳେ ଏଥିରେ ଗ୍ରାମ ରୋଜଗାର ସେବକମାନେ ସର୍ବେସର୍ବା ପାଳଟିଛନ୍ତି। ସେମାନଙ୍କ ସହ ତାଳଦେଇ ବ୍ଲକର ଉଚ୍ଚ ପଦସ୍ଥ କର୍ମଚାରୀମାନେ ସବୁ ଅନିୟମିତତା ଓ ଦୁର୍ନୀତିକୁ ଦେଖି ନିରବ ରହିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବ୍ଲକର ସେରଗଡ, ନର୍ଲା, ମାଣ୍ଡେଲ, ରୁପ୍ରାରୋଡ, ରାକ୍ସି, ସରିଆଁ, ଶାନ୍ତପୁର, ଉଲିକୁପା, ଭୀମକେଲା, ରୁଫ୍ରା, ପଲମ, ବାଲସିଙ୍ଗା, କର୍ମେଗାଁ, ମୁସ୍କୁଟି, ଘଣ୍ଟମାଳ ଆଦି ପଞ୍ଚାୟତମାନଙ୍କରେ ଚାଲିଥିବା ମନରେଗା କାମରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଲାଗି ରହିଥିବା ଅଭିଯୋଗ ହେଉଛି। ଅନେକ ସ୍ଥାନରେ ନିମ୍ନମାନର କାମ ସହ ଶ୍ରମିକଙ୍କୁ ମାସ ମାସ ଧରି ପ୍ରାପ୍ୟ ଦିଆଯାଉନଥିବା ଅଭିଯୋଗ ହେଉଛି। କାମକରୁନଥିବା ଲୋକଙ୍କ ନାମରେ ଜବକାର୍ଡ ପ୍ରସ୍ତୁତ ହୋଇ ମନରେଗାରେ ସେସବୁକୁ ଯୋଡ଼ି ଅର୍ଥ ଆତ୍ମସାତ ହେଉଛି। ଏପଟେ ପ୍ରକୃତ ହିତାଧିକାରୀ କାମ ନପାଇ ଦାଦନ ଯାଉଛି। ଶ୍ରମିକମାନେ କାମ କରି ମାସ ମାସ ଧରି ପ୍ରାପ୍ୟ ପାଉନାହାନ୍ତି। ଏହି ସମସ୍ୟା ବ୍ଲକର ୨୬ଟି ପଞ୍ଚାୟତରେ ଲାଗି ରହିଛି। ଯାହାକୁ ନେଇ ମନରେଗାରେ କାମ କରିବା ବଦଳରେ ଶ୍ରମିକମାନେ ଦାଦନ ଜିବାକୁ ଉଚିତ ମଣୁଛନ୍ତି। ଅନେକ ଗ୍ରାମର ମୁଖ୍ୟରାସ୍ତା କଦର୍ଯ୍ୟ ହୋଇ ପଡିଥିବାବେଳେ ଆବଶ୍ୟକତା ନଥିବା ରାସ୍ତାସବୁରେ ମାଟି ସ୍ବାହା ସ୍ବାହା କରି ଅର୍ଥ ଆତ୍ମସାତ ହେଉଥିବା ଅଭିଯୋଗ ହେଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର କ୍ଷେତ୍ରରେ ମଧ୍ୟ ସେଭଳି ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଏହା ଅଧିନରେ ମନରେଗା ପ୍ରାପ୍ୟ ପାଇବାକୁ ହିତାଧିକାରୀ ମାନଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷା କରି ହତାଶ ହେବାକୁ ପଡୁଛି। ପ୍ରକୃତ କାମ କରିବା ଲୋକ କାମକରି ମାସ ମାସ ବର୍ଷ ବର୍ଷ ଧରି ଅପେକ୍ଷା କରୁଥିବା ଦେଖାଯାଇଛି। ଏନେଇ ଅଭିଯୋଗ ହେଲେ ପ୍ରଶାସନ ପକ୍ଷରୁ ନାମକୁ ମାତ୍ର ତଦନ୍ତ କରି ଦୋଷୀଙ୍କୁ ଘଣ୍ଟ ଘୋଡାଉଥିବା ସାଧାରଣରେ ଆଲୋଚନା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.