କୋକସରା, (ହିରଣ୍ୟ ବେହେରା): ସାହାଜଖୋଲ ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଥିବା କୋକସରା ବ୍ଲକ ଡୁଡୁକା ଠେଙ୍ଗା ପଞ୍ଚାୟତର କେତେକ ଗରୀବ ଭୂମିହୀନ ପରିବାର ଲୋକ ଜୀବିକା ନିର୍ବାହ ପାଇଁ ଋତୁକାଳୀନ ଭାବରେ ବିଭିନ୍ନ କିସମର ଚାଷ କରି ଆଜକୁ ପ୍ରାୟ ଆଠ ବର୍ଷ ହେବ ଜୀବିକା ନିର୍ବାହ କରି ଜବର ଦଖଲର ରାଜସ୍ବ ମଧ୍ୟ ପୈଠ କରି ଆସୁଥିବା ପ୍ରକାଶ କରିଛନ୍ତି। ଜବର ଦଖଲର ଦୀର୍ଘ ବର୍ଷ ପରେ ଧୋବେନ ଚଞ୍ଚରାର କିଛି ବ୍ୟକ୍ତି ଏହି ଜବରଦଖଲ କାରୀଙ୍କୁ ଚାଷ ପାଇଁ ମନା କରିବା ଓ ଗଣ୍ଡଗୋଳ କରିବାରୁ ବୁଧବାର ଜବରଦଖଲକାରୀମାନେ କୋକସରା ତହସିଲଦାରଙ୍କୁ ଭେଟି ସେମାନଙ୍କ ନାମରେ ଦଖଲକାର ପୂର୍ବକ ଶାନ୍ତିପୂର୍ଣ୍ଣ ଦଖଲ ପାଇଁ ଅନୁମତି ଦେବା ସହ ଗଣ୍ଡଗୋଳ ଓ ବିରୋଧ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
କୋକସରା ତହସିଲଦାର କାର୍ଯ୍ୟାଳୟକୁ ଆସି ଡୁଡୁକା ଠେଙ୍ଗା ପଞ୍ଚାୟତର ଗ୍ରାମବାସୀ ଗିରିଧାରୀ ପାଣିଗ୍ରାହୀ, ଭୁପେଶ ନିଆଲ, ଲବ ନାଏକ, ଘାସିରାମ ନାଏକ, ବିକ୍ରମ ନିଆଲ,ଜୟଲାଲ ନିଆଲ,ମୁକୁନ୍ଦ ନିଆଲ, ଧନଜିତ ସୁନା, ପବିତ୍ର ସୁନା, ବଳଦେବ ନାଏକ, ଲାଳଧର ନାଗ, ସୀତାରାମ ନାଗ, ଲଳିତା ନିଆଲ, ଦମୟନ୍ତି ନିଆଲ, ଯଶୋଦା ପାଣିଗ୍ରାହୀ, କୈକେୟୀ ପାଣିଗ୍ରାହୀ, ବୈଦେହୀ ସୁନା, ସମେତ ଅନେକ ଗ୍ରାମର ଅନେକ ମହିଳା ପୁରୁଷ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଥିଲେ।ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏହି ଅଞ୍ଚଳ ଆସୁଥିବାରୁ ବନ ବିଭାଗ ଓ ରାଜସ୍ୱ ନିରୀକ୍ଷକଙ୍କ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।