OBC ସଂରକ୍ଷଣ ଦାବିରେ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କଳାହାଣ୍ଡି, (ନିରଞ୍ଜନ ଗଉଡ): ଚଳିତ ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣକୁ ସମ୍ପୁର୍ଣ୍ଣ ବାଦ ଦେଇଥିବା ଯୋଗୁଁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି କଳାହାଣ୍ଡି ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ନାଏକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ନର୍ଲା ବିଡିଓଙ୍କ ଜରିଆରେ ଉକ୍ତ ଦାବିପତ୍ର ପ୍ରଦାନ କରିଛନ୍ତି । ରାଜ୍ୟରେ ପଛୁଆ ବର୍ଗଙ୍କ ଜନ ସଂଖ୍ୟା ୫୪ ପ୍ରତିଶତରୁ ଉର୍ଦ୍ଧ ରହିଥିବା ବେଳେ ଗତ ପାଞ୍ଚଟି ପଞ୍ଚାୟତ ନିର୍ବାଚନ ଓବିସି ବର୍ଗର ପ୍ରାର୍ଥିମାନେ ୨୭ ପ୍ରତିଶତ ସଂରକ୍ଷଣ ଆଧାରରେ ନିର୍ବାଚନ ଲଢି ସାରିଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କର ଓବିସି ବର୍ଗଙ୍କ ପ୍ରତି ବୈମାତୃକ ମନୋଭାବ କାରଣରୁ ଉକ୍ତ ବର୍ଗ ନିର୍ବାଚନରେ ଭାଗ ନେବା ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି । ସମାନ ପରିସ୍ଥିତି କାରଣରୁ ମହାରାଷ୍ଟ୍ର ମଧ୍ୟପ୍ରଦେଶ ଓ କେନ୍ଦ୍ର ସରକାର ଏ ସମ୍ପର୍କରେ ଉଚ୍ଚତମ ନ୍ୟାୟଳୟର ଦ୍ବାରସ୍ଥ ହୋଇଥିବା ବେଳେ ଓଡିଶା ସରକାର ଏ ସମ୍ପର୍କରେ ଉଦାସୀନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ବିଜେପି ଓବିସି ମୋର୍ଚ୍ଚା କ୍ଷୋଭ ପ୍ରକାଶ କରିଛି । ରାଜ୍ୟରେ ଅନୁସୂଚିତ ଅଞ୍ଚଳ ଅନ୍ତର୍ଭୁକ୍ତ ଅନେକ ଜିଲ୍ଲା ଥିବାବେଳେ ଅନୁସୂଚିତ ଜାତି, ଜନ ଜାତି ଓ ପଛୁଆ ବର୍ଗ ମିଶି ପ୍ରାୟ ୯୪ ପ୍ରତିଶତ ହୋଇଥିବା ବେଳେ ବିଶେଷ ରାଜ୍ୟର ପରିସ୍ଥିତି ଦର୍ଶାଇ ରାଜ୍ୟ ସରକାର ବହୁ ପୂର୍ବରୁ ଉଚ୍ଚତମ ନ୍ୟାୟଳୟକୁ ଅବଗତ କରାଇବା କଥା ଯାହାକି କରାଯାଇ ନାହିଁ । ଉଚ୍ଚ ନ୍ୟାୟଳୟର ନିଷ୍ପତି ଆଳ ଦେଖାଇ ରାଜ୍ୟ ସରକାର ଓବିସି ବର୍ଗକୁ ଆଗାମୀ ନିର୍ବାଚନରେ ବଞ୍ଚିତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ କଳାହାଣ୍ଡି ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ନାଏକଙ୍କ ସମେତ ଜିଲ୍ଲା ଉପସଭାପତି ଅନିରୁଦ୍ଧ ପଧାନ, ନର୍ଲା ମଣ୍ଡଳ ସଭାପତି ପଦ୍ମଲୋଚନ ଜାଲ, ଓବିସି ମୋର୍ଚ୍ଚା ନର୍ଲା ମଣ୍ଡଳ ସଭାପତି ଜଗନ୍ନାଥ ଗଉଡଙ୍କ ସମେତ ସରୋଜ ବୁଦ୍ଧିଆ, କିର୍ତ୍ତି ଚନ୍ଦ୍ର ମାହାର, ସୁରେଶ ଚନ୍ଦ୍ର ଭୋଇ, ନବୀନ ପଧାନ, ପଦ୍ମରାମ ବାଗ, ଅଭୟ ନାଏକ, ବିଷ୍ଣୁ ଚରଣ ବଡ଼ପଣ୍ଡା, ଗିତାଞ୍ଜଳୀ ପୁଟେଲ, ହୃଷିକେଶ ବୁଦ୍ଧିଆଙ୍କ ସମେତ ଅନ୍ୟାନ୍ୟ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.