ମ.ରାମପୁର ଜିଲ୍ଲା ପରିଷଦ ଜୋନ୍-(କ): ବିଜେପି-ବିଜେଡ଼ି ମଧ୍ୟରେ ହେବ ଜୋର ଲଢେଇ, କଂଗ୍ରେସ ଖୋଜୁଛି ପ୍ରାର୍ଥୀ

କଳାହାଣ୍ଡି, (ହେମନ୍ତ ସାହୁ) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବାଜି ସାରିଲାଣି ବିଗୁଲ । ଶିବିର ବି ସଜ ଆଉ ସୈନିକ ବି ପ୍ରସ୍ତୁତ । ଠାଏ ଠାଏ ଜମିଲାଣି ଚର୍ଚ୍ଚା ଆଉ ଆଲୋଚନା । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ ଦୁଇଟି ଜୋନ ରହିଥିବାବେଳେ ଏହି ଦୁଇଟି ଜୋନ ସଂଖ୍ୟା ରହିଛି ୩୩ ଏବଂ ୩୪ । ତେବେ ୩୪ ନମ୍ବର ଜୋନ ଅନୁସୂଚୀତ ଜନଜାତି(ମହିଳା) ବର୍ଗଙ୍କ ପାଇଁ ଉଦ୍ଧିଷ୍ଟ ଥିବାବେଳେ ଗତ ନିର୍ବାଚନରେ ଏହି ଜୋନ୍ ଟି ବିଜେଡ଼ିର କବଜା ରେ ଥିଲା । ଖୁବ୍ କମ୍ ଭୋଟ ବ୍ୟବଧାନରେ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ବିଜେପି ପ୍ରାର୍ଥୀ ଗୋକୁଳାନନ୍ଦ ବିଶ୍ୱାଳଙ୍କୁ ପଛରେ ପକେଇ ବାଜିମାତ କରିଥିଲେ । ଏବଂ ଏଥର ଫୋକସ ରେ ଥିବା ୩୩ ନମ୍ବର ଜୋନଟି ଗତ ନିର୍ବାଚନରେ ବିଜେପି ଅକ୍ତିଆର କରିଥିଲା । ଗତ ନିର୍ବାଚନରେ ଅନୁସୂଚୀତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଏହି ଆସନରେ ସ୍ନେହଲତା ଭୋଇ ବାଜିମାରିଥିଲେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଥିଲେ କଂଗ୍ରେସ । ଚଳିତ ନିର୍ବାଚନରେ ଏହି ଆସନଟି ଅଣ ସଂରକ୍ଷିତ ରହିଛି । ଏହି ଆସନ ପାଇଁ ଉଭୟ ବିଜେଡ଼ି ଏବଂ ବିଜେପି ଦଳ ନିଜ ନିଜର ରଣନୀତିକୁୁ ଜୋର କରିଥିବାବେଳେ ବିଜେଡ଼ିରେ ଆଶାୟୀଙ୍କ ତାଲିକା ଲମ୍ବା ରହିଛି । ବିଜେଡ଼ି ତରଫରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମ.ରାମପୁର ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀ, ମ.ରାମପୁର ଯୁବ ବିଜେଡ଼ି ସଭାପତି ସତ୍ୟ ନାରାୟଣ ସାହୁ, ନର୍ଲା ନିର୍ବାଚନ ମଣ୍ଡଳୀ ଆଇଟି ସଂଯୋଜକ ଭବାନୀ ଶଙ୍କର ସାହୁ, ମ.ରାମପୁର ଏସସି ସେଲ ସଭାପତି ପ୍ରେମ ସାଗର ନାଏକ, ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ଦେବେନ୍ଦ୍ର ପୋଢ(ରାହାସ), ନୀଲ ସିଂହଦେଓ ପ୍ରମୁଖ ଦରଖାସ୍ତ କରିଥିବା ସୂଚନା ମିଳିଛି । ବିଜେଡ଼ିର ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରୁ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ପୂର୍ବରୁ ମ.ରାମପୁର ପଂଚାୟତ ସମିତି ଅଧ୍ୟକ୍ଷ ରହିଥିବବେଳେ ଗତ ନିର୍ବାଚନରେ ଜିଲ୍ଲା ପରିଷଦ ସଭ୍ୟ ରହିବା ସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଏକ୍ସପର୍ଟ ସଭ୍ୟ ଭାବରେ ଦଳୀୟ ଦାୟିତ୍ୱ୍ ସଂପାଦନ କରୁଛନ୍ତି । ପୂର୍ବରୁ ଏହି ଜୋନରେ ସତ୍ୟ ନାରାୟଣ ସାହୁ ସ୍ୱାଧୀନ ଭାବରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବରେ ଠିଆ ହେଇ ଆକର୍ଷଣୀୟ ଭୋଟ ହାତେଇ ଦିତ୍ୱୀୟ ସ୍ଥାନରେ ରହିଥିଲେ । ତେବେ ବିଜେପି ତରଫରୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀକାନ୍ତ ହୋତାଙ୍କ ନାମକୁ ଜିଲ୍ଲାକୁ ସୁପାରିଶ କରାଯାଇଥିବା ସୂଚନା ମିଳିଥିବାବେଳେ ବିଜେପି ତରଫରୁ ଆଉ କେହି ବର୍ତ୍ତମାନ ପର୍ଯ୍ୟନ୍ତ ଆଶାୟୀ ନଥିବା ଜଣାଯାଇଛି । ଶ୍ରୀ ହୋତା ୨୦୦୭ ମସିହାରେ କଂଗ୍ରେସକୁ ପରାସ୍ତ କରିଥିଲେ ଏବଂ ସେହି ସମୟରେ ବିଜେଡ଼ି ତୃତୀୟ ସ୍ଥାନରେ ରହିଥିଲା । ଗତ ନିର୍ବାଚନରେ ମଧ୍ୟ ବିଜେପି ବିଜୟୀ ବହୁ ଭୋଟ ବ୍ୟବଧାନରେ ବିଜୟୀ ହେଇଥିବାବେଳେ କଂଗ୍ରେସ ଦ୍ୱିତୀୟରେ ଏବଂ ବିଜେଡ଼ି ତୃତୀୟରେ ରହିଥିଲା । ୨୦୦୨ ମସିହାରେ କଂଗ୍ରେସରୁ ଜୟଦେବ ସାହୁ ଏହି ଆସନରେ ଜିତିଥିବାବଳେ ବିଜେପି ଦୁଇ ନମ୍ବରରେ ଥିଲା । ତେବେ ଗତ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହିଥିବା କଂଗ୍ରେସକୁ ଏଥର ପ୍ରାର୍ଥୀ ଖୋଜିବାକୁ ପଡ଼ୁଛି ଯଦିଓ ଗତ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହିଥିଲା କଂଗ୍ରେସ ।ସାଧାରଣରେ ଏହି ଜୋନ ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ବିଜେଡ଼ି ଓ ବିଜେପି ମଧ୍ୟରେ ଲଢେଇ ଜୋର ହେବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ତେବେ ପ୍ରାର୍ଥୀ ଚୂଡ଼ାନ୍ତ ପରେ ଆଲୋଚନା ଶେଷ ହେବ କିନ୍ତୁ ସେଇଠୁ ଆରମ୍ଭ ହେବ ଅସଲ ଲଢେଇ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.