ବିଭିନ୍ନ ସମସ୍ୟା ଘେରରେ ନେହେଲା ଗ୍ରାମ: ପ୍ରଶାସନ ଦୃଷ୍ଟି ଦେବେ କି?

ଥୁଆମୂଳ ରାମପୁର, (ଦୁର୍ଗା କିର୍ତ୍ତୀ): କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଳକ ପାହାଡ ପର୍ବତ ଘେରା ଆଦିବାସୀ ବହୁଳ ପଛୁଆ ଅଞ୍ଚଳ ଭାବରେ ପରିଚିତ। ଏହି ବ୍ଳକରେ ସରକାରୀ ଓ ବେସରକାରୀ ଭାବେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି, ତଥାପି ଲୋକଙ୍କ ସଚେତନତା ଅଭାବର ସୁଯୋଗ ନେଇ କେତେକ ମୁଷ୍ଟିମେୟ ଲୋକ ଯୋଜନାକୁ ବାଟବଣା କରୁଛନ୍ତି। ଯାହାଫଳରେ ଏବେବି ଅନେକ ଯୋଗ୍ୟ ଗରିବ ହିତାଧିକାରୀ ସେମାନଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନାରେ ସାମିଲ ହୋଇନଥିବା ଜଣାପଡିଛି।

ଏହି ଆଦିବାସୀ ଲୋକମାନେ ସେହି ପୁରୁଣା କାଳର ଝାଟିମାଟି ଘରେ ହିଁ ବସବାସ କରୁଥିବା ନଜିର ରହିଛି। ଏହି ବ୍ଳକର ଗରିବ କିଭଳି ଜୀବନ ଅତିବାହିତ କରୁଛନ୍ତି ସେନେଇ ଆମ ପ୍ରତିନିଧି ଏଠାରେ ଉପସ୍ଥାପନ କରିଛନ୍ତି। ଥୁଆମୂଳ ରାମପୁର ବ୍ଲକର କାନିଗୁମା ଗ୍ରାମପଞ୍ଚାୟତ ଅଧିନରେ ଥିବା ନେହେଲା ଗ୍ରାମ ସମସ୍ୟାର ପାହାଡ ଉପରେ ଛିଡ଼ା ହୋଇଥିବାପରି ପରିଲକ୍ଷିତ ହେଉଛି। ଏହି ଗ୍ରାମର ଅନେକ ଲୋକ ଗରିବ ହୋଇଥିବା ଥିବାବେଳେ ସେମାନେ ନିଜ ଲାଗି ଘରଖଣ୍ତେ କରିବା ପାଇଁ ସକ୍ଷମ ନୁହନ୍ତି, ତେବେ ଏମାନଙ୍କୁ ଆବାସ ଗୃହ ମିଳିନି କାହିଁକି ଏନେଇ ଆମ୍ଭେ ସେମାନଙ୍କୁ ପଚାରି ବୁଝିଥିଲୁ।


ସେମାନଙ୍କ ଜୀବନ ଧାରଣ ମାନରେ କୈାଣସି ପରିବର୍ତ୍ତନ ହୋଇନଥିବାରୁ ସରକାଙ୍କ ଯୋଜନା କାହାସ୍ବାର୍ଥରେ ବୋଲି ବିଭିନ୍ନ ମହଲରେ ଆଲୋଚନାର ବିଷୟ ପାଲଟିଛି। ଏହି ଆଦିବାସୀ ମାନଙ୍କ ଦୁଃଖ କେବେ ଦୂରହେବ ସେ ବିଷୟରେ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ଏହାସହ ରାଜନୈତିକ କାର୍ଯ୍ଯକଳାପ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଅଛି।


ପ୍ରଗତିଶୀଳ ଓଡ଼ିଶାରେ କ’ଣ ଏହିଭଳି ନଗ୍ନ ଚିତ୍ର ରହିଛି ତାହା ଲୋକେ ସହଜରେ ବିଶ୍ବାସ କରିପାରିବେ କି? ସରକାର ଏପଟେ କହୁଛନ୍ତି ଯେ, ପ୍ରତ୍ୟେକ ଗରିବ ପରିବର ହିତାଧିକାରୀଙ୍କୁ ଆବାସ ଓ ବିଜୁ ପକ୍କା ଘର ଯୋଗାଇ ଦିଆଯାଉଛି। ତେବେ ପାହାଡି ଇଲାକାର ଆଦିବାସୀ, ଗିରିଜନ, ହରିଜନ ଓ ସାଧାରଣ ବର୍ଗର ହିତାଧିକାରୀଙ୍କ ପାଇଁ ଏହି ଯୋଜନା ସାତସପନ ପାଲଟି ସ୍ଥାନୀୟ ନେତା ଓ ବିଭାଗୀୟ ଅଧିକାରୀ ମାନଙ୍କ କର୍ମଦକକ୍ଷତା ଉପରେ ସନ୍ଦେହ ସୃଷ୍ଟି କରୁଅଛି। ଅନ୍ୟପକ୍ଷରେ ସରକାର ଏହି ଦୁର୍ଗମ ଅଞ୍ଚଳ ପ୍ରତି କାହିଁକି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ସେନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆଦିବାସୀ ହରିଜନ ଲୋକଙ୍କ ଉନ୍ନତି ବୋଧେ ଏମାନେ ଚାହୁଁନଥିବା ଏକ ପ୍ରକାର ସନ୍ଦେହ ସୃଷ୍ଟି କରୁଅଛି। ଏହି ଗ୍ରାମରେ ଆବାସ ଯୋଜନା ବ୍ୟତିରେକ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପରିମଳ ବ୍ୟବସ୍ଥା, କୃଷି ଆଦି ବିବିଧ କ୍ଷେତ୍ରରେ ପଛରେ ପଡିଯାଇଛି। ତେଣୁ ବ୍ଲକ ଓ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବାସହ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନେ ଏହି ନେହେଲା ଗ୍ରାମକୁ ସ୍ବତନ୍ତ୍ର ଭାବରେ ଗସ୍ତରେ ଯାଇ ସେମାନଙ୍କ ଦୁଃଖକୁ ଦୂର କରନ୍ତୁ ବୋଲି ବୁଦ୍ଧିଜିବି ମହଲରେ ଆଲୋଚନା ହେଉଅଛି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.