କେସିଙ୍