✍️ଅଧ୍ୟାପକ କୌତୁକ ପନ୍ଦର
“ସିଂହ ନିଜର ଇତିହାସ ନ ଲେଖିଲା ପର୍ଯ୍ୟନ୍ତ ଶିକାରୀ ତା’ର ନିଜ ଗୁଣଗାନକରି ହିଁ ଶିକାରର ଇତିହାସକୁ ପରିବର୍ଦ୍ଧିତ କରି ଚାଲିଥିବ।”
ଉପରୋକ୍ତ ମନ୍ତବ୍ୟ ଦେଇଥିବା ପ୍ରଖ୍ୟାତ ଲେଖକ ହେଲେ ନାଇଜେରିଆବାସୀ ଚିନୁଆ ଆଚେବେ (ଥିଙ୍ଗଫଲ ଏପାର୍ଟ) ଉପନ୍ୟାସକାର । କହିବାର ତାତ୍ପର୍ଯ୍ୟ, ବିଶ୍ୱମୂଳ ନିବାସୀ ବା ଆଦିବାସୀ ଲୋକ ନିଜର ଇତିହାସକୁ, ଅସ୍ତିତ୍ୱକୁ ନଜାଣିଲା ପର୍ଯ୍ୟନ୍ତ ସେ ସଦାସର୍ବଦା ହୀନମନ୍ୟତାର ଶିକାର ହେଉଥିବ । ମାରିନେଲେ ମହାପାତ୍ରେ ଚାହିଁଥାରେ ଜଳକା ! ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ଜାତିସଂଘର ସାଧାରଣ ସଭାର ସଦସ୍ୟମାନେ ୪୯/୨୧୪ ନିଷ୍ପତ୍ତି ଅନୁସାରେ ଡିସେମ୍ବର ୧୯୯୪ ମସିହାରେ ବିଶ୍ୱର ସମସ୍ତ ଆଦିବାସୀ ତଥା ମୂଳନିବାସୀମାନଙ୍କୁ ସଚତେନ କରିବା ପାଇଁ ଏକ ସଭା ଆଦୃତ କରିଥିଲେ । ଏବଂ ସେଠାରେ ସେମାନେ ନିଷ୍ପତ୍ତି ନେଲେ ଯେ ପ୍ରତ୍ୟେକ ବର୍ଷ ଅଗଷ୍ଟ ୦୯କୁ ବିଶ୍ୱ ଆସିବାସୀ ବା ମୂଳନିବାସୀ ଦିବସ (The world Indigenous People’s Day ) ଭାବେ ପାଳନ କରାଯିବ । ଏହା ପୂର୍ବରୁ ପ୍ରଥମ କରି ୧୯୮୨ ମସିହା ଅଗଷ୍ଟ ୦୯ରେ ମଧ୍ୟ ଏ ସମ୍ପର୍କରେ ଜାତିସଂଘର କାର୍ଯ୍ୟକାରିଣୀ ବିଭାଗ- ଯିଏ ମୂଳନିବାସୀ ବା ଆଦିବାସୀ ଲୋକଙ୍କ ସ୍ୱାର୍ଥ ରକ୍ଷାପାଇଁ କାମ କରୁଥିଲା । ଏହାକୁ ସ୍ମରଣ କରିବା ସକାଶେ ଅଗଷ୍ଟ ୦୯ ହିଁ ବିବେଚିତ ହେଲା । ମାନବିକ ଅଧିକାରର ସୁରକ୍ଷା ଓ ପ୍ରୋତ୍ସାହକୁ ଗୁରୁତ୍ୱ ଦିଆଯାଇଥିଲା।
ପୃଥିବୀର ୯୦ଟି ଦେଶ ଏବଂ ଜନସଂଖ୍ୟାର ଶତକଡ଼ା ପାଂଚ ଥିବା ଏହି ଆଦିବାସୀ (୩୭୦ ରୁ ୫୦୦ ମିଲିୟନ୍ ଜନସଂଖ୍ୟାର) ଥିଲେ ମଧ୍ୟ ଶତକଡ଼ା ୧୫ଭାଗ ଅତ୍ୟନ୍ତ ଗରିବ ଭାବେ, ଦୟନୀୟ ସ୍ଥିତିରେ ରହିଛନ୍ତି । ଏହିକ୍ରମରେ ଭାରତର ସମୁଦାୟ ଜନସଂଖ୍ୟାର ୯.୭ ପ୍ରତିଶତ ଏହି ଆଦିବାସୀ ଗୋଷ୍ଠୀ ହୋଇଥିବାବେଳେ ଓଡ଼ିଶାରେ ଏମାନଙ୍କ ଭାଗ ୨୨.୦୧ ପ୍ରତିଶତ ଅଟେ।
