● କଲମପୁର ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ସଂକଟ
● +୨ ପାଇଁ ୫ ଶିକ୍ଷକ ଜାଗାରେ ନିଯୁକ୍ତି ପାଇଛନ୍ତି ମାତ୍ର ଜଣେ
● ୧୫ ଦିନ ମଧ୍ୟରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ନହେଲେ ଆନ୍ଦୋଳନ ଚେତାବନୀ
କଳାହାଣ୍ଡି, (ରବିନ୍ଦ୍ର ମିଶ୍ର): ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏକ ଅଭିନବ ପ୍ରୟାସ ହେଉଛି ‘ଓଡିଶା ଆଦର୍ଶ ବିଦ୍ୟାଳୟ’। ଓଡ଼ିଶାର ପ୍ରତ୍ୟକ ବ୍ଲକରେ ଏହା ସ୍ଥାପିତ ହୋଇଥିବାବେଳେ କଳାହାଣ୍ଡି ଜିଲ୍ଲା କଲମପୁର ସ୍ଥିତ ଆଦର୍ଶ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଅବିଭାବକ ଏବଂ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କଲମପୁର ବ୍ଲକକୁ ପ୍ରତ୍ୟକ କ୍ଷେତ୍ରରେ ଅବହେଳିତ କରି ରଖାଯାଉଥିବା ବେଳେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରତି ମଧ୍ୟ ବୈମାତୃକ ମନୋଭାବ ପୋଷଣ କରାଯାଉଥିବା ଅଭିଯୋଗ ଆସିଛି। କଲମପୁର ବ୍ଲକ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଚଳିତ ବର୍ଷ ୩୭ଜଣ ଛାତ୍ରଛାତ୍ରୀ +୨ ରେ ନାମ ଲେଖାଇଛନ୍ତି। ତେବେ ୫ଜଣ ଶିକ୍ଷକ ନିଯୁକ୍ତି ଜାଗାରେ ଜଣେ ଶିକ୍ଷକ ନିଯୁକ୍ତିକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବାକୁ ଦାବି ହୋଇଛି। ୧୫ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି କରାନଗଲେ ସ୍କୁଲ ପରିତ୍ୟାଗ ଓ ଆନ୍ଦୋଳନ କରାଯିବ ବୋଲି ଅବିଭାବକ ଓ ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁସାରେ ୫ବର୍ଷ ହେଲା କଲମପୁର ବ୍ଲକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପିତ ହୋଇଛି। ବିଦ୍ୟାଳୟରେ ଛାତ୍ରାବାସ ନଥିବା ବେଳେ ଆଜି ପର୍ଯ୍ୟନ୍ତ କୈାଣସି ମହିଳା ଶିକ୍ଷୟତ୍ରୀ କିମ୍ବା ମହିଳା ଷ୍ଟାଫ ନାହାନ୍ତି। ଚଳିତ ବର୍ଷ ଏହି ସ୍କୁଲ +୨ କୁ ଉନ୍ନୀତ ହୋଇଛି। ତେବେ ଅନେକ ଦିନରୁ କରିଆସୁଥିବା ଦାବୀ ପୂରଣ ହେବାରୁ ଅଞ୍ଚଳବାସୀ ଉତ୍ସାହିତ ହୋଇଥିଲେ। ଦଶମ ପରୀକ୍ଷା ଫଳାଫଳ ବାହାରିବା ପରେ ବିଳମ୍ବରେ +୨ କଲେଜ ଖୋଲିବା ଖବର ପାଇ ମଧ୍ୟ ଖୁସି ହୋଇ ସେହି ସ୍କୁଲ ର ୩୭ ଜଣ ନାମ ଲେଖାଇଛନ୍ତି। ସ୍କୁଲ ଶିକ୍ଷକ ମାନେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ନିଜ ସ୍କୁଲରେ ନାମ ଲେଖାଇବାକୁ ପ୍ରବର୍ତ୍ତାଇ ଥିଲେ। ଫଳରେ ଅନ୍ୟ କଲେଜ ଗୁଡିକରେ ନାମ ଲେଖାଇବାକୁ ଆବେଦନ କରିଥିଲେ ମଧ୍ୟ ନାମ ଲେଖାଇବାରୁ ସେଠାରୁ ନିବୃତ ରହିଥିଲେ। ସ୍କୁଲ ନାମ ଲେଖା ସମାପ୍ତି ହେବା ପରେ ଏହି କିଛିଦିନ ହେଲା କେବଳ ଜଣେ ପିଜିଟି ଶିକ୍ଷକ ନିଯୁକ୍ତି ଖବର ଶୁଣି ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଏବଂ ଉତ୍ତେଜନା ବୃଦ୍ଧି ପାଇଛି। ୫ ଜଣ ଶିକ୍ଷକ ସ୍ଥାନରେ ଜଣେ ଶିକ୍ଷକ ନିଯୁକ୍ତିକୁ ନେଇ ବିଭାଗୀୟ କତୃପକ୍ଷଙ୍କ ଏଭଳି ପଦକ୍ଷେପକୁ ସାଧାରଣରେରେ ସମାଲୋଚନା କରାଯାଇଛି। ପ୍ରତ୍ୟେକ ସରକାରୀ ସ୍କୁଲ ପରି ଏହି ବିଦ୍ୟାଳୟର ନାମଲେଖା ପ୍ରକ୍ରିୟା ସମାପ୍ତି ହୋଇ ଯାଇଥିବାବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇ ଯିବାକୁ ନେଇ ଅଭିଭାବକ ମହଲରେ ଭାଳେଣି ପଡ଼ି ଯାଇଛି। ଚଳିତ ବର୍ଷ ଖୋଲିଥିବା ଓଏଭି ର ଅନ୍ୟ +୨ କଲେଜ ଗୁଡିକରେ ଅଧିକ ଶିକ୍ଷକ ନିଯୁକ୍ତି ଖବର ଜାଣି ଏହି ସ୍କୁଲକୁ ଅଧିକାରୀ ମାନେ ବୈମାତୃକ ମନୋଭାବ ରଖି ଏଭଳି କରୁଥିବା ଅଭିଭାବକ ମତ ପ୍ରକାଶ କରିଛନ୍ତି। ଅନ୍ୟ ସ୍କୁଲ ଗୁଡିକ ଅପେକ୍ଷା ଏହି ବିଦ୍ୟାଳୟକୁ ଆଦୌ ଗୁରୁତ୍ୱ ଦିଆ ଯାଉନାହିଁ। ସ୍କୁଲ ପରିଚାଳିତ ହୋଇ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ଆବଶ୍ୟକ ଶିକ୍ଷକ ଯୋଗାଇ ଦିଆଯାଇ ନାହିଁ। ଅଦ୍ୟାବଧି ଜଣେ ବି ମହିଳା ଶିକ୍ଷୟତ୍ରୀ କିମ୍ବା ମହିଳା ଷ୍ଟାଫ ନିୟୋଜିତ କରାଯାଇ ନାହିଁ। ଛାତ୍ରାବାସ ବି ନାହିଁ ଅନ୍ୟ ସ୍କୁଲ ଗୁଡିକରେ ଛାତ୍ରାବାସ ରହିଥିଲେ ମଧ୍ୟ ଏହି ସ୍କୁଲ ରେ ବର୍ତ୍ତମାନ ଛାତ୍ରାବାସ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏଭଳି ଅନେକ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବା ଏହି ସ୍କୁଲ ପ୍ରତି ସ୍ଥାନୀୟ ବିଧାୟକ, ସମ୍ପୃକ୍ତ ଅଧିକାରୀ ମାନଙ୍କ ବୈମାତୃକ ମନୋଭାବକୁ ଦାୟୀ କରାଯାଇଛି।
ବର୍ତ୍ତମାନ ଏଭଳି ପରିସ୍ଥିତି ହେତୁ ଅଭିଭାବକ ମାନେ ଉତ୍ତେଜିତ ହୋଇ ସ୍କୁଲ ଭାରପ୍ରାପ୍ତ ପ୍ରିନସିପାଲ ଦୁର୍ବାକ୍ଷ ରଣାଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଅଭିଭାବକଙ୍କ ସହ ଏ ସମ୍ପର୍କରେ ଆଲୋଚନା ପରେ ପ୍ରିନ୍ସପାଲ ଶ୍ରୀ ରଣା ଫୋନ ମାଧ୍ୟମରେ ଉପରିସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ କରି ଅଭିଭାବକ ମାନଙ୍କ ଦାବୀ କୁ ଜଣାଇଥିଲେ। ଜଣେ ଶିକ୍ଷକ ନିଯୁକ୍ତି ହୋଇଥିଲେ ମଧ୍ୟ ନିକଟରେ ଥିବା ଅନ୍ୟ ସ୍କୁଲର ଶିକ୍ଷକ ମାନଙ୍କୁ ଡେପୁଟେସନ ରେ ଦିଆଯିବ ଏବଂ ପ୍ରତ୍ୟେକ ବିଷୟ ଉପରେ ଅନଲାଇନ କ୍ଲାସ ମାଧ୍ୟମରେ ଛାତ୍ରଛାତ୍ରୀ ଶିକ୍ଷା ପାଇବେ ବୋଲି ମିଳିଥିବା ଅଧିକାରୀଙ୍କ ପ୍ରତିଶୃତିକୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ପ୍ରିନ୍ସପାଲ ଅବଗତ କରାଇଥିଲେ। ଯଦି ୧୫ ଦିନ ମଧ୍ୟରେ ଦାବୀ ପୂରଣ ନହେଲେ ସମସ୍ତେ ସ୍କୁଲ ରେ ତାଲା ପକାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।