କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କାକିରିଗୁମା ପଞ୍ଚାୟତ ହଲ ଠାରେ ଯୁନିସେଫ ର ”ସମ୍ପୂର୍ଣ ବାର୍ତ୍ତା” ତରଫରୁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଠାରେ ଲକ୍ଷ୍ମୀପୁର ସ୍ୱାସ୍ଥ୍ୟ କର୍ମଚାରୀ ଦାନୁ କଲେକା ଏବଂ ମନାରମା ସାହୁ ଯୋଗ ଦେଇଥିଲେ । ସମ୍ପୃକ୍ତ ବ୍ଲକର କେଲାର ସବ ସେଣ୍ଟର, ଗୌଡ଼ଗୁଡା ସବ ସେଣ୍ଟର, ଭିତର ଗଡ଼ ସବ ସେଣ୍ଟର ଓ ପଞ୍ଚଡା ସବ ସେଣ୍ଟରର ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ, ଗୁଣିଆ, ଦିଶାରୀ, ଢ଼ାଇ, ୱାର୍ଡ ସଭ୍ୟ ଏବଂ ସ୍ବେଛାସେବୀମାନେ ଉପସ୍ଥିତ ରହିଥିଲେ । ସାମାଜିକ ଦୂରତା ଓ କରନା ନିୟମରେ ସଭା ଆୟୋଜନ କରାଯାଇଥିଲା । ବର୍ତ୍ତମାନର ସମୟରେ ମହାମାରୀ କରୋନା ଓ ଓମୋକ୍ରିନ କିପରି ବୃଦ୍ଧି ପାଉଛି, ଏଥିରୁ କେମିତି ମୁକ୍ତି ପାଇପାରିବେ ସେ ବିଷୟରେ ଉପସ୍ଥିତ ସମସ୍ତଙ୍କୁ ତାଲିମ ଦିଆଯାଇଥିଲା । ଏହା ବ୍ୟତୀତ ମାଆ ଓ ଶିଶୁର ଯତ୍ନ ଏବଂ ସୁଷମ ଖାଦ୍ୟ ସମ୍ପର୍କରେ ମଧ୍ୟ ଶ୍ରୀ କଲେକା ଓ ଶ୍ରୀମତୀ ସାହୁ ତାଲିମ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ବିକ୍ରମ କେଶରୀ ଜେନା ଯୋଗ ଦେଇ ଗ୍ରାମାଞ୍ଚଳର ସ୍ବେଛାସେବୀ ଓ ଆଶା, ଅଙ୍ଗନବାଡି କର୍ମୀମାନଙ୍କ ସମନ୍ୱୟ ରହିଲେ ସବୁକିଛି ସମ୍ଭବ ବୋଲି ବୁଝାଇଥିଲେ । ଅନୁଷ୍ଠାନ ତରଫରୁ ଉପସ୍ଥିତ ସମସ୍ତଙ୍କୁ କରୋନା କିଟ୍ ଯଥା ମାସ୍କ, ସାନିଟାଈଜର, ସାବୁନ ଓ ସାବୁନ ବକ୍ସ ବଣ୍ଟନ କରାଯାଇଥିଲା । ଶେଷରେ ତାଲିମରେ ଯୋଗ ଦେଇଥିବା ସମସ୍ତଙ୍କୁ ନେଇ ଏକ ହାତ ଧୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ଲକ ସଂଯୋଜକ ଜଗେଶ୍ୱର ନାୟକ ତାଲିମ ଶିବିର ପରିଚାଳନା କରିଥିଲେ ।