ଉଦ୍ଦେଶ୍ୟ-
ଜନସଂଖ୍ୟାର ସୀମାନ୍ତରିତ ଏଭଳି ଆସିବାସୀଙ୍କ ଐତିହ୍ୟ, ପରପଂରା, ସଂସ୍କୃତି, ଭାଷା, ଧର୍ମ ଇତ୍ୟାଦିକୁ ସୁରକ୍ଷା ଦେବା ଓ ଏମାନଙ୍କ ଅଧିକାରକୁ ପ୍ରୋତ୍ସାହନ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ସେମାନଙ୍କ ମଧ୍ୟରେ ତଥା ଅନ୍ୟାନ୍ୟ ଗୋଷ୍ଠୀ ମାନଙ୍କ ମଧ୍ୟରେ ତାଙ୍କପ୍ରତି ଏକ ସ୍ୱତନ୍ତ୍ର ଦୃଷ୍ଟିଦେବା ହେଉଛି ଆହୁରି ଏକ ମୁଖ୍ୟଲକ୍ଷ୍ୟ । ଏହି ଗୋଷ୍ଠୀପ୍ରତି ଅବହେଳା, ସାମ୍ବାଧନିକ ନ୍ୟାର୍ଯ୍ୟ ଅଧିକାର ହାସଲ କରିବା ପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବାରେ ଯେଭଳି ଦେଶ, ଜାତି ଓ ସରକାର ଅବହେଳା ନ କରନ୍ତି ତାପ୍ରତି ଧ୍ୟାନଦେବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ।
ଏମାନେ ପାରମ୍ପରିକ ଭାବେ ଦଶନ୍ଧି ଦଶନ୍ଧି ଧରି ଗୋଟେ ଭୌଗୋଳିକ ପରିବେଷ୍ଟନିରେ ବସବାସ କରି ଆସୁଥିଲେ ମଧ୍ୟ ତାଙ୍କର ନିଜସ୍ୱ ଆବାସିକ ଅଧିକାର ପାଇନାହାନ୍ତି । ଦେଶର, ଜନତାର ବିକାଶଆଳରେ ଏମାନେ ଭିଟାମାଟିରୁ ଉତ୍ଖାତ ହେଉଛନ୍ତି । ଖଣିଖାଦାନ ଉତ୍ତୋଳନ ଆଳରେ ବେଘର ହେଉଛନ୍ତି । ବିସ୍ଥାପନ ହେଉଛି ଏମାନଙ୍କ ଜୀବନର ଚିରସହଚର ଯେମିତି । ନଦୀବନ୍ଧ ଯୋଜନା, ଶିଳ୍ପ ପ୍ରତିଷ୍ଠା, ଅଭୟାରଣ୍ୟର ପରିଯୋଜନା, ଖଣିଜଦ୍ରବର ଉତ୍ତୋଳନ ଏହି ମାଟିର ମଣିଷ ଅମୃତର ସନ୍ତାନଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ପ୍ରାକୃତିକ ପରିବେଶ ଏକ ପ୍ରକୃତିପୂର୍ଣ୍ଣ ଜୀବନ ବଂଚୁଥିବା ଏହି ଜନତା ଆଜି ବି ବାରଦ୍ୱାର