ଶିକ୍ଷକ ବଦଳିର ପ୍ରତିବାଦ: ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବଡଧାରପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଧୃକୁଟୀ (ନାଗଝରୀ) ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଛନ୍ତି ଗ୍ରାମବାସୀ। ଶିକ୍ଷକ ବଦଳିର ପ୍ରତିବାଦ କରି ଗାଁ କମିଟି ଏହି ତାଲା ପକାଇଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଆଧାରରେ ଧୃକୁଟୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ୧୦ଟି ଶ୍ରେଣୀ ଥିବାବେଳେ ଶିକ୍ଷକ ସଂଖ୍ୟା ୩ ରହିଛି। ପୂର୍ବରୁ ୫ଜଣ ଶିକ୍ଷକ ଥିଲେ କିନ୍ତୁ ବର୍ତ୍ତମାନ ଏଥିରୁ ୨ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ତେଣୁ ଏହାକୁ ପ୍ରତିବାଦ କରି ଗାଁ କମିଟି ଆଜି ସ୍କୁଲକୁ ତାଲା ବନ୍ଦ କରିଛନ୍ତି। ବିଦ୍ୟାଳୟରେ ତାଲା ପଡିଥିବାରୁ ୩ଜଣ ଶିକ୍ଷକ ଆସି ଗେଟ୍ ସମ୍ମୁଖରେ ବସିରହିଥିବା ଦେଖାଯାଇଥିଲା। ଗାଁ ଲୋକଙ୍କ ଦାବି ହେଲା ବଦଳି ଶିକ୍ଷକକୁ ପୁନଃ ବିଦ୍ୟାଳୟକୁ ଫେରସ୍ତ କରାଯାଉ। ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶରତ ଚନ୍ଦ୍ର ଦୋରାଙ୍କ ସମେତ ଗ୍ରାମର ତୁଲାବତୀ ପୁଟେଲ, ଲଳିତା ଦୋରା, ଜୟନ୍ତୀ ଦୋରା, ଶତ୍ରୁଘନ ଦୋରା, ବିସିକେସନ ହରିଜନ, ଶିବ ପ୍ରସାଦ ଦୋରା, ସମାଜସେବୀ ଚଣ୍ଡୀଦାସ ସାହୁ, ଶାନ୍ତପୁର ସମିତି ସଭ୍ୟ ଗୋବିନ୍ଦ ତାଣ୍ଡି ପ୍ରମୁଖଙ୍କ ସହ ଅଞ୍ଚଳବାସୀ ତୁରନ୍ତ ଏହି ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରିଛନ୍ତି। ସେହିପରି ଭାବେ ନର୍ଲା ବ୍ଲକର ମୁରଶିଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ନିଯୁକ୍ତି ଦାବୀକରି ଗ୍ରାମବାସୀ ସ୍କୁଲରେ ତାଲା ପକାଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.