ଧାନ ଚାଷ ହୋଇଥିବା ଗୋଚର ଜମିରେ ଗୋରୁ ଛାଡିଲେ ଗାଁ ମହିଳା

କଳାହାଣ୍ଡି, (ନରୋତ୍ତମ ସେଲମା): ଗୋଚର ଜମି ଗୋରୁ ଚାରଣ ପାଇଁ ଉଦ୍ଧିଷ୍ଟ ହୋଇଥିବାବେଳେ ଅନେକ ଲୋକ ଏହାକୁ ଦଖଲ କରିଥିବା ପରିଲକ୍ଷିତ ହେଉଛି। ଯାହା ଫଳରେ ଗାଈଗୋରୁଙ୍କୁ ଚରାଇବା ପାଇଁ ସମସ୍ୟା ଉତ୍ପନ୍ନ ହେଉଛି। ଏସମନ୍ଧରେ ରାଜସ୍ବ ବିଭାଗ ଜ୍ଞାତ ଥିଲେ ମଧ୍ୟ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି। ତେବେ ଗୋଚର ଭୂମିର ଉଦ୍ଧାର ପାଇଁ ଅଣ୍ଟା ଭିଡିଛନ୍ତି କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ପଞ୍ଚାୟତ ସିଲେଟପଡା ଗାଁର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା। ପ୍ରାପ୍ତ ସୂଚନା ଆଧାରରେ ସିଲେଟପଡା ଗ୍ରାମର ଗୋଚର ଜମିରେ କିଛି ଲୋକ ଧାନ ଚାଷ କରିଥିଲେ। ରବିବାର ଦିନ ଏଥିରେ ଗାଁର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗାଈଗୋରୁ ଚରେଇ ଚାଷକୁ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ସୂଚନା ମତେ ଏହି ଗାଁରେ ଥିବା ୪୦ଏକର ଗୋଚର ଜମିକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ଜୋର ଜବରଦସ୍ତ ନିଜ ଅକ୍ତିଆରରେ ରଖି ଧାନ ଚାଷ କରୁଥିବାର ବାରମ୍ବାର ଅଭିଯୋଗ ପରେ ଗତ କିଛି ଦିନ ତଳେ କର୍ଲାମୁଣ୍ଡା ତହସିଲଦାରଙ୍କ ହସ୍ତକ୍ଷେପ ପରେ ରାଜସ୍ୱ ବିଭାଗ ପକ୍ଷରୁ ସିଲେଟପଡାର ଗୋଚର ଜମି ଚିହ୍ନଟ ହୋଇଥିଲା। ତେବେ ଗୋଚର ଜମି ଚିହ୍ନଟ ହେବା ପରେ ଜବର ଦଖଲକାରୀମାନେ ଗୋଚର ଜମିକୁ ଛାଡି ନଥିଲେ। ଏଣୁ ଗାଁର ୬ ଟି ଏସଏଚଜି ଗୃପ୍ ଏକଜୁଟ ହୋଇ ଚାଷ ହୋଇଥିବା ଗୋଚର ଜମିରେ ଗୋରୁ ଛାଡିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.