● ଗନ୍ତାୟତ ଶିବପ୍ରସାଦଙ୍କ ଦ୍ବାଦଶ ଶ୍ରାଦ୍ଧ ବାର୍ଷିକୀ
ରାୟଗଡା, (ଶିବ ନାରାୟଣ ଗୈାଡ): ଗନ୍ତାୟତ ଶିବପ୍ରସାଦ ଜଣେ ଅନନ୍ଯ ପ୍ରତିଭା ଥିଲେ । ଓଡ଼ିଆ ହାସ୍ୟବ୍ୟଙ୍ଗ ଲେଖାରେ ପାଠକମାନଙ୍କୁ ହସେଇବାର କଳା ତାଙ୍କ ପାଖରେ ହିଁ ଥିଲା । ସେ ହସ କଳାକାର ଥିଲେ । ବ୍ୟଙ୍ଗ ଲେଖାର ଶ୍ରେଷ୍ଠ ଲେଖକ ନିଜେ ଦୁଃଖରେ ଥାଇ ବି ଲେଖା ମାଧ୍ୟମ ରେ ପାଠକ ମାନଙ୍କୁ ହସାଇବାରେ ସକ୍ଷମ ହୋଇଛନ୍ତି ବୋଲି ମଙ୍ଗଳବାର ଦିନ ରାୟଗଡା ଜିଲ୍ଲାର ଅଗ୍ରଣୀ ସାହିତ୍ଯ ଅନୁଷ୍ଠାନ ଟିକିରି ସାହିତ୍ଯ ପରିବାର ଓ ଶିବସ୍ମୃତି ରାୟଗଡ ଦ୍ବାରା ଶିବପ୍ରସାଦଙ୍କ ଦ୍ବାଦଶ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ୱେବିନାର ରେ ଯୋଗଦେଇ ବକ୍ତାମାନେ ଏହି ମତ ଉପସ୍ଥାପନ କରିଥିଲେ ।
କୋରାପୁଟର ଆଦିବାସୀ ଗବେଷକ ରାଜେନ୍ଦ୍ର ପାଢୀ, ଆଲୋଚକ ସତ୍ଯ ନାରାୟଣ ଗନ୍ତାୟତ, ଲେଖକ ଦ୍ବିତୀଚନ୍ଦ୍ର ସାହୁ, ସୁନ୍ଦରଗଡର ଲେଖକ ଶିବାଶିଷ ପାଢୀ, ଲେଖିକା ଡଃ. ବାସନ୍ତି ମହାନ୍ତି, ପଦ୍ମପୁର ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ଆଲୋଚକ ଆଶୁତୋଷ ପାତ୍ର, ପି. ସୁଧାକର ପାତ୍ର, ଅରୁଣ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଗନ୍ତାୟତ ଶିବପ୍ରସାଦଙ୍କ ଓଡ଼ିଆ ସାହିତ୍ୟରେ ରହିଥିବା ଅବଦାନ ସମ୍ପର୍କିତ ବକ୍ତବ୍ଯ ପ୍ରଦାନ କରିଥିଲେ । ଟିକିରି ସାହିତ୍ଯ ପରିବାରର ସମ୍ପାଦକ ତଥା ଲେଖକ ନିରଞ୍ଜନ ନାୟକଙ୍କ ସଂଯୋଜନାରେ ଆୟୋଜିତ ୱେବିନାରରେ ଲେଖିକା ତଥା ସମ୍ବାଦ ପୋର୍ଟାଲର ସାହିତ୍ଯ ପ୍ରତିନିଧି ସୁପ୍ରିୟା ପଣ୍ଡା, କବୟିତ୍ରୀ ମହେଶ୍ୱତା ପାଣିଗ୍ରାହୀ, ତ୍ରିବେଣୀ ମିଶ୍ର, ସୁନିତା ପଣ୍ଡାଙ୍କ ସମେତ କବି ରାଧାମୋହନ ପାଣିଗ୍ରାହୀ, ଗାଳ୍ପିକ ବିମଳ ଶଙ୍କର ଦାଶ, ଅଶ୍ବିନୀ ତ୍ରୀପାଠୀ ଓ ଅନ୍ୟ କବି କବୟିତ୍ରୀ ଯୋଗଦେଇ ରମ୍ୟ ରଚନା ଓ କବିତା ପାଠ ସହ ଗନ୍ତାୟତ ଶିବପ୍ରସାଦଙ୍କ ସ୍ମୃତିଚାରଣ କରିଥିଲେ । ଆୟୋଜିତ ୱେବିନାରରେ ରାୟଗଡା, କାଶୀପୁର, ଗୁଣୁପୁର, ପଦ୍ମପୁର, ମୁନିଗୁଡ଼ା ସମେତ ଭୁବନେଶ୍ଵର ସୁନ୍ଦରଗଡ କଳାହାଣ୍ଡି ଜିଲ୍ଲାର ବହୁ କବି ଓ ଲେଖକ ଯୋଗଦେଇଥିଲେ ।