● ଠିକାଦାର ଓ ସରକାରୀ ବାବୁ ଚଲାଇଛନ୍ତି ନାଟ: ମାଓ ଭୟ ସାଜିଛି ସରକାରୀ ଅର୍ଥ ଲୁଟର ନୂଆ ବାଟ
ଲାଞ୍ଜିଗଡ: ବିକାଶ ନାମରେ ସରକାରୀ ଅର୍ଥ ଲୁଟ୍ ହେଉଛି। ଏହା ନିର୍ଦ୍ଧିଷ୍ଟ ସୀମା ସରହଦ ଡେଇଁ ଚାଲିଛି। ସାଧାରଣ ଜନତା ପ୍ରତିବାଦ କରୁଛନ୍ତି, ତେବେ ତାହାକୁ ଗୁରୁତ୍ବ ଦିଆଯାଉନାହିଁ। ମାଓବାଦୀ ଭୟ ସାଜିଛି ଦୁର୍ଗମ ଅଞ୍ଚଳରେ ସରକାରୀ ଅର୍ଥ ଲୁଟର ନୁଆ ବାଟ। ଯେଉଁ ଅଞ୍ଚଳକୁ ନିର୍ବାଚନ ପ୍ରତିନିଧି ଓ ପୋଲିସ ଭଲ ଭାବରେ ଯାଆନ୍ତି ନାହିଁ, ସେଠି ତଦାରଖ ଦାଇତ୍ୱରେ ଥିବା ସରକାରୀ ବାବୁଙ୍କ କଥା ପଚାରେ କିଏ? ଯାହାର ଫାଇଦା ଉଠାଇ ଅଞ୍ଚଳର ବିକାଶ ପାଇଁ ଉଦ୍ଧିଷ୍ଟ କୋଟି କୋଟି ଟଙ୍କାର ସରକାରୀ ଅନୁଦାନକୁ ଚଳୁ କରୁଛନ୍ତି ସରକାରୀ ବାବୁ ଓ ଠିକାଦାର। ଅଭିଯୋଗ ଅନୁସାରେ ଲାଞ୍ଜିଗତ ବ୍ଲକ ଲାଞ୍ଜିଗତ-ବିଜେପୁର ମୁଖ୍ୟ ପିଡବ୍ଲୁଡି ରାସ୍ତାରୁ ତ୍ରିଲୋଚନପୁର ଗାଁକୁ ସଂଯୋଗ କରୁଥିବା ଆର୍ଡି ରାସ୍ତା। ଚଳିତ ବର୍ଷ ଗତ ଏପ୍ରିଲ ମାସରେ ଆର୍ଡି ବିଭାଗ ଦ୍ବାରା ୩ କିଲୋମିଟର ନୂତନ ରାସ୍ତାଟି କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ନିମ୍ନ ମାନର କାମ ଚାଇନା ପିଚୁ ଓ କମ ପରିମାଣରେ ଚିପସ୍ ରାସ୍ତାରେ ବ୍ୟବହାର ଯୋଗୁଁ ମାତ୍ର ୩ ମାସ ମଧ୍ୟରେ ରାସ୍ତାରୁ ପରସ୍ତ ପରସ୍ତ ପିଚୁ ଉସୁକି ଯାଉଥିବା ତ୍ରିଲୋଚନପୁର ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି।
ସୂଚନା ମୁତାବକ କଳାହାଣ୍ଡି-ରାୟଗଡା ଜିଲ୍ଲା ନିୟମଗିରି ପାଦ ଦେଶରେ ଅବସ୍ଥିତ ମାଓ ପ୍ରଭାବିତ ତ୍ରିଲୋଚନପୁର ପଞ୍ଚାୟତ। ମାଓପ୍ରବଣ ପଞ୍ଚାୟତକୁ ଗମନାଗମନର ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ବିନିଯୋଗରେ ଜାରୀ ରଖିଛନ୍ତି ପ୍ରଧାନ ମନ୍ତ୍ରୀ ସଡକ ଯୋଜନା। ଏବଂ ଏ ହେଉଛି ଲାଞ୍ଜିଗତ-ବିଜେପୁର ପିଡବ୍ଲୁଡି ମୁଖ୍ୟ ରାସ୍ତାଠାରୁ ଆମଠାପଦର ଗାଁ ପର୍ଯ୍ୟନ୍ତ ହୋଇଥିବା ପିଏମଜିଏସୟାଇ ରାସ୍ତା। ୭ କିମି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ୩ କୋଟି ୯୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି। ଠିକାଦାର ମୋହନଲାଲ ଅଗ୍ରୱାଲଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ କରିଥିବା ଚୁକ୍ତି ଅନୁଯାୟୀ କାର୍ଯ୍ୟର ଆରମ୍ଭ ୩୧.୨୦.୨୦୧୭ ତଥା କାର୍ଯ୍ୟ ଶେଷ ତାରିଖ ୦୯.୦୩.୨୦୨୦ ରହିଥିଲା।ହେଲେ ଏହି ରାସ୍ତାକୁ ମାଓବାଦୀଙ୍କ ବିରୋଧ ଯୋଗୁଁ କୁଆଡେ ବିଳମ୍ବ ହୋଇଥିଲା। ହେଲେ ଗତ ବର୍ଷ ସେପ୍ଟେମ୍ବର ମାସରେ ପ୍ରଥମେ ତ୍ରିଲୋଚନପୁରଠାରୁ ଆମଠାପଦର ଗାଁ ପର୍ଯ୍ୟନ୍ତ ୪ କିମି ରାସ୍ତା କାମର ସପ୍ତାହ ମଧ୍ୟରେ ପିଚୁ ହାତରେ ଉଠି ଯାଉଥିଲା। ହେଲେ ସ୍ଥାନୀୟ ଲୋକଙ୍କ ବିରୋଧ ପରେବି ଠିକା ସଂସ୍ଥା ଶୁଣିନଥିଲା। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ ପିଚୁ ରାସ୍ତାରେ ଘାସ ଦେଖାଯାଉଥିଲା। ପୁଣି ଚଳିତ ବର୍ଷ ଜାନୁଆରୀ ମାସରେ ବାକି ରହିଥିବା ୩ କିମି ରାସ୍ତା କାମ ଆରମ୍ଭ କରିଥିଲା। ପିଡବ୍ଲୁଡି ରାସ୍ତାରୁ ତ୍ରିଲୋଚନପୁର ଗାଁକୁ ଆରମ୍ଭ ହୋଇଥିଲା ରାସ୍ତା। ପୂର୍ବ ପରି ନିମ୍ନ ମାନର ରାସ୍ତା କାମକୁ ପଞ୍ଚାୟତବାସୀ ବିରୋଧ କରି ଗତ ଜାନୁଆରୀ ୨୦ ତାରିଖ ଦିନ କାମକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦେଇଥିଲେ। ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଘଟଣା ସ୍ଥଳକୁ ଆସି ଅଞ୍ଚଳବାସୀଙ୍କୁ ବହୁ ବୁଝାସୁଝା ପରେ ବର୍ତ୍ତମାନ ଭଲ ଭାବେ ରାସ୍ତା କାମ କରିବି ବୋଲି ଠିକାଦାର ଶ୍ରୀ ଅଗ୍ରୱାଲ ପ୍ରତିଶ୍ରୁତି ଦେବା ପରେ ପୁଣି ରାସ୍ତା କାମ ଆରମ୍ଭ ହୋଇଥିଲା। କିନ୍ତୁ ୩ ମାସ ମଧ୍ୟରେ ରାସ୍ତାରୁ ପୁଣି ପିଚୁ ଉଠିଯିବା ଯୋଗୁଁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ଅଞ୍ଚଳର ରାସ୍ତା ଗୁଡିକର ପ୍ରାୟ ୮୦ ପ୍ରତିଶତ ଟଙ୍କା ବାଟମାରଣା ହୋଇଥିବା ଅଭିଯୋଗ ହୋଇଥିଲା।ମାଓ ଭୟରେ ଏହି ଅଞ୍ଚଳକୁ ଅଧିକାରୀ ଓ ନିର୍ବାଚନ ପ୍ରତିନିଧି ମାନେ ଠିକ ଭାବରେ ଯାଉ ନ ଥିବା ବେଳେ ନିର୍ମାଣ ଦାଇତ୍ୱରେ ଥିବା ଠିକାଦାର ଓ ସରକାରୀ ବାବୁଙ୍କ ଦ୍ବାରା ଜାରୀ ରହିଛି ଉନ୍ନୟନ ଅନୁଦାନର ଖୋଲା ଲୁଟ।ତ୍ରିଲୋଚନପୁର ପଞ୍ଚାୟତକୁ ମାଓ ଭୟ କାରଣରୁ ନିର୍ବାଚିତ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କୁ ଫେବୃଆରୀ ପୂର୍ବରୁ ସେହି ଅଞ୍ଚଳକୁ ଯିବା ପାଇଁ ବାରଣ କରାଯାଇଥିଲା।ସୁରକ୍ଷା କାରଣରୁ ପୋଲିସ ବାହିନୀ ପକ୍ଷରୁ ବାରଣ କରାଯାଇଥିବା ଖୁଦ ବିଧାୟକ ସ୍ୱୀକାର କରିଥିଲେ। କିନ୍ତୁ ଲୋକଙ୍କ ଅଭିଯୋଗ ଆଧାରରେ ରାସ୍ତା ନିର୍ମାଣର ତଦନ୍ତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଆଶ୍ଚର୍ଯ୍ୟର ବିଷୟ ଯେଉଁ ରାସ୍ତାକୁ ମାଓବାଦୀ ବିରୋଧ କରିଥିଲେ ସେହି ରାସ୍ତାର ୮୦ ପ୍ରତିଶତ ସରକାରୀ ଅନୁଦାନ ବାଟ ମାରଣା କରି ଠିକାଦାର ନିର୍ମାଣ କରିବାକୁ ସତସାହସ କରୁଛନ୍ତି କିପରି। ଯାହା ସହଜରେ ଗ୍ରହଣ କରି ହେଉନାହିଁ। ଏଣୁ ଜିଲ୍ଲାର ମାଓ ପ୍ରବଣ ପଞ୍ଚାୟତରେ ଜାରୀ ଉନ୍ନୟନ ମୂଳକ କାର୍ଯ୍ୟର ତଦନ୍ତ ପାଇଁ ଲୋକାୟୁକ୍ତ ଠାରେ ଅପିଲ ହୋଇଥିଲା। ହେଲେ ସରକାରଙ୍କ କୋଟି କୋଟି ଟଙ୍କା ବିନିଯୋଗ ସତ୍ବେ ମାଓ ପ୍ରବଣ ଏହି ଇଲାକାର ତୃଣମୂଳ ସ୍ତରରେ ଏହା ପହଂଚି ପାରୁନାହିଁ। ଯେଉଁ ରାସ୍ତାକୁ ମାଓବାଦୀଙ୍କ ବିରୋଧ ରହିଛି। ସେହି ରାସ୍ତା ୩ ମାସ ପରେ ସମ୍ପୂର୍ଣ୍ଣ ନଷ୍ଟ ହେଉଛି କିପରି। ଏଥିପ୍ରତି କଳାହାଣ୍ଡି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ତ୍ରିଲୋଚନପୁର ଅଞ୍ଚଳବାସୀ ଦାବି କରିଛନ୍ତି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in