ଉଜୁଡିଗଲା ଚାଷ, ମିଳିଲାନି ସହାୟତା

● ବୀମା ସହାୟତା ଦାବିରେ ରାସ୍ତାକୁ ଓହ୍ଲାଇବେ ଚାଷୀ

ଲାଞ୍ଜିଗଡ଼: କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାର ଡିଣ୍ଡିମ ପିଟୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ତେବେ ଚାଷିଙ୍କ ପାଇଁ ପ୍ରକୃତରେ କାହାର ଦରଦ ନାହିଁ। ଗତ ବର୍ଷ ଚାଷ ଉଜୁଡି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମରୁଡି ସହାୟତା ପାଇନାହାନ୍ତି ଚାଷୀ। ଧାରକରଜ କରି ଗତ ବର୍ଷ ଚାଷ କରିଥିଲା ଚାଷି, ତେବେ ସେହି କରଜ ଟଙ୍କା ଏବେ ସୁଦ୍ଧା ସୁଝି ପାରୁନାହିଁ। ଏପଟେ ଏବର୍ଷ ଖରିଫ ଚାଷ ଆରମ୍ଭ ହୋଇ ଯାଇଛି। ତେବେ କିପରି ଚାଷ ପାଇଁ ଟଙ୍କା ଯୋଗାଡ କରିବ ସେହି ଚିନ୍ତାରେ ପଡିଯାଇଛନ୍ତି ଲାଞ୍ଜିଗଡ଼ ବ୍ଲକର ଚାଷୀକୂଳ। ଗତବର୍ଷ ଏହି ବ୍ଲକର ଅନେକ ଅଞ୍ଚଳରେ ଉତ୍କଟ ମରୁଡ଼ି ଦେଖା ଦେଇଥିଲା। ତେବେ କୋଭିଡ ସଂକଟ ଦେଖାଇ ସମସ୍ତେ ଧରାଛୁଁଆ ଦେଲେନି। ଅବଶ୍ୟ କୃଷି ବିଭାଗ ଓ ରାଜସ୍ୱ ବିଭାଗ ଚାଷୀମାନଙ୍କ ଚାଷ ଦେଖିବା ସହିତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପଠାଇଲେ। କିନ୍ତୁ ସେମାନଙ୍କ ରିପୋର୍ଟ ଅପେକ୍ଷା କ୍ରପ୍ କଟିଂ ରିପୋର୍ଟ ଗୁରୁତ୍ୱପୂର୍ଣ୍ଣ ଥିବାରୁ ନିରୀହ ଚାଷୀମାନେ ସେଇ ସମୟକୁ ଅପେକ୍ଷା କଲେ। ଏହାପରେ କ୍ରପ କଟିଂ ରିପୋର୍ଟ୍ ଗଲା। ତେବେ ଚାଷୀମାନଙ୍କ ବ୍ୟାପକ କ୍ଷୟକ୍ଷତି ସତ୍ତ୍ୱେ ନା ସେମାନଙ୍କୁ ମିଳିଲା ମରୁଡି ସହାୟତା ନା ମିଳିଲା ବୀମା ସହାୟତା। ସେମାନେ ଏବେ ମୁଣ୍ଡ ବାଡେଇ ହେଉଛନ୍ତି। ଚଳିତ ଖରିଫ ଋତୁରେ କିଭଳି ଚାଷ କାର୍ଯ୍ୟ ଆରମ୍ଭ କରିବେ କୂଳ କିନାରା ପାଉନାହାନ୍ତି। ଏହିପରି ଭାବେ ମରୁଡି ସହାୟତା ନପାଇ ଚରମ ଦୁର୍ଦ୍ଦଶା ଭୋଗୁଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡରୋଡ ଗ୍ରାମପଞ୍ଚାୟତ କିଡିଙ୍ଗ ଗାଁର ଶତାଧିକ ଚାଷୀ। କିଡିଙ୍ଗ ଗାଁରେ ଗତ ଖରିଫ ଋତୁରେ ଭୟାବହ ମରୁଡି ଦେଖାଦେଇଥିଲେ ହେଁ ଆଜି ପର୍ଯ୍ୟନ୍ତ ନା ସରକାର ନା ପ୍ରଶାସନ ସେ ସଂପର୍କରେ ଘୋଷଣା ବି କରିନାହାନ୍ତି। ଚାଷୀମାନେ ଏବେ ମରୁଡି ସହାୟତା ପାଇବା ଆଶାରେ ଚାତକ ପରି ଚାହିଁ ଚାହିଁ ଆଖି ପାଣି ଆଖିରେ ମଲାଣି ହେଲେ ସରକାରୀ ସହାୟତା ସେମାନଙ୍କ ପାଇଁ ସାତସପନ ପାଲଟିଛି। ମରୁଡି ସହାୟତା ଓ କ୍ରପ କଟିଂରେ ପଞ୍ଚାୟତକୁ ୟୁନିଟ୍ ଭାବେ ଗ୍ରହଣ କରାଯାଉଥିବାରୁ ତଥା କ୍ରପ କଟିଂରେ ଖାମଖିଆଲି ରିପୋର୍ଟ ଯୋଗୁଁ କିଡିଙ୍ଗର ଚାଷୀମାନେ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି। ଏଣୁ ବୃହତ୍ତର ଚାଷୀ ସମସ୍ୟାକୁ ଦୃଷ୍ଟିିରେ ରଖି ତୁରନ୍ତ ମରୁଡି ଓ ବୀମା ସହାୟତା ସଂପର୍କରେ ପୁନଃ ବିଚାର କରାନଗଲେ ଚାଷୀମାନେ କିଡିଙ୍ଗ ନିକଟରେ ଛଅ ନମ୍ବର ରାଜ୍ୟ ରାଜପଥକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.