କଳାହାଣ୍ଡି, ୨୪|୮ (ଲିଙ୍ଗରାଜ ମିଶ୍ର): ନର୍ଲା ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠିକାର ଚାଷୀ ଚାଷ କାର୍ଯ୍ୟ ପାଇଁ ବର୍ଷାପାଣି ଉପରେ ସମ୍ପୁର୍ଣ୍ଣ ଭାବରେ ନିର୍ଭର କରିଥାନ୍ତି । ଆଉ ଭଲ ବର୍ଷା ହେଲେ ତ ଠିକ୍ । ନହେଲେ ମରୁଡିର କଷାଘାତରେ ଚାଷୀଙ୍କ ମେରୁଦଣ୍ଡ ଦୋହଲି ପଡିଥାଏ । ନର୍ଲାରେ ୨୦୧୬ ରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ପୂର୍ବବର୍ଷ ୨୦୧୭ ଓ ଗତବର୍ଷ ୨୦୧୮ ମସିହାରେ ବର୍ଷା ଠିକ୍ ଅନୁପାତରେ ହୋଇଥିଲା । ହେଲେ ବାରମ୍ବାର ଲଘୁଚାପ ଜନିତ ବନ୍ୟା ଓ ଚକଡା ରୋଗ ଯୋଗୁଁ ଅନେକ ଚାଷୀ ନୟାନ୍ତ ହୋଇପଡିଥିଲେ । ତଥାପି ନର୍ଲା ଅଞ୍ଚଳର ଧାନ ଭାଷ ମଧ୍ୟ ଭଲ ହୋଇଥିବାରୁ ଧାନ ବିକ୍ରୟ କରି ଅଞ୍ଚଳର ଚାଷୀକୁଳ ଭଲ ଦୁଇ ପଇସା ପାଇଥିଲେ ସେମାନଙ୍କର କଷ୍ଟ ଅର୍ଜିତ ଚାଷରୁ । ଏବର୍ଷ ମଧ୍ୟ ବର୍ଷା ଭଲ ହେବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନରେ ଅଞ୍ଚଳର ଚାଷୀ ଖୁସି ଥିଲେ । ଗତ ତିନି ମାସ ଧରି ପ୍ରଚଣ୍ଡ ରୌଦ୍ର ତାପରେ ମାଟି ଶୁଖିଲା ପଡି ସଂପୁର୍ଣ୍ଣ ଆଁ କରି ରହିଥିଲା । ଅନ୍ୟ ବର୍ଷ ଗୁଡିକରେ ଖରାଦିନରେ ମଧ୍ୟ ଯେପରି ଲଘୁଚାପ ବର୍ଷା ହୋଇଥାଏ, ଏବର୍ଷ ତା ମଧ୍ୟ ନର୍ଲା ଅଞ୍ଚଳରେ ହୋଇ ନାହିଁ ।ମୌଷୁମୀ ବିଳମ୍ବରେ ଆସିଲେ ମଧ୍ୟ ପହିଲି ବର୍ଷାରେ ଚାଷୀ ହର୍ଷୋତ୍ଫୁଲିତ ହୋଇ ଚାଷ ଆରମ୍ଭ କରିଥିଲା । ଧାନ ବିହନ ଆଣି ତଳିଘରା ସବୁ ପଲେଇଥିବା ବେଳେ ଶ୍ରାବଣ ମାସ ସରିଗଲା ହେଲେ ବର୍ଷାର ଏଯାଏଁ ଦେଖାନାହିଁ । କେତେକ ଚାଷୀ ଅକ୍ଷୟ ତୃତୀୟା ପରେ ପରେ ନିଜ ନିଜ ଜମିରେ ଧାନ ବିହନ ଗଣ୍ଡାକ ମଧ୍ୟ ବୁଣିଥିଲେ । ଧାନ ଗଛ ଗୁଡିକ ମଧ୍ୟ ଛନଛନିଆ ହୋଇଥିଲା ହେଲେ ବୈଶାଖ ମାସ ଭଳି ପ୍ରଚଣ୍ଡ ଖରାରେ ବିଲମାଟି ଫାଟି ଆଁ କଲାଣି । ଏବେ କାଁଭାଁ ସଂଧ୍ୟା ସମୟରେ ଅଳ୍ପ ପରିମାଣରେ ଝିପିଝିପି ବର୍ଷା ହେଉଥିଲେ ମଧ୍ୟ ସମୁଦ୍ରକୁ ଶଂଖେ ସଦୃଶ ହେଉଛି । ସ୍ୱଳ୍ପ ବର୍ଷା ଯୋଗୁଁ ଚାଷକାମ ଆଗେଇ ପାରୁନି । ଶ୍ରାବଣ ସରିଗଲା ଜମି ଗୁଡିକରେ ପାଣି ନଥିବା ଯୋଗୁଁ ଚଳିତ ବର୍ଷ ଏଯାଏଁ ଅନେକ ଚାଷୀଙ୍କ ରୁଆ ବେଉଷଣ ମଧ୍ୟ ହୋଇ ପାରିନି । କେତେକ ଚାଷୀ ନିଜ ଜମି ପାଖରେ ରହିଥିବା ପୋଖରୀ ଓ ନାଳ ଗୁଡିକରୁ ଡିଜେଲ ପମ୍ପ ଯୋଗେ ପାଣି ମଡେଇ ଯାହି ତାହି ଭାବରେ ରୁଆ ଓ ବେଉଷଣ କରୁଥିବା ଦେଖିବାକୁ ମିଳୁଛି । ବିଶେଷ କରି ନର୍ଲା ବ୍ଲକ୍ ର ଅଣଜଳସେଚିତ ଅଞ୍ଚଳ କୁହାଯାଉଥିବା ଭୀମକେଲା, ରୁପ୍ରା, ଘଣ୍ଟମାଳ, ଗାଡେବନ୍ଧ, ରାକସି, ସେରଗଡ, ବାଲସିଙ୍ଗା, କୁର୍ମେଲ, ସର୍ଗିଗୁଡା, ନିଶାଣପୁର, ଉଲିକୁପା ପ୍ରଭୃତି ଗ୍ରାମପଂଚାୟତ ଅଞ୍ଚଳ ଭୟାବହ ମରୁଡି ହେବାକୁ ବସିଲାଣି । ଏପରିକି କେନାଲ ରହିଥିବା ଗ୍ରାମ ପଞ୍ଚାୟତ ଭାନପୁରର ବଫଲା ଓ ରାକ୍ସୀରେ ମଧ୍ୟ ଏଯାଏଁ ଚାଷ କାର୍ଯ୍ୟ ଆରମ୍ଭ ହୋଇନି ବର୍ଷା ଅଭାବରେ । ଗତ ଚାରିଦିନ ତଳେ ଅସରାଏ ଲେଖାଏଁ ଭଲ ବର୍ଷା ହୋଇଥିଲେ ମଧ୍ୟ ଦୀର୍ଘ ଦିନରୁ ମାଟି ସୁଖିଲା ପଡିଥିବାରୁ ବର୍ଷାପାଣି ଗାୟବ ହୋଇଗଲା । ଏବେ ଧାନ ବିଲ ଗୁଡିକରେ ପାଣି ନାହିଁ । ଚଳିତ ଖରିଫ୍ ଋତୁରେ ଜମିଗୁଡିକରେ ଧାନବୁଣା ହୋଇଥିଲେ ମଧ୍ୟ କେତେକ ଜମିରେ ଧାନ ଗଜାହୋଇ ପାଣି ଅଭାବରେ ପିଲଧାନ ହଳଦିଆ ହେବାକୁ ବସିଲାଣି । ଗତଦୁଇ ବର୍ଷ ଧରି ନର୍ଲା ଅଞ୍ଚଳରେ ଶ୍ରାବଣ ମାସ ସୁଦ୍ଧା ୩୦୦ ମିଲିମିଟର ବର୍ଷା ହୋଇଥାଏ । ହେଲେ ଚଳିତ ବର୍ଷ ୨୦୫ ମିଲିମିଟର ବର୍ଷା ଏଯାଏଁ ହୋଇଥିବା ରେକର୍ଡ କରାଯାଇଛି । ଏବେ ନର୍ଲା ଅଞ୍ଚଳର ଚାଷୀ ମୁଣ୍ଡରେ ହାତଦେଇ ବସିଲେଣି । ବର୍ଷା ଅଭାବରେ ବର୍ତମାନ ଧାନ ଚାଷର ପରିସ୍ଥିତି ଯାହା ହେଲାଣି ଆଉ ପରେ ଅମୃତ ବର୍ଷାହେଲେ ମଧ୍ୟ ଆଉ ଧାନଚାଷ ସଫଳ ହେବାର ସମ୍ଭାବନା ନାହିଁ । ଆସନ୍ନ ମରୁଡିର ପଦଧ୍ୱନୀକୁ ଆଶଙ୍କା କରି ଚାଷୀ ମର୍ମାହତ ହୋଇପଡିଲେଣି । ବହୁମୂଲ୍ୟ ଦେଇ ବଜାରରୁ ଧାନ ବିହନ କଣି ଅନେକ ଖର୍ଚ୍ଚାନ୍ତ ହୋଇ ଚାଷ କରିଥିଲେ ଚାଷୀ । ବ୍ୟାଙ୍କ୍ ଓ ମହାଜନୀ ପାଖରୁ ଋଣ କରଜ କରି ଚାଷ କରି ଅନେକ ଆଶା ନେଇ ଚାଷ କରିଥିବା ବେଳେ ଏବେ ଇନ୍ଦ୍ର ଦେବତା ଠକିଦେବାକୁ ବସିଛନ୍ତି । କୁଟୁମ୍ବ ପ୍ରତିପୋଷଣ କରିବା ପାଇଁ କେମିତି ବର୍ଷକର ଆୟ କରିବ । ଧାର, କରଜ କେମିତି ଶୁଝିବ ଏଇ ଚିନ୍ତାରେ ଚାଷୀ ମର୍ମାହତ ହୋଇପଡିଛନ୍ତି ।