ଶୁଣ୍ଢିପିଣ୍ଢା ହେଇ ଉଚିତ୍ଭାବେ ଥଇଥାନ ହୋଇପାରି ନାହାଁନ୍ତି । ଭାରତର ବିସ୍ତୃତ ଆଭ୍ୟନ୍ତରୀଣ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ଓଡ଼ିଶା, ତେଲେଙ୍ଗାନା ଏବଂ ସର୍ବୋପରି ପୂର୍ବୋତ୍ତର ରାଜ୍ୟରେ ବସବାସ କରୁଥିବା ଏ ପ୍ରକୃତିର ସନ୍ତାନ ପାଇଁ ଆଜିର ଆଧୁନିକ ଯୁଗରେ ମଧ୍ୟ ସବୁଦିନିଆ ରାସ୍ତା ନାହିଁ । ସ୍ୱଚ୍ଛ ପିଇବା ପାଣିର ଅଭାବ ରହିଛି । ବିଜୁଳି ଓ ଉପଯୁକ୍ତ ସ୍ୱାସ୍ଥ୍ୟ ପାଇଁ ଡାକ୍ତରଖାନାର ଉପଲବ୍ଧ ନାହିଁ । ଟେଲି ଯୋଗାଯୋଗ, କୋଭିଡ଼ ମହାମାରୀରେ ଆହୁରି ସାଂଘାତିକ ହୋଇଉଠିଛି । କୋଭିଡ଼୍-୧୯ ମହାମାରୀ ଯୋଗୁଁ ଯାତାୟାତା, ଲଘୁ ବନଜାତ ଦ୍ରବ୍ୟର ବିକ୍ରିବଟା ଓ ଅନୁଷଙ୍ଗିକ ଦୈନନ୍ଦିନ ଜୀବନର ଆବଶ୍ୟକତାକୁ ବିଶେଷଭାବେ ପ୍ରଭାବିତ କରିଦେଇଛି ।
ସେଥିପାଇଁ ଏଥରର ବିଶ୍ୱ ଆଦିବାସୀ ଦିବସର ମୁଖ୍ୟଭାବ ହେଉଛି, ‘କୋଭିଡ଼୍-୧୯’ ଓ ‘ମୂଲନିବାସୀଙ୍କ ପୁନଃସଂସ୍ଥାପନ’ ଭାବେ ନିଆଯାଇଅଛି । ଏହି ମହାମାରୀ ସମୟରେ ଆଦିବାସୀମାନେ କିଭଳି ମୂକାବିକା କରିଥିଲେ ଏବେ ମଧ୍ୟ ସେମାନଙ୍କ ଜୀବନ-ଜୀବିକା କିଭଳି ପୁନଃସଂସ୍ଥାନ ହୋଇପାରିବ ସେ ଉପରେ ସମସ୍ତେ ବିଚାର କରିବାର ସମୟ ଉପନୀତ ହୋଇଛି।
ପରିବେଶପ୍ରତି ବିଶ୍ୱ ଆଦିବାସୀଙ୍କ ଉପଲବ୍ଧି ଓ ଯୋଗଦାନ କିଭଳି ମହତ୍ତ୍ୱପୂର୍ଣ୍ଣ ଉପଯୋଗ ରଖେ ତା ଉପରେ ଧ୍ୟାନ ଦେବା ମଧ୍ୟ ଏହି ଦିବସର ମୁଖ୍ୟ ଲକ୍ଷ୍ୟ ଅଟେ।
ଭାରତ ସରକାରଙ୍କ PESA (Extension to Scheduled Areas) ୧୯୯୬ ଆଇନ ଏ ପର୍ଯ୍ୟନ୍ତ ଆଦିବାସୀ ଅଂଚଳରେ ସମଗ୍ର ଭାବେ ଲାଗୁ କରାଯାଇନାହିଁ । ଓଡ଼ିଶାର କେତେକ ବ୍ଲକ୍କୁ ଯଦିଓ ସମ୍ବିଧାନର ୮ମ ପରିଚ୍ଛେଦରେ ସାମିଲ କରି ଆଦିବାସୀମାନଙ୍କୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦେବାର ଯେଉଁ ସାମ୍ବିଧାନିକ ଅଧିକାର ରହିଛି ତାର ପୂର୍ଣ୍ଣ ଉପଯୋଗ ବା ପ୍ରଚଳନ ହୋଇପାରିନାହିଁ।
