ରୁପ୍ରାରୋଡ ସେବା ସମବାୟ ସମିତି ସମ୍ପାଦକଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଲେ ଚାଷୀ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ କୃଷି ସେବା ସମବାୟ ସମିତି (ପେକ୍ସ) ସମ୍ପାଦକ ପ୍ରେମାନନ୍ଦ ସାହୁଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଚାଷୀ। ଆଜି ରୁପ୍ରାରୋଡ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଏକତ୍ରିତ ହୋଇ ପେକ୍ସର ସମ୍ପାଦକ ଶ୍ରୀ ସାହୁଙ୍କ ବହିସ୍କାର ଦାବି କରିଛନ୍ତି। ଆଜି ସପ୍ତାହର ପ୍ରଥମ ଦିନ ହୋଇଥିବା ସତ୍ତ୍ବେ ରୁପ୍ରାରୋଡ ସେବା ସମବାୟ ସମିତି କାର୍ଯ୍ୟାଳୟ ବନ୍ଦ ରହିଥିଲା। ଏହା କେବଳ ଆଜିର କଥା ନୁହଁ, ସମ୍ପାଦକ ଶ୍ରୀ ସାହୁ ପ୍ରାୟ ସମୟରେ ପେକ୍ସ ବନ୍ଦ କରି ବାହାରେ ବୁଲୁଥିବା କହିଛନ୍ତି ଚାଷୀ।

ଏହାସହ ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ସାର ଓ ଧାନ ବିହନର କଳାବଜାରୀ କରିବା, ଚାଷୀଙ୍କ ଅଜାଣତରେ ବେନିୟମ ଭାବେ ନିଜର ଲୋକଙ୍କୁ ସଭ୍ୟ କରାଇବା, ନିଜ ଇଚ୍ଛାରେ ଅଫିସ ଖୋଲିବା, ଧାନ କିଣାରେ ଦୁର୍ନୀତି ଓ ମିଲର୍ସମାନଙ୍କ ସହ ମଧୁ ଚନ୍ଦ୍ରିକା କରିବା ଆଦି ଅଭିଯୋଗ କରିଛନ୍ତି ଚାଷୀ। ତେଣୁ ଏହି ଘଟଣାର ଭିଜିଲାନ୍ସ ତଦନ୍ତ କଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ରୁପ୍ରାରୋଡ ଅଞ୍ଚଳର ଚାଷୀ ନିରାକାର ମାଝୀ, ରୁଷବ ସାହୁ, ଟଙ୍କଧର ପଧାନ, ଚୁମନ ବିଶ୍ବାଳ, ଗୋବର୍ଦ୍ଧନ ମାଝୀ, ଭୁବନ ମାଝୀ, ଭାରତୀ ମହାନ୍ତି, ସନ୍ତୋଷ ଭୋଇ, କୈଳାସ ପଧାନ, ଟଙ୍କଧର ସା ପ୍ରମୁଖ ପ୍ରକାଶ କରିଛନ୍ତି। ତେବେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରି ଚାଲିଛନ୍ତି। ରାଜକୋଷରୁ ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି କିନ୍ତୁ ଏମିତି କେତେକ ସରକାରୀ ବାବୁଙ୍କ ଦୁର୍ନୀତି ଓ ଅନିୟମିତତା ମନୋଭାବ ଯୋଗୁଁ ଚାଷୀମାନେ ପ୍ରକୃତ ଲାଭ ପାଇପାରୁ ନାହାନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ବିଚାର କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.