● ଏସଏଚଜି ସଭାନେତ୍ରୀରୁ ସମିତିସଦସ୍ୟ ପ୍ରାର୍ଥିନୀ ଟିନା କରୁଆଁ
ଲାଞ୍ଜିଗଡ଼: ଏଥର ପଞ୍ଚାୟତ ନିର୍ବାଚନ ଅନେକ କାରଣରୁ ରୋଚକ ହେବାକୁ ଯାଉଛି । ମହାମାରୀ କରୋନାର ଭୟାବହତା ସମୟରେ ନିର୍ବାଚନର ଘନଘଟା ବଳେଇ ପଡ଼ୁଥିବାବେଳେ ପ୍ରଥମ ଥର ପାଇଁ ଯୁବ ବର୍ଗ ଓ ଉଚ୍ଚଶିକ୍ଷିତ ବର୍ଗର ଯୁବକଯୁବତୀମାନେ ପଞ୍ଚାୟତ ରାଜନୀତିରେ ଭାଗ ନେବାକୁ ଆଗେଇ ଆସୁଛନ୍ତି । ସଂଖ୍ୟାଧିକ ଯୁବବର୍ଗର ପ୍ରାର୍ଥୀମାନେ ରାଜନୀତି ମଇଦାନକୁ ଓହ୍ଲାଉଥିବାବେଳେ ରାଜନୀତିକୁ ହସ୍ତମୁଦି ମାହାଲ କରିଥିବା ବ୍ୟକ୍ତିବିଶେଷଙ୍କ ଚେହେରା ମଳିନ ପଡ଼ିଯାଇଛି । ପୁରୁଣା ରାଜନୀତିଆମାନଙ୍କୁ ହଟାଇ ଭୋଟରମାନେ ଏବେ ନୂଆମୁହଁକୁ ପ୍ରାଥମିକତା ଦେଉଥିବାବେଳେ ରାଜନୀତିକୁ ଓହ୍ଲାଉଥିବା ଯୁବ ବର୍ଗର ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ଏହାର ସିଧାସଳଖ ଫାଇଦା ନେବାରେ ସକ୍ଷମ ହୋଇପାରନ୍ତି ବୋଲି ଆକଳନ କରାଯାଉଛି ।ଏପରିସ୍ଥଳେ ମହିଳା ସଶକ୍ତିକରଣକୁ ମଧ୍ୟ ଗୁରୁତ୍ବ ଦିଆଯାଉଥିବାବେଳେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ନେତ୍ରୁତ୍ବ ନେଉଥିବା ମହିଳାମାନେ ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ତ୍ରୁଣମୂଳ ସ୍ତରର ଗଣତନ୍ତ୍ର ପାଇଁ ନିଶ୍ଚିତ ଭାବେ ଶୁଭ ସୂଚନା ବୋଲି କୁହାଯାଇପାରେ । ଏହିପରି ଭାବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର କଦମ୍ବଗୁଡ଼ା ଗ୍ରାମପଞ୍ଚାୟତରେ ସମିତିସଦସ୍ୟା ପ୍ରାର୍ଥିନୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଟିନା କରୁଆଁଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଜଣେ ଶିକ୍ଷିତ ଏବଂ ସଚେତନ ମହିଳା ଭାବେ ସେ ଅଞ୍ଚଳର ଅନେକ ସମସ୍ୟାର ନିରାକରଣ ପାଇଁ ଅଣ୍ଟା ଭିଡ଼ି ବାହାରି ପଡ଼ୁଥିବାବେଳେ ଏଥର କଦମ୍ବଗୁଡ଼ା ଗ୍ରାମପଞ୍ଚାୟତର ବିଭିନ୍ନ ମୌଳିକ ସମସ୍ୟାର ସଠିକ୍ ସମାଧାନ ପାଇଁ ସେ ପ୍ରାର୍ଥୀ ହୋଇଥିବା ସୂଚନା ଦେଇଛନ୍ତି । ସେହିପରି ନବଗଠିତ କଦମ୍ବଗୁଡ଼ା ଗ୍ରାମପଞ୍ଚାୟତରେ ଆଜି ବି ଅନେକ ସମସ୍ୟା ଲାଗି ରହିଥିବାବେଳେ ତାହାର ସମାଧାନ ତଥା ଜନମତକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି । ଅପରପକ୍ଷରେ, ତାଙ୍କ ସ୍ବାମୀ ତଥା ଯୁବ ସମାଜସେବୀ ସୁଶୀଲ କୁମାର ବାଗ, ଦୀର୍ଘ ଦଶବର୍ଷରୁ ଅଧିକ ସମୟ ଧରି ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳର ବିକାଶ ଓ ଜୀବନଧାରଣ ମାନରେ ଉନ୍ନତି ପାଇଁ ପ୍ରଚେଷ୍ଟା ଜାରି ରଖିଥିବାବେଳେ କଦମ୍ବଗୁଡ଼ା ଗ୍ରାମପଞ୍ଚାୟତର ଲୋକଙ୍କ ଦୁଃଖସୁଖରେ ବରାବର ଠିଆହେବା ସହ ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ ଜାରି ରଖିବା ସହ ଅଞ୍ଚଳରେ ବେଶ୍ ଲୋକପ୍ରିୟତା ହାସଲ କରିବା ସହିତ ଘରେଘରେ ପରିଚିତି ଲାଭ କରିଛନ୍ତି । ଏପରିକି ତାଙ୍କ ପ୍ରଚ୍ଛନ୍ନ ଉଦ୍ୟମ ଯୋଗୁଁ କଦମ୍ବଗୁଡ଼ା ଗ୍ରାମପଞ୍ଚାୟତର ବିଭିନ୍ନ ଗାଁରେ ମୋବାଇଲ୍ ସେବା ମିଳିବା ପାଇଁ ଏକ ପ୍ରକାର ପଥ ପରିଷ୍କାର ହୋଇଛି । ଏଣୁ ଉଭୟ ପତି-ପତ୍ନୀଙ୍କ ଅଞ୍ଚଳ ପ୍ରତି ତ୍ୟାଗ ଓ ସେବା ମନୋଭାବନାକୁ ଦୃଷ୍ଟିରେ ରଖି ଜନମତ ତାଙ୍କ ଆଡ଼କୁ ଢଳିବାର ସମ୍ଭାବନା ରହିଛି ।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in