ଟ୍ୟିୁସନ ଯିବା ଛାତ୍ରକୁ ରୁମାଲ ଶୁଘାଂଇ ଅଚେତ କଲେ ଦୁର୍ବୁତ, କାରଣ ଅସ୍ପଷ୍ଟ

● ରାୟଗଡା ଟାଉନ ଥାନା ପୋଲିସର ତଦନ୍ତ ଆରମ୍ଭ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ମହକୁମାରେ ବୃଦ୍ଧି ପାଉଥିବା ଅପରାଧିକ କାର୍ଯ୍ୟକଳାପକୁ ରାୟଗଡା ଟାଉନ ଥାନା ପୋଲିସ ରୋକିବାରେ ଯେତେ ଉଦ୍ୟମ କରୁଥିଲେ ମଧ୍ୟ ଦିନକୁ ଦିନ ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି । ଟ୍ୟିୁସନ ଯାଉଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରକୁ ଦୁଇ ଜଣ ଅଜଣା ଦୁର୍ବୁତ ରୁମାଲ ଶୁଘାଂଇ ବେହୋସ କରି ନେଇ ଗୋଟିଏ ନିଚ୍ଛାଟିଆ ଜଙ୍ଗଲିଆ ଅଂଚଳରେ ଛାଡି ଦେଇ ଚାଲିଯାଇଥିବା ଘଟଣା ଏବେ ସହରରେ ଚାଂଚଲ୍ୟ ସୃଷ୍ଟି କରିଛି । କିଏ ଓ କାହିଁକି ଜଣେ ପିଲାଟିକୁ ରୁମାଲ ଶୁଘାଂଇ ଏକୁଟିଆ ଛାଡି ଦେଇ ଚାଲିଗଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଘଟଣା ପଛର ରହସ୍ୟ କଣ ରହିଛି ତାହା ପୋଲିସ ତଦନ୍ତ ପରେ ଜଣାପଡିବ । ଘଟଣାଟି ଘଟିଛି ରାୟଗଡା ସହରର ସାଇପ୍ରିୟା ନଗରସ୍ଥିତ ସାଇ ଇଂଟରନ୍ୟାସନାଲ ମୁଖ୍ୟ ରାସ୍ତାରେ । ତେବେ ଥାନାରେ ଏତଲା ପରେ ଘଟଣାସ୍ଥଳକୁ ପୋଲିସ ଯାଇ ତଦନ୍ତ ଆରମ୍ଭ କରିବା ସହ ସ୍ଥାନୀୟ ଅଂଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଂଚ କରିଥିବା ଜଣାପଡିଛି ।


ଘଟଣାରେ ଶୀକାର ହୋଇଥିବା ଅଷ୍ଟମ ଶ୍ରେଣୀର ଛାତ୍ରଜଣଙ୍କ ଘର ସାଇପ୍ରିୟା ନଗରରେ ବୋଲି ଜଣାପଡିଛି । ଏ ନେଇ ତାଙ୍କ ବାପା ଓ ମାଙ୍କ ପକ୍ଷରୁ ରାୟଗଡା ଟାଉନ ଥାନାରେ ଏକ ଏତଲା ଦିଆଯାଇଛି । ଏ ନେଇ ମିଳିଥିବା ସୂଚନା ପ୍ରକାରେ ସାଇପ୍ରିୟା ନଗରରେ ରହୁଥିବା ୧୩ ବର୍ଷର ପୁଅ ରଂଜିତ (ଛଦ୍ମନାମ) ପ୍ରତିଦିନ ଭଳି ଗତକାଲି ଅପରାହ୍ନ ୪ଟା ସମୟରେ ମଧ୍ୟ ଘରୁ ସାଇକେଲ ଓ ବହି ବ୍ୟାଗ ଧରି ରାଣୀଗୁଡା ଫାର୍ମ ଅଂଚଳକୁ ଟ୍ୟିୁସନ୍ ଯିବା ପାଇଁ ବାହାରିଥିଲା । ତେବେ ଘର ଠାରୁ ହୋଟେଲ ସାଇ ଇଂଟରନ୍ୟାସନାଲ – ବାରିଝୋଲା ମୁଖ୍ୟ ରାସ୍ତାରେ ପଂହଚିଥିବା ବେଳେ ଉକ୍ତ ରାସ୍ତାରେ ଥିବା ଶିବ ମନ୍ଦିର ନିକଟସ୍ଥ ଏକ ଦୋକାନ ସମ୍ମୁଖରେ ଜଣେ ଦୁର୍ବୁତ ମୁହଁରେ ମାସ୍କ, ଚଷମା ଓ ଟୋପି ଲଗାଇ ମୋ ସାଙ୍ଗଟି ଅଳ୍ପ ଦୂରରେ ବେହୋସ ହୋଇ ପଡି ରହିଛି । ତାକୁ ଗାଡିରେ ବସାଇବା ପାଇଁ ମୋତେ ଟିକିଏ ସାହାର୍ଯ୍ୟ କରିବା ପାଇଁ ରଂଜିତକୁ ଅନୁରୋଧ କରିଥିଲା ।