କଳାହାଣ୍ଡି, କନ୍ଧମାଳ, ମୟୂରଭଂଜ, କେନ୍ଦୁଝର, କୋରାପୁଟ, ସୁନ୍ଦରଗଡ଼, ନବରଙ୍ଗପୁର, ରାୟଗଡ଼ା ଭଳି ଅଂଚଳର ଅନେକ ଆଦିବାସୀ ପୋଡ଼ୁଚାଷ କରି ଜୀବିକା ନିର୍ବାହ କରୁଥିଲେ ମଧ୍ୟ ଜଙ୍ଗଲ ମାଫିଆମାନଙ୍କ ପ୍ରରୋଚନାରେ ମୂଲ୍ୟବାନ ଗଛ ସବୁକାଟି-ଚୋରା ଚାଲାଣ୍ ହେବାରେ ଲାଗିଛି । ଫଳରେ ଜଙ୍ଗଲର କ୍ଷୟ ଅନିବାର୍ଯ୍ୟ ହୋଇପଡ଼ୁଛି । ଆଜି ଜଙ୍ଗଲ-ଜଳ-ଜମିନ୍ ଯାହା ଆଦିବାସୀ ତଥା ମଣିଷ ସମାଜର ମୂଖ୍ୟ ଅବଲମ୍ବନ ତାହା ବିଶେଷଭାବେ ପ୍ରଭାବିତ ହୋଇ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର କାରଣ ହେବାରେ ଲାଗିଛି । ଭୁକମ୍ପ, ବାତ୍ୟା, ଅନାବୃଷ୍ଟି, ଅତିବୃଷ୍ଟି, ଋତୁ କାଳିନ ପ୍ରଭାବ ଅସାମ୍ୟ ପରିଲକ୍ଷିତ ହେଉଛି।
ଆଦିବାସୀ ଅଂଚଳରେ ଜୀବନ ଜୀବିକାକୁ ସମତୁଲ କରିବା ପାଇଁ ସ୍ଥାନୀୟ ବନଜାତ ଦ୍ରବ୍ୟ, ଏହାର ପ୍ରକ୍ରିୟାକରଣ ଓ ଏମାନଙ୍କ ଭାଷା, ସଂସ୍କୃତି ତଥା ପରମ୍ପରାକୁ ସଂରକ୍ଷିତ କରାଯିବା ନିହାତି ଜରୁରୀ । ଆଦିବାସୀ ଅଂଚଳର ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ପାନୀୟ ଜଳ, ଟେଲି ଯୋଗାଯୋଗ, ଆଲୋକୀକରଣ ବ୍ୟବସ୍ଥା ସର୍ବୋପରି ଆଧୁନିକ ଭିତ୍ତିଭୂମିକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ହେବ ନଚେତ ଅନେକ ନାବାଳକ-ବାଳିକା ମାଓବାଦୀଙ୍କ ପ୍ରରୋଚନାରେ ପଡ଼ି ନିଜ ଜୀବନକୁ ତିଳତିଳ କରି ଗୁଆଁଇ ଦେବେ । ସର୍ବୋପରି ଆଜି ସମୟ ଆସିଛି- ସମସ୍ତଙ୍କ ଧ୍ୟେୟ ଆଦିବାସୀଙ୍କ ସୁରକ୍ଷା।
ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିର
ମୋ- ୯୪୩୯୧୧୯୩୩୯