ଲାଞ୍ଜିଗଡ଼, ୨୪|୮: ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସରକାର ମାଗଣାରେ ପୁସ୍ତକ, ମଧ୍ୟାହ୍ନ ଭୋଜନ ଓ ସ୍କୁଲ ୟୁନିଫର୍ମ ଯୋଗାଇ ଦେଉଛନ୍ତି। ତେବେ ଲାଞ୍ଜିଗଡ଼ ବ୍ଲକରେ ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଇ ଦିଆଯାଉଥିବା ପୋଷାକର ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାସହ ଏଥିରେ ଯୋରଦାର ପିସି କାରବାର ହୋଇଥିବା ଚର୍ଚ୍ଚା ହେଉଛି। ଏନେଇ ଗତକାଲି (୨୩ ଅଗଷ୍ଟ ୨୦୨୧)ରେ ଓଡିଆ ବାର୍ତ୍ତାରେ ଛାତ୍ରଛାତ୍ରୀଙ୍କ ପୋଷାକ ବଣ୍ଟନରେ ଦୁର୍ନୀତି: ସରକାରୀ ଅନୁଦାନରୁ ସିଂହ ଭାଗ ବାଟମାରଣା’ ଶିର୍ଷକ ଏକ ଖବର ପ୍ରକାଶିତ ହୋଇଥିଲା। ଏହି ଖବର ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଏହାସହ ଧିରେ ଧିରେ ଏହି ଦୁର୍ନୀତିରେ ସଂପୃକ୍ତ ସରକାରୀ କର୍ମଚାରୀ ଓ ଦଲାଳମାନଙ୍କ ମଧ୍ୟରେ ଭାଗବଣ୍ଟା ହେଉଥିବା ପ୍ରକୃତ ହିସାବ ସାମ୍ନାକୁ ଆସୁଛି। କପଡା ବ୍ୟବସାୟୀମାନେ ୪୦% ପର୍ଯ୍ୟନ୍ତ ପିସି ଦେଇ ସ୍କୁଲ ପୋଷାକ ଯୋଗାଣ କରୁଛନ୍ତି। ବିଦ୍ୟାଳୟମାନଙ୍କର ପୋଷାକ ଯୋଗାଣରେ ଦୁର୍ନୀତି ସମନ୍ଧରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦାଶାରୀଙ୍କୁ ପଚାରିବାରୁ – ଅଭିଭାବକମାନେ ଗୋଟିଏ ଲିଖିତ ଦାବିପତ୍ର ଦିଅନ୍ତୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ. ଫକିର ମୋହନ ମାଝୀଙ୍କ ମତାମତ ନେବାରୁ ସେ କହିଛନ୍ତି ଯେ, ଏହି ନିମ୍ନମାନର ପୋଷାକ ଯୋଗାଣ ଏବଂ ଘୋଟାଲାକୁ ମୁଁ ଦୃଢ଼ ନିନ୍ଦା କରୁଛି। ଏହା ଉପରେ ଶିଘ୍ର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି।
ଏହି ପୋଷାକ ଯୋଗାଣ ଦୁର୍ନୀତିର ଖୁଲାସା ସମୟରେ ଏକ ବଡ଼ ଚିତ୍ର ସାମ୍ନାକୁ ଆସିଛି। ଆଜି (ମଙ୍ଗଳବାର) ଲାଞ୍ଜିଗଡ଼ ରୋଡ଼ କ୍ଲଷ୍ଟରର ଅନେକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରୁଥିବା ଦେଖାଯାଇଛି। ଶିକ୍ଷକମାନେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲରେ ଶିକ୍ଷାଦାନ କରୁଛନ୍ତି। ବିଦ୍ୟାଳୟରେ ଶିକ୍ଷାଦାନର ସମୟ ସକାଳ ୮ରୁ ପୂର୍ବାହ୍ନ ୧୧ ଥିବା ଜଣାପଡିଛି। ଅନ୍ୟପକ୍ଷରେ ମହାମାରୀ କରୋନା ଯୋଗୁଁ ବିଦ୍ୟାଳୟ ସବୁ ବନ୍ଦ ରହିଥିବାବେଳେ ଲାଞ୍ଜିଗଡ଼ ବ୍ଲକରେ କେମିତି ପିଲାଙ୍କୁ ପାଠ ପଢ଼ାଯାଉଛି ସେନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାଦ୍ବାରା ଛାତ୍ରଛାତ୍ରୀମାନେ ଆକ୍ରାନ୍ତ ନହେବେ ସେକଥା କିଏ କହିପାରିବ। ସରକାର କେବଳ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବାକୁ ଅନୁମତି ଦେଇଥିବା ବେଳେ ଲାଞ୍ଜିଗଡ଼ ବ୍ଲକରେ ଏହାର ଖୋଳା ଖୋଳି ଉଲ୍ଲଙ୍ଘନ ହେଉଛି। ବର୍ତମାନ ସମୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବାକୁ କିଏ ଅନୁମତି ଦେଲା ଏନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି। ପୋଷାକ ବଣ୍ଟନରେ ଯେଉଁ ଦୁର୍ନୀତି ହୋଇଛି ତାହା ତଦନ୍ତ ହେଲେ ଜଣାପଡ଼ିବ। କିନ୍ତୁ କୋମଳମତି ଶିଶୁମାନଙ୍କୁ ବର୍ତ୍ତମାନ ସମୟରେ ସ୍କୁଲ ଖୋଲି ଶିକ୍ଷାଦାନ କରିବା କେତେ ଦୂର ଯଥାର୍ଥ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ମତପ୍ରକାଶ ପାଇଛି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in