ଦେବେନ୍ଦ୍ର ବିଶିଙ୍କୁ ଦେବଗିରି ସାମ୍ବାଦିକତା ସମ୍ମାନ, ସତ୍ୟଙ୍କୁ ଲୋକଗୀତ, କୈଳାସଙ୍କୁ ନାଟ୍ୟ, ସୁମିତଙ୍କୁ ଶିଳ୍ପୀ ସମ୍ମାନ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଚଳିତ ବର୍ଷର ମର୍ଯ୍ୟାଦାଜନକ ଦେବଗିରି ସାମ୍ବାଦିକତା ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି ‘ସମ୍ବାଦ’ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର କୁମାର ବିଶି । ଜୁନାଗଡ଼ ବ୍ଲକ୍ ଭଇଁରିଗୁଡ଼ା ଗ୍ରାମରେ ଜନ୍ମିତ ଶ୍ରୀ ବିଶି ସାହିତ୍ୟ ସାଧନାରୁ ସାମ୍ବାଦିକତା କ୍ଷେତ୍ରକୁ ଆସିଥିବା ବେଳେ ତାଙ୍କର କବିତା ରଚନା ଓ ପତ୍ରିକା ସଂପାଦନାର ଅଭିଜ୍ଞତା ରହିଛି । ବିଭିନ୍ନ ସମୟରେ ସେ ସାହିତ୍ୟ ପତ୍ରିକା ‘ପଶ୍ଚିମା’ର ସହ-ସଂପାଦକ, ଯୁଗଯାତ୍ରୀ ସାହିତ୍ୟ ସଂସଦର ସଂପାଦକ, ଭାରତ ଜ୍ଞାନ ବିଜ୍ଞାନ ସମିତିର ରାଜ୍ୟ ସାଧନକର୍ମୀ ଭାବେ କାର୍ଯ୍ୟ କରିଥିବା ବେଳେ ନବେ ଦଶକରୁ ‘ସମ୍ବାଦ’ ସହ ଜଡ଼ିତ ଅଛନ୍ତି । ସେହିପରି ଦେବଗିରି ଲୋକଗୀତ ସମ୍ମାନ ପାଇବେ ବିଶିଷ୍ଟ ଗୀତିକାର, ଲୋକଗୀତ ବିଶାରଦ, କବି ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସତ୍ୟ ନାରାୟଣ ନାଏକ । ଗୌଡ଼ ସର୍ଗିଗୁଡ଼ା ଗ୍ରାମର ଶ୍ରୀ ନାଏକଙ୍କ ଶହ ଶହ ଘୁମୁରା ଗୀତ, କଳାହାଣ୍ଡିଆ ଗୀତ, ସୁଆଙ୍ଗ ଆଦି ଆକାଶବାଣୀ, ଦୂରଦର୍ଶନ ସମେତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ମଂଚରେ ପରିବେଷିତ । ଏଥିପାଇଁ ସେ ଜାତୀୟ ବରିଷ୍ଠ ଫେଲୋସିପ୍ ସମେତ ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି । ଏଥିସହ ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ ତଥା ଘୁମ୍‌ରା ଗୁରୁ କୈଳାସ ଚନ୍ଦ୍ର ନାଏକଙ୍କୁ ଦେବଗିରି ନାଟ୍ୟ ସମ୍ମାନ ପ୍ରଦାନ କରାଯିବ । ଭବାନୀପାଟଣା ବ୍ଳକ୍ ଦୁଆରସୁନୀ ନିବାସୀ ଶ୍ରୀ ନାଏକ ‘ଚନ୍ଦ୍ରାବତୀ ହରଣ’, ‘ନିଳେନ୍ଦ୍ରୀ ହରଣ’, ‘ପୁଷ୍ପବତୀ ସ୍ୱୟମ୍ବର’, ‘ବୈମାସୁର ବଧ’, ‘ବିଚିତ୍ର କଳ୍ପନା’, ‘ମୁକ୍ତା ମଞ୍ଜୁଳା’, ‘ଚନ୍ଦ୍ର-ପଦ୍ମିନୀ ବିବାହ’, ‘ପ୍ରେମଲତା ପରିଣୟ’, ‘ସଂପୂର୍ଣ୍ଣ ରାମାୟଣ’, ‘ସଂପୂର୍ଣ୍ଣ ମହାଭାରତ’ ଭଳି ଅନେକ ନାଟକ ରଚନା ସହ ନିର୍ଦ୍ଦେଶନା ଦେଇ ଲୋକପ୍ରିୟ ହୋଇଛନ୍ତି । ଅଂଚଳର ବିଭିନ୍ନ ଗ୍ରାମରେ ଲୋକନାଟକ ଓ ଲୋକନୃତ୍ୟ ଦଳ ତିଆରି କରି ଲୋକକଳାର ପ୍ରସାର କରୁଛନ୍ତି । ଉଦୀୟମାନ ଚିତ୍ରଶିଳ୍ପୀ ସୁମିତ କୁମାର ଧଙ୍ଗଡ଼ାମାଝୀ ଏବର୍ଷର ଦେବଗିରି ଶିଳ୍ପୀ ସମ୍ମାନ ପାଇବେ । ଭୁବନେଶ୍ୱର ସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟର ଛାତ୍ର ସୁମିତ ଚିତ୍ରକଳା ସମେତ ହସ୍ତକଳାରେ ମନୋନିବେଶ କରି ବେଶ୍ ସଫଳ ହୋଇଛନ୍ତି । ବିଭିନ୍ନ ବର୍ଜ୍ୟବସ୍ତୁରୁ ଆକର୍ଷଣୀୟ ଗୃହସଜ୍ଜା ସାମଗ୍ରୀ ପ୍ରସ୍ତୁତ କରି ସେ ଚର୍ଚ୍ଚାରେ ରହିବା ସହ ଯୁବଗୋଷ୍ଠୀଙ୍କ ପାଇଁ ଉଦାହରଣ ପ୍ରସ୍ତୁତ କରିଛନ୍ତି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦରଠାରେ ଆସନ୍ତା ୧୭ରୁ ୧୯ ତାରିଖ ଯାଏଁ ଆୟୋଜିତ ହେବାକୁଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୯ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଅବସରରେ ଉକ୍ତ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ ବୋଲି ସଭାପତି ସଂଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସଂପାଦକ ସୁନୀଲ ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି । ଏଥିସହ ଦେବଗିରି ମଠର ପୂର୍ବତନ ଟ୍ରଷ୍ଟି କାହ୍ନୁ ଧଙ୍ଗଡ଼ାମାଝୀ, ସେବିକା ସତ ଗଉଡ଼, ଦିବଂଗତ ପୂର୍ବତନ ଟ୍ରଷ୍ଟି ଆର୍ତତ୍ରାଣ ଭୋଇ, ଚନ୍ଦ୍ରଭାନୁ ଧଙ୍ଗଡ଼ାମାଝୀ ଓ ପୂର୍ବତନ ସେବାୟତ ଦୁର୍ବାଦଳ ଦାସଙ୍କ ପରିବାର, ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ମନୋଜ ଷଡ଼ଙ୍ଗୀ, ରଞ୍ଜନ ମହାନ୍ତି, ଚିନ୍ତାମଣି ନାଏକ, ଶିକ୍ଷକ ତ୍ରିନାଥଶ୍ୟାମ କୁମାରଙ୍କ ସମେତ ସରିଆଁ ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନର କଳା ସଂସ୍କୃତି ପରିଷଦ ଶାଖାକୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.