ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ସହରସ୍ଥିତ ପ୍ରଗତି ଶିକ୍ଷାନୁଷ୍ଠାନରେ ପ୍ରଗତି ପ୍ରତିଭା ପରୀକ୍ଷାକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଗତି ଶିକ୍ଷାନୁଷ୍ଠାନର ମୁଖ୍ୟ ଅଜୟ ପଣ୍ଡା, ଚେୟାର ପର୍ସନ ସୁଶ୍ରୀ ସଂଗୀତା ପଣ୍ଡା, ପ୍ରଶାସନିକ ଅଧିକାରୀ ପ୍ରଣବ ପଣ୍ଡା, ମୁଖ୍ୟ ଶିକ୍ଷା ସଂଯୋଜକ ବିଶ୍ୱଜିତ ବି ମହାନ୍ତି, ଅଧ୍ୟକ୍ଷ ବିନୋଦ ବିହାରୀ ପ୍ରଧାନ, ଅଶୋକ କୁମାର ସାହୁ ପ୍ରମୂଖ ଉପସ୍ଥିତ ଥିଲେ ।
ପ୍ରଗତି ଶିକ୍ଷାନୁଷ୍ଠାନର ମୁଖ୍ୟ ଶ୍ରୀ ପଣ୍ଡା ପ୍ରଗତି ପ୍ରତିଭା ପୁରସ୍କାରର ସ୍ୱରୂପ ସମ୍ପର୍କରେ ଆଲୋଚନା କରିବାକୁ ଯାଇ କହିଥିଲେ କି, ବହୁ ପ୍ରତୀକ୍ଷିତ ପ୍ରଗତି ଶିକ୍ଷାନୁଷ୍ଠାନ ଦ୍ୱାରା ପ୍ରଦାନ କରାଯାଉଥିବା ଲୋକପ୍ରିୟ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରଗତି ପ୍ରତିଭା ପୁରସ୍କାର ପ୍ରଦାନ ନିମନ୍ତେ ଆସନ୍ତା ଫେବ୍ରୁଆରୀ ୨୭ ତାରିଖରେ ଓଡ଼ିଆ ମାଧ୍ୟମର ଛାତ୍ରଛାତ୍ରୀମାନଙ୍କୁ ନେଇ ଏବଂ ମାର୍ଚ୍ଚ ୬ ତାରିଖରେ ଇଂରାଜୀ ମାଧ୍ୟମର ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରଗତି ପ୍ରତିଭା ପରୀକ୍ଷା ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହେବ । ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ପରୀକ୍ଷାକୁ ଏକ ଲୋକପ୍ରିୟ ତଥା ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ଭାବରେ ବିବେଚନା କରାଯାଇଛି ।
ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ହେଉଛି ଛାତ୍ରଛାତ୍ରୀମାନଙ୍କ ଯୋଗ୍ୟତା, ପରିଶ୍ରମ ଏବଂ ଚରିତ୍ରର ଉତ୍କର୍ଷତା ହାସଲ କରିବାର ପ୍ରକୃଷ୍ଟ ମାନଦଣ୍ଡ । ଛାତ୍ରଛାତ୍ରୀମାନେ ସେମାନଙ୍କର ଗୁଣାତ୍ମକ ଯୋଗ୍ୟତା ପ୍ରଦର୍ଶନ କରିବା ପାଇଁ ପ୍ରଗତି ଟ୍ରଷ୍ଟ ଏହି ପୁରସ୍କାର ପ୍ରସ୍ତୁତ କରିଛି । ଏକ ପ୍ରତିଯୋଗିତାମୂଳକ ପୁରସ୍କାର ଭାବରେ ପ୍ରଗତି ପ୍ରତିଭା ପୁରସ୍କାର ଅଧ୍ୟୟନ କ୍ଷେତ୍ରରେ ସମ୍ମାନଜନକ ଏବଂ ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ଼ ସୁଯୋଗ ଆଣିଥାଏ । ଏହି ପରୀକ୍ଷାରେ ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମରେ ଦଶମ ଶ୍ରେଣୀରେ ଅଧ୍ୟୟନ କାରୁଥିବା ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇପାରିବେ । ଉକ୍ତ ପରୀକ୍ଷା ନିମନ୍ତେ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନାମ ପଞ୍ଜୀକରଣ କରିଛନ୍ତି ।
ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରଗତି କଲେଜ ପରିସରରେ ଅଫଳାଇଅନ ମାଧ୍ୟମରେ ଆଉ ଏକ ପରୀକ୍ଷା ଅନୁଷ୍ଠିତ ହେବ । ଅଫଳାଇଅନ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କର ଫଳାଫଳକୁ ଆଧାର କରି ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଏଥିରେ ମନୋନୀତ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହିତ ନଗଦ ଅର୍ଥରାଶି ସ୍ୱରୂପ ପୁରସ୍କାର ପ୍ରଦାନ କରାଯିବ । ଏହା ସହିତ ପ୍ରଗତି ଶିକ୍ଷାନୁଷ୍ଠାନରେ ପଢିବାକୁ ଇଚ୍ଛା କରୁଥିବା ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଏତଦ ବ୍ୟତୀତ ପ୍ରତିବର୍ଷ ପ୍ରଗତି ଶିକ୍ଷାନୁଷ୍ଠାନରେ ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବିନା ଶୁଳ୍କରେ +୨ ଶ୍ରେଣୀରେ ଅଧ୍ୟୟନ କରିବାର ସୁଯୋଗ ଦିଆଯାଉଛି ।
ଏହି ଆଲୋଚନା ଚକ୍ରର ପରିଶେଷରେ ଅନୁଷ୍ଠାନର ଚେୟାର ପରସନ ସୁଶ୍ରୀ ସଂଗୀତା ପଣ୍ଡା ପ୍ରଗତି ପ୍ରତିଭା ପରୀକ୍ଷାରେ ଭାଗ ନେବାକୁ ଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଅଭିବାଦନ ଜଣେଇବା ସହ ବହୁ ସଂଖ୍ୟାରେ ଯୋଗଦାନ ପୂର୍ବକ ପରୀକ୍ଷାକୁ ସଫଳ କରିବା ପାଇଁ ଆହ୍ୱାନ କରିଥିଲେ ।