କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜଣାଇଲେ କୃତଜ୍ଞତା
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରୁଷ- ୟୁକ୍ରେନ ଯୁଦ୍ଧ ପାଇଁ ହଜାର ହଜାର ଡାକ୍ତରୀ ଶିକ୍ଷା ନେଉଥିବା ଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ କି ? ଏପରି ଚିନ୍ତା ଘାରିଛି ୟୁକ୍ରେନରୁ ଫେରିଥିବା ଛାତ୍ରମାନଙ୍କ ଅଭିଭାବକଙ୍କ ମଧ୍ୟରେ । ତେବେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିମାନ ବନ୍ଦରରେ ଫେରିଥିବା ଛାତ୍ରମାନଙ୍କ ସହ ଯୁଦ୍ଧ ସମୟର ଅନୁଭୂତିକୁ ପଚାରି ବୁଝିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଯୁଦ୍ଧ ପାଇଁ ଅଧାରୁ ଡାକ୍ତରୀ ପାଠ ଛାଡି ଆସିଥିବା ଓଡିଶାର ଛାତ୍ରମାନଙ୍କ କ୍ଷେତ୍ରରେ ପାଠ୍ୟକ୍ରମ ଶେଷ କରିବା ପାଇଁ ପଢିବାର ସୁବିଧା ସୁଯୋଗ ନିମନ୍ତେ ଚିଠି ଲେଖିଥିବା କହି ଛାତ୍ରଙ୍କୁ ଆଶ୍ୱସନା ଦେଇଛନ୍ତି ବୋଲି ୟୁକ୍ରେନରୁ ସୁରକ୍ଷିତ ଭାବେ ରାୟଗଡା ଫେରିଥିବା ଡାକ୍ତରୀ ଛାତ୍ର ଆଦିତ୍ୟ ନାରାୟଣ ପାତ୍ର ପ୍ରକାଶ କରିଛନ୍ତି । ଆଉ ରୁଷ -ୟୁକ୍ରେନ ମହାଯୁଦ୍ଧକୁ ଅତି ନିକଟରୁ ଦେଖିଥିବା ଅନୁଭୂତିକୁ ପ୍ରକାଶ କରିଛନ୍ତି । ଆଦିତ୍ୟ ୟୁକ୍ରେନର ଖାରକିଭ ନେସନାଲ ମେଡିକଲ ୟୁନିଭରସିଟିରେ ତୃତୀୟ ବର୍ଷରେ ଅଧ୍ୟୟନରତ ଥିଲେ । ସେ ଗତ ୨୦୧୯ ମସିହାରୁ ୟୁକ୍ରେନରେ ଡାକ୍ତରୀ ପାଠ ପଢୁଛନ୍ତି । ତେବେ ଗତ ଫେବୃଆରୀ ୨୪ତାରିଖରୁ ରୁଷ ଓ ୟୁକ୍ରେନ ମଧ୍ୟରେ ହଠାତ୍ ଯୁଦ୍ଧ ଆରମ୍ଭ ହେବା ଫଳରେ ସେଠାରେ ସେ ଫସି ରହିଥିଲେ । ନିଜ ୟୁନଭରସିଟି ନିକଟରେ ଦିନ ରାତି ଯୁଦ୍ଧ ବିମାନ ଦ୍ୱାରା ବୋମା ଓ ମିସାଇଲ ମାଡରେ ଥରି ଉଠୁଥିଲା ଖାରକିିଭ ଓ କିଭ ସହର । ଫଳରେ ଭୟରେ ରହିଥିଲେ ଛାତ୍ରମାନେ । ଯୁଦ୍ଧ ହେବାର ଆଶଙ୍କା ନ ଥିବାରୁ ଆଦିତ୍ୟଙ୍କ ସମେତ ଅନ୍ୟ ଛାତ୍ରମାନେ ମଧ୍ୟ ଯୁଦ୍ଧ ପରିସ୍ଥିିତିକୁ ମୁକାବିଲା ପାଇଁ ପ୍ରସ୍ତୁତ ନ ଥିଲେ । ତେଣୁ ଖାଇବା, ପାଣି ପିଇବା ଓ ବାହାରକୁ ଯିବା ପାଇଁ ପାଖେ ଅଳ୍ପ ଟଙ୍କା ଥିବାରୁ ସେ ନିକଟସ୍ଥ ଏଟିଏମଗୁଡିକୁ ଯାଇଥିବା ବେଳେ ସେଠାରେ ୟୁକ୍ରେନ ଓ ଭାରତୀୟମାନଙ୍କ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ପାଇଥିଲେ । ଯୁଦ୍ଧ ଆରମ୍ଭ ଦିନ ଠାରୁ ନିଜ ହଷ୍ଟେଲରେ ଥିବା ବେସମେଂଟରେ ସେ ରହିଥିଲେ । ୟୁନିଭରସିଟି ତରଫରୁ ଶ୍ରୀଘ୍ର ଯୁଦ୍ଧ ବନ୍ଦ ହୋଇଯିବ ବୋଲି ଆଶ୍ୱସନା ଦିଆଯାଉ ଥିବା ବେଳେ ଦିନକୁ ଦିନ ଯୁଦ୍ଧ ଆହୁରି ଭୟଙ୍କର ହେବାରେ ଲାଗିଥିବା ଆଦିତ୍ୟ କହିଛନ୍ତି । ଏହି ସମୟରେ ଆଦିତ୍ୟ ରାୟଗଡାରେ ରହୁଥିବା ନିଜ ବାପାମାଙ୍କ ସହ କଥାବାର୍ତା ହୋଇ ଫେରି ଆସିବାକୁ ଆକୁଳ ହୋଇଥିଲେ । ଦିଲ୍ଳୀରେ ରହି ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆଦିତ୍ୟଙ୍କ ବଡ ଭାଇ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ରୁଷ ଓ ୟୁକ୍ରେନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଯୋଗସୂତ୍ର ରଖି ଆଦିତ୍ୟଙ୍କୁ ଭରସା ଯୋଗାଉଥିଲେ । ମାର୍ଚ୍ଚ ୧ତାରିଖରେ ପର୍ଯ୍ୟନ୍ତ ସେ ନିଜ ୟୁନିଭରସିଟିର ବଙ୍କରରେ ଆଶ୍ରୟ ନେବା ପରେ ୨ତାରିଖରେ ଖାରକିଭ୍ ସହର ଛାଡିବା ପାଇଁ ପାଖାପାଖି ୧ହଜାର ଛାତ୍ର ଚାଲି ଚାଲି ଦଶ କିଲୋମିଟର ଦୂର ରେଳବାଇ ଷ୍ଟେସନ ନିକଟରେ ପଂହଚିଥିଲେ । ତେବେ ସେଠାରେ ୟୁକ୍ରେନ ଓ ଭାରତୀୟ ସମେତ ଅନ୍ୟ ଦେଶର ଲକ୍ଷାଧିକ ଲୋକେ ଟ୍ରେନ ଅପେକ୍ଷାରେ ରହିଥିବା ବେଳେ ପାଖରେ ଥିବା ଏକ ବିଲଡିଂରେ ମଧ୍ୟ ମିସାଇଲ ଆକ୍ରମଣ ହେବାରୁ ଆଦିତ୍ୟ ଓ ଅନ୍ୟମାନେ ନିକଟସ୍ଥ ମେଟ୍ରୋ ଷ୍ଟେସନର ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିଲେ । ପରେ ଇଣ୍ଡିଆନ୍ ଏମ୍ବେସି ତରଫରୁ ୩ ଘଂଟା ମଧ୍ୟରେ ୟୁକ୍ରେନ ଛାଡି ଯିବା ପାଇଁ ଆଦେଶ ଦିଆଯାଇଥିଲା । ପୁଣି ସେଠାରୁ ସେହି ହଜାରେ ପିଲା ୧୫ରୁ ୨୦ କିଲୋମିଟର ଦୂର ଚାଲି ପେଶୋଚିନ୍ ସହରରେ ପହଂଚିବା ମଧ୍ୟରେ ବହୁତ ବୋମାବାରୀ ହେଉଥିବା ଆଦିତ୍ୟ କହିଛନ୍ତି । ସେଠାରୁ ବସ ସାହାର୍ଯ୍ୟରେ ୩୦ଘଂଟା ଯାତ୍ରା କରି ଟେର୍ନୋପିଲ୍ରେ ପଂହଚିଥିଲେ । ପୁଣି ସେଠାରୁ ରୋମାନିଆ ସେଲଟରରେ ପଂହଚିଥିଲେ । ଇଣ୍ଡିଆନ୍ ଏମ୍ବେସି ରୋମାନିଆ ପକ୍ଷରୁ କେନ୍ଦ୍ର ସରକାରଙ୍କ ଅପରେସନ୍ ଗଙ୍ଗା ଅଧିନରେ ପ୍ଳାଂଇଟ ଯୋଗେ ଦିଲ୍ଳୀ ଓ ରାଜ୍ୟ ସରକାରଙ୍କ ସହାୟତାରେ ଭୁବନେଶ୍ୱରରୁ ରାୟଗଡା ଯାଏଁ ପଂହଚି ପାରିଛନ୍ତି ଆଦିତ୍ୟ । ଦିନ ରାତି ବୋମା, ମିସାଇଲ ଓ ଗୁଳି ବର୍ଷଣର ଅନୁଭୂତିକୁ ବଖାଣିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ କୃତଜ୍ଞତା ଜଣାଇଛନ୍ତି ଆଦିତ୍ୟ । ନିଜ ପୁଅକୁ ଫେରାଇ ଆଣିବା ପାଇଁ ସାହାର୍ଯ୍ୟ କରିଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆଦିତ୍ୟଙ୍କ ମାଁ ଧନ୍ୟବାଦ ଜଣାଇଛନ୍ତି ।