ତେବେ ଦୁର୍ବୁତଙ୍କ ଷଡଯନ୍ତ୍ରକୁ ନ ବୁଝିପାରି ରଂଜିତ ପୁରୁଣା ରିଜର୍ଭ ପୋଲିସ ଠାରେ ଥିବା ନୀଳଗିରି ଜଙ୍ଗଲିଆ ସ୍ଥାନକୁ ଯାଇଥିଲା । ସେଠାରେ ଯୋଜନା ମୁତାବକ ପୂର୍ବରୁ ଶୋଇରହିଥିବା ଅନ୍ୟ ଜଣେ ଦୁର୍ବୁତକୁ ରଂଜିତ ଉଠାଇବାକୁ ଚେଷ୍ଠା କରୁଥିବା ସମୟରେ ପାଖରେ ରଖିଥିବା ଏକ ରୁମାଲ ରଂଜିତର ନାକକୁ ଶୁଘାଂଇ ଦେଇଥିଲା ପଡିରହିଥିବା ଦୁର୍ବୁତ । ଫଳରେ ଘଟଣାସ୍ଥଳରେ ରଂଜିତ ଚେତାଶୂନ୍ୟ ହୋଇଗଲା । ତେବେ ରାତ୍ର ପାଖାପାଖି ସାଢେ ୭ଟା ସମୟ ତଥା ଘଟଣାର ତିନିଘଂଟା ବିତିବା ପରେ ରଂଜିତ ହୋସରେ ଆସିବା ପରେ ଅନ୍ଧରିଆ ସ୍ଥାନରେ ନିଜକୁ ଏକୁଟିଆ ପାଇଥିଲା । ସେଠାରୁ ସେ ଭୟଭୀତ ଅବସ୍ଥାରେ ରାସ୍ତା ଉପରକୁ ଆସିଥିବା ବେଳେ ରାସ୍ତା କଡରେ ସେ ଛାଡିଯାଇଥିବା ସାଇକେଲ ଓ ଟ୍ୟିୁସନ ବ୍ୟାଗଟି ଯଥା ସ୍ଥାନରେ ପାଇଥିଲା । ପରେ ସେ ଘରକୁ ଆସି ନିଜ ସହିତ ବିତିଥିବା ଘଟଣା ସଂପର୍କରେ ମା ଓ ବାପାଙ୍କୁ ଜଣାଇଥିଲା । ଦୁର୍ବୁତ ୨ଜଣ ଓଡିଆ ଭାଷାରେ କଥାବାର୍ତା ହେଉଥିବା ନେଇ ରଂଜିତ ପରିବାର ଲୋକଙ୍କୁ ଜଣାଇଥିଲା । ତେବେ ଜଣେ ଟ୍ୟିୁସନ ଛାତ୍ରକୁ କାହିଁକି ରାସ୍ତା ଉପରେୁ ଡାକିନେଇ ରୁମାଲ ଶୁଘାଂଇ ବେହୋସ କରି ଦେଇ ଛାଡି ଚାଲିଗଲେ କିମ୍ବା ଦୁର୍ବୁତମାନଙ୍କ କଣ ମନ୍ଦ ଉଦ୍ଦେଶ୍ୟ ରହିଥିଲା ତାହା ଅସ୍ପଷ୍ଟ ରହିଥିବା ବେଳେ ଆଜି ରାୟଗଡା ଥାନାରେ ଏ ନେଇ ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ପରେ ରଂଜିତଙ୍କୁ ପୋଲିସ ଘଟଣା ସଂପର୍କରେ ଅଧିକ ତଥ୍ୟ ଯୋଗାଡ ପାଇଁ ନୀଳଗିରି ତୋଟା ଅଂଚଳକୁ ଯାଇଥିଲା । ତେବେ ଘଟଣାର ତଦନ୍ତ ଜାରି ରହିଥିବାରୁ ବର୍ତମାନ କିଛି କହିହେବ ନାହିଁ ବୋଲି ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.