ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ସଦର ମହକୁମାର ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଳାସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ପିଡି-ଡିଆରଡିଏ ମହେଶ୍ୱର ନାଏକ, ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଏସଡିପିଓ ଦିବ୍ୟଜ୍ୟୋତି ଦାସ, ବିଡିଓ ଲକ୍ଷ୍ମୀ ନାରାୟଣ ସାବତ, ପୈାର ନିର୍ବାହୀ ଅଧିକାରୀ ୟାସିଦ ବିଲାଲ ଅହମ୍ମଦ, ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା,ଜିଲ୍ଳା କ୍ରୀଡା ଅଧିକାରୀ ଶେଖ୍ ଅଲିନୁରଙ୍କ ସମେତ ଅନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀ ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତୁପକ୍ଷ, ସିଆରପିଏଫ ଲୋକ ସଂପର୍କ ଅଧିକାରୀ, ରିଜର୍ଭ ପୋଲିସ ଅଧିକାରୀ, ସାମ୍ବାଦିକ ସଂଘର ସଭାପତି ଓ ସଂପାଦକ ପ୍ରମୁଖ ଉପସ୍ଥିତ ରହିଥିଲେ ।
ବୈଠକରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରସ୍ତୁତି ବୈଠକର ବବରଣୀ ପାଠ କରି ଉପସ୍ଥିତ ସଦସ୍ୟସଦସ୍ୟାମାନଙ୍କ ମତାମତ ଲୋଡିଥିଲେ । ଅଗଷ୍ଟ ମାସରେ ସରକାରଙ୍କ ପକ୍ଷରୁ ଅନଲକ୍ କରାଯାଇ କୋଭିଡ୍ କଟକଣାରେ କୋହଳ ହୋଇଥିଲେ ମଧ୍ୟ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା କରି ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ୍ ନିୟମକୁ ପାଳନ କରି ଆଡମ୍ବର ସହକାରେ ସ୍ୱାଧୀନତା ଦିବସ ପାଳନ କରାଯିବ ଏବଂ ପଡିଆରେ ଜନ ସମାଗମକୁ ଦୃଷ୍ଟିରେ ରଖି ସାଧାରଣ ଜନତାଙ୍କୁ ପ୍ୟାରେଡ୍ ପଡିଆକୁ ପ୍ରବେଶ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । କେବଳ ସୀମିତ ସଂଖ୍ୟକ ନିମନ୍ତ୍ରିତ ଅତିଥି ଏବଂ ପୁରସ୍କାର ଗ୍ରହଣ କରିବାକୁ ଆସିଥିବା ଉପସ୍ଥିତିରେ ଦିବସଟିକୁ ପାଳନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ ।
ସହରରେ ଅବସ୍ଥାପିତ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତି ସଫା ସୁତୁରା ସହ ପ୍ୟାରେଡ୍ ପଡିଆର ସାଜସଜ୍ଜା, ସଫା ସୁତୁରା ଓ ବାରିକେଟ୍ ନିର୍ମାଣ କାର୍ଯ୍ୟ ପୈାର ସଂସ୍ଥା ଓ ପୂର୍ତ ବିଭାଗକୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଭର୍ଚୁଆଲ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକୃତା, ରଚନା ଭଳି ବିଭିନ୍ନ ପ୍ରତିଯୋଗିତା କରିବା ପାଇଁ ଜିଲ୍ଳାପାଳ ଶ୍ରୀ ମିଶ୍ର ଜିଲ୍ଳା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଉକ୍ତ ପ୍ରତିଯୋଗିତାରେ କୃତି ଅର୍ଜନ କରିବା ବିଦ୍ୟାର୍ଥ ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟରେ ସଫଳତା ପାଇଥିବା ବ୍ୟକ୍ତିବିଶେଷ ଏବଂ କୋଭିଡ୍ ଯୋଦ୍ଧାମାନଙ୍କୁ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନୀତ କରାଯିବ ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର କହିଥିଲେ । ସେହିପରି ମୁଖ୍ୟ ଅତିଥିଙ୍କ ଦ୍ୱାରା ସହରରେ ଥିବା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ, ଉପକାରାଗାର, ସେବା ସମାଜ, ବୃଦ୍ଧାଶ୍ରମ ଓ ସ୍ୱାଧାର ଗୃହର ଅନ୍ତେବାସୀମାନଙ୍କୁ ଫଳ ଓ ମିଷ୍ଟାନ ବଂଟନ କରାଯିବ । କୋଭିଡ ନିୟମ ପାଳନ କରି ସକାଳ ସାଢେ ୭ଟାରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକରେ ଜାତୀୟ ପତାକା ଉତୋଳନ କରାଯିବା ପରେ ସକାଳ ୯ଟା ୧୫ମିନିଟରେ ସମୟରେ ପ୍ୟାରେଡ ପଡିଆରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତୋଳନ ସହ ଅଭିଭାବଦ ଏବଂ ଉଦବୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର କହିଥିଲେ । ଉକ୍ତ ବୈଠକ ପରିଶେଷରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।