ଋଷ-ୟୁକ୍ରେନ ଯୁଦ୍ଧ: ଜାଣନ୍ତୁ, କାହା ସହ ଠିଆ ହୋଇଛି ଭାରତ ?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ସକାଳେ ୟୁକ୍ରେନରେ ଯୁଦ୍ଧ ଘୋଷଣା କରିବା ପରଠାରୁ ଏହାର ରାଜଧାନୀ କିଭ୍ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳ ବିସ୍ଫୋରଣ ଦେଖିବାକୁ ମିଳିଛି । ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ସରକାରୀ ସ୍ତରରେ ଭାରତର ପ୍ରଥମ ପ୍ରତିକ୍ରିୟା ହସ୍ତଗତ ହୋଇଛି । ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ଼ଃ ରାଜକୁମାର ରଞ୍ଜନ ସିଂ କହିଛନ୍ତି ଯେ, ଭାରତର ଆଭିମୁଖ୍ୟ ନିରପେକ୍ଷ ଏବଂ ଆମେ ଶାନ୍ତିପୂର୍ଣ୍ଣ ସମାଧାନ ଆଶା କରୁଛୁ । ଭାରତର ଏହି ଆଭିମୁଖ୍ୟକୁ ଋଷ ସ୍ୱାଗତ କରିଛି । ଏଠାରେ ପ୍ରକାଶଯୋଗ୍ୟ ଯେ, ରୁଷ ଦ୍ୱାରା ଆକ୍ରମଣ ଘୋଷଣା ହେବା ପରଠାରୁ ଉଭୟ ପକ୍ଷର ଦାବି ଏବଂ ପ୍ରତିବାଦର ପ୍ରକ୍ରିୟା ଜାରି ରହିଛି । ଋଷ ସମର୍ଥିତ ବିଚ୍ଛିନ୍ନତାବାଦୀମାନେ ୟୁକ୍ରେନର ଦୁଇଟି ସହରକୁ ନିୟନ୍ତ୍ରଣ କରିବାକୁ ଦାବି କରିଛନ୍ତି । ଅନ୍ୟପକ୍ଷରେ, ନିଉଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ ୟୁକ୍ରେନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ରାଜଧାନୀ କ୍ୱିଭରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ, ଅନ୍ୟ ଏକ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ୟୁକ୍ରେନର ବାୟୁସେନା ଏବଂ ସାମରିକ ଭିତ୍ତିଭୂମିକୁ ଆମେ ନଷ୍ଟ କରିସାରିଛୁ । ଏହାପୂର୍ବରୁ ବୁଧବାର ଦିନ ଋଷ ଭାରତର ଏହି ଆଭିମୁଖ୍ୟକୁ ସ୍ୱାଗତ କରିଥିଲା । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନ ସଙ୍କଟ ଉପରେ ଭାରତର ଆଭିମୁଖ୍ୟ ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ତଥା ସୁବିଧାଜନକ ରଣନୀତିକ ଭାଗିଦାରୀକୁ ପ୍ରତିଫଳିତ କରିଛି ବୋଲି ଋଷ କହିଛି । ଋଷର ଡେପୁଟି ଚିଫ୍ ରୋମାନ୍ ବାବୁସ୍କିନ୍ କହିଛନ୍ତି ଯେ, ଭାରତ ଏକ ଦାୟିତ୍ୱପୂର୍ଣ୍ଣ ବିଶ୍ୱ ଶକ୍ତି ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଏବଂ ବିଶ୍ୱ ବ୍ୟାପାରରେ ଏକ ମୁକ୍ତ ଏବଂ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସଙ୍କଟ ପ୍ରତିରକ୍ଷା ସମେତ ଭାରତ-ଋଷ ସମ୍ପର୍କକୁ ପ୍ରଭାବିତ କରିବ ନାହିଁ ଏବଂ ଆସନ୍ତା ମାସରେ ଗୁଜରାଟରେ ହେବାକୁ ଥିବା ପ୍ରତିରକ୍ଷା ଏକ୍ସପୋରେ ଋଷର ବହୁ ଅଂଶଗ୍ରହଣ ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.