କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଜଣେ ଅଦ୍ୱିତୀୟ ପଞ୍ଚ୍ ମ୍ୟାନ, ଦୁଃସାହାସିକ ପର୍ବତାରୋହୀ ଓ କ୍ରିଡାବୀତ ଭାବେ ସାରା ଦେଶରେ ସୁପରିଚିତ ସତ୍ୟପୀର ପଧାନଙ୍କୁ ୨୦୨୧ ମସିହା ପାଇଁ କଳାହାଣ୍ଡି ଗୈାରବ ସମ୍ମାନ ପ୍ରଦାନ କରାଯାଇଛି। ଭବାନୀପାଟଣା ବ୍ଲକ ଦେପୁର ନିବାସୀ ଶ୍ରୀ ପଧାନ ଜଣେ ଫିଜିଓ ଥେରାପିଷ୍ଟ ହୋଇଥିଲେ ମଧ୍ୟ କ୍ରିଡାର ବିଭିନ୍ନ ବିଭାଗରେ ତାଙ୍କର ଅଶେଷ ଦକ୍ଷତା ରହିଛି। ସେ ଜଣେ ମୁଷ୍ଟି ଯୋଦ୍ଧା ଭାବେ କେବଳ ଭାରତବର୍ଷରେ ନୁହଁ ବିଶ୍ବରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିପାରିଛନ୍ତି। ଗୋଟିଏ ହସ୍ତରେ ଏକ ମିନିଟରେ ୩୯୩ ଥର ମୁଥ ମାରି ସେ ଏକ ବିରଳ କିର୍ତ୍ତିମାନ ସ୍ଥାପନ କରିଛନ୍ତି। ଏଥିପାଇଁ ଗିନିଜ ବୁକ୍ ଅଫ୍ ରେକର୍ଡରେ ତାଙ୍କ ନାମ ରହିଛି। ଏହାସହ ସମାଜସେବା କ୍ଷେତ୍ରରେ ତାଙ୍କର କାର୍ଯ୍ୟଧାରା ପ୍ରଶଂସନୀୟ। ଏସବୁକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) ଦ୍ବାରା ନର୍ଲା ବ୍ଲକ ରୁପ୍ରାରୋଡ ଠାରେ ଆୟୋଜିତ ଜାତୀୟ ପ୍ରେସ୍ ଦିବସ ଅବସରରେ ସତ୍ୟପୀରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ୟୁନିୟନର ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ବରିଷ୍ଠ ସାମ୍ବାଦିକ ବିଜୟ ଦ୍ବିବେଦୀ, ନର୍ଲା ବିଡ଼ିଓ ମାନସ ରଞ୍ଜନ ତ୍ରିପାଠୀ, ନର୍ଲା ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ନାଏକ, ଓଡିଶା ସାମ୍ବାଦିକ ୟୁନିୟନ ସମ୍ପାଦକ ଇଙ୍ଗିତ ପଣ୍ଡା, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂ, ଉପସଭାପତି ଲିଙ୍ଗରାଜ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ।