● ଛୁଆ ବଡ଼ ହୋଇ ଦୌଡ଼ିଲେଣି, କେବେ ମିଳିବ ମମତା ଯୋଜନା ସହାୟତା?
ଲାଞ୍ଜିଗଡ଼: ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ପାଇଲଟ୍ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ ହେଉଥିବା ସମ୍ମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଲାଞ୍ଜିଗଡ଼ରେ ବାଟବଣା ହୋଇଥିବା ପରିଲକ୍ଷିତ ହେଉଛି। ଏହି ପ୍ରକଳ୍ପ ଦ୍ୱାରା ଗର୍ଭବତୀ, ପ୍ରସୂତି ଓ ଶୂନରୁ ପାଞ୍ଚବର୍ଷ ଯାଏଁ ଶିଶୁମାନଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। କିଶୋରୀ ବାଳିକା, ନିରାଶ୍ରୟ ବୃଦ୍ଧବୃଦ୍ଧାଙ୍କୁ ସୁଷମ ଖାଦ୍ୟ ଦେବା ମଧ୍ୟ ଏହି ପ୍ରକଳ୍ପ ଦ୍ୱାରା କାର୍ଯ୍ୟକାରୀ ହୋଇଥାଏ। ସେହିପରି ଏହି ପ୍ରକଳ୍ପ ଦ୍ୱାରା ନବଜାତ ଶିଶୁ ଓ ପ୍ରସୂତିଙ୍କୁ ମମତା ଯୋଜନାରେ ପର୍ଯ୍ୟାୟ କ୍ରମେ ପାଞ୍ଚ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ତେବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସମ୍ମନ୍ୱିତ ଶିଶୁ ବିକାଶ ପ୍ରକଳ୍ପରେ ଏହିସବୁ ସରକାରୀ ଯୋଜନା ସତେ ଯେମିତି ଦିଶାହରା ହୋଇଯାଇଛି। ଏହି ପ୍ରକଳ୍ପ ଦ୍ୱାରା ଲକ୍ଷଲକ୍ଷ ଟଙ୍କାର ଛତୁଆ ଦୁର୍ନୀତି ଏବେ ଦାଣ୍ଡରେ ପଡି ହାଟରେ ଗଡୁଥିବାବେଳେ ସରକାରଙ୍କ ମହତ୍ତ୍ୱପୂର୍ଣ୍ଣ ମମତା ଯୋଜନାର ହିତାଧିକାରୀମାନଙ୍କୁ ବର୍ଷ ବର୍ଷ ଧରି ସହାୟତା ନମିଳିବା ଘଟଣା ଏବେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି। ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ତଥା ନବଜାତ ଶିଶୁ ଓ ପ୍ରସୂତି ମହିଳାଙ୍କ ଯତ୍ନ ପାଇଁ ପର୍ଯ୍ୟାୟ କ୍ରମେ ପାଞ୍ଚ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଥିବାବେଳେ ଲାଞ୍ଜିଗଡ ବ୍ଲକରେ କିନ୍ତୁ ଦୀର୍ଘ ବର୍ଷ ହେଲା ଏଥିରେ ବ୍ୟତିକ୍ରମ ହେଉଥିବା ଅଭିଯୋଗ ହେଉଛି। ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଏବେ ଦୁଇଶହରୁ ଉର୍ଦ୍ଧ୍ୱ ନବଜାତ ଓ ପ୍ରସୂତି ମହିଳା ଅନଲାଇନ ଆବେଦନ କରି ମମତା ଯୋଜନାର ସହାୟତା ରାଶି ପାଇନଥିବାବେଳେ ଦୀର୍ଘ ଦିନ ଧରି ସେମାନଙ୍କ ସମସ୍ୟା ପ୍ରତି ପ୍ରକଳ୍ପ ଅଧିକାରୀ ଦାୟିତ୍ୱରେ ଥିବା ସିଡିପିଓମାନେ ଆଦୌ ଦୃଷ୍ଟି ଦେଉନାହାନ୍ତି। ଏପରିକି ବର୍ତ୍ତମାନ ସୁଦ୍ଧା ମଧ୍ୟ ମହିଳାମାନେ ଏହି ସହାୟତା ରାଶି ପାଇବାରୁ ବଞ୍ଚିତ ଥିବାବେଳେ ବ୍ଲକର ଦୁର୍ଗମ ଓ ଘାଟି ଅଞ୍ଚଳର ଲୋକେ ଏଥିପାଇଁ ବ୍ୟାଙ୍କକୁ ଦୌଡିଦୌଡି ନୟାନ୍ତ ହେଲେଣି । ଏପରି ସ୍ଥିତିରେ ଜନ୍ମିତ ଶିଶୁମାନେ ଏବେ ଚଲାବୁଲା କଲେଣି, ରାସ୍ତାରେ ଦୌଡାଦୌଡି କଲେଣି କିନ୍ତୁ ସେମାନଙ୍କ ମାଆମାନେ ଏଯାଏଁ ମମତା ଯୋଜନାର ସହାୟତା ରାଶି ପାଇପାରିନାହାନ୍ତି। ଏଣୁ ମହିଳା ସଶକ୍ତିକରଣ ଓ ମାଆକୁ ସମ୍ମାନ ଦେଉଥିବା ବର୍ତ୍ତମାନର ବିଜେଡି ସରକାରରେ ଲାଞ୍ଜିଗଡ ବ୍ଲକ ସମ୍ମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଏକ କଳା ଅଧ୍ୟାୟ ସୃଷ୍ଟି କରିଥିବାବେଳେ ଏହାର ପ୍ରଭାବ ଆଗାମୀ ନିର୍ବାଚନରେ ପଡିବାର ସମ୍ଭାବନା ରହିଛି। ସେହିପରି ଏନେଇ ବ୍ଲକ ଅଞ୍ଚଳରେ ମହିଳାମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ଏହାକୁ ନେଇ ସେମାନେ ବିଶ୍ୱନାଥପୁରସ୍ଥିତ ସମ୍ମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଘେରାଉ କରିବାକୁ ସଜବାଜ ହେଉଥିବା ଭିତିରିଆ ସୂଚନା ମିଳିଛି। ଏଣୁ ଲାଞ୍ଜିଗଡ ବ୍ଲକରେ ବାଟବଣା ହୋଇଥିବା ମମତା ଯୋଜନାକୁ ରାସ୍ତାକୁ ଆଣିବା ସହିତ ଅଞ୍ଚଳର ଗରିବ, ନିରୀହ ଗର୍ଭବତୀ ଓ ପ୍ରସୂତି ତଥା ନବଜାତ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବ୍ଲକ ଅଞ୍ଚଳର ଅନେକ ମହିଳା ସଂଗଠନ ଦାବି କରିଛନ୍ତି। ଏ ସଂପର୍କରେ ଲାଞ୍ଜିଗଡ ବ୍ଲକ ସମ୍ମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମୀନା କୁମାରୀ ପାତ୍ରଙ୍କୁ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିଥିଲେ ହେଁ ତାହା ସମ୍ଭବ ହୋଇପାରିନାହିଁ।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in