ଏୟାରଫୋର୍ସ ଏସୋସିଏସନ୍ ପକ୍ଷରୁ ବାଲେଶ୍ଵର ଶାଖାରେ ବାୟୁସେନାର ପ୍ରତିଷ୍ଠା ଦିବସ ପାଳିତ

ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଭାରତୀୟ ବାୟୁସେନାର ୮୯ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ବୈଠକ ବାଲେଶ୍ଵର ଏୟାରଫୋର୍ସ ଏସୋସିଏସନ୍ ଶାଖା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର ସଭାପତି ଶିବଦାସ୍ କୁଣ୍ଡୁ ଅଧ୍ୟକ୍ଷତା କରିଥିବା କ୍ଷେତ୍ରେ ଅନ୍ୟ ପୂର୍ବତନ ବାୟୁସେନା ଅଧିକାରୀ ମାନେ ଯୋଗ ଦେଇ ସେମାନଙ୍କର ଗୌରବମୟ ଅତୀତକୁ ସ୍ମରଣ କରିଥିଲେ। ବାୟୁସେନାର ପ୍ରଶିକ୍ଷଣ ଯୋଗୁଁ ସେମାନେ ଦେଶ ପାଇଁ କାର୍ଯ୍ୟ କରିବା ସହ ସମାଜରେ ନିଜ ପାଇଁ ଏକ ପୃଥକ ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି ସଂଘର ବହୁ ସଦସ୍ୟ ମତବ୍ୟକ୍ତ କରିଥିଲେ। ବାୟୁସେନା ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିବାର ଗୌରବକୁ ନେଇ ସମସ୍ତ ପୂର୍ବତନ ଅଧିକାରୀ ନିଜ ନିଜ ଅଭିଜ୍ଞତା ବୟାନ କରିଥିଲେ। ବାୟୁସେନାର ଆଧୁନିକୀକରଣ ପ୍ରକ୍ରିୟା ଏବଂ ମହିଳା ପାଇଲଟ୍ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବା କ୍ଷେତ୍ରେ ସଦସ୍ୟ ମାନେ ଏନେଇ ଆନନ୍ଦ ପ୍ରକାଶ କରିଥିଲେ। ଏହି ଅବସରରେ ଭୂତପୂର୍ବ ସୈନିକ ମାନଙ୍କ ବିବିଧ ସମସ୍ୟା ଯଥା : ଷ୍ଟେସନ କ୍ୟାଣ୍ଟିନ୍ ଓ ଇସିଏଚଏସ୍ ସମସ୍ୟା ନେଇ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିବା ସହ ବ୍ୟବସ୍ଥାରେ ସୁଧାର ନିମନ୍ତେ ଦାବୀ କରିଥିଲେ। ଏଥିରେ ଏୟାର୍ ଭେଟେରାନ୍ ଗୋପୀନାଥ ଦାସ, ଅଶୋକ ଦାସ, ମହେଶ୍ବର ବେହେରା, ଅଶୋକ ମହାପାତ୍ର, ନବକିଶୋର ବାରିକ, ସର୍ବେଶ୍ଵର ନାୟକ, ଡମ୍ବରୁଧର ପଟ୍ଟନାୟକ ପ୍ରମୁଖ ବରିଷ୍ଠ ସଦସ୍ୟ ତଥା ପଦାଧିକାରୀ ଓ ଅନ୍ୟାନ୍ୟ ସଭ୍ୟମାନେ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ରଖିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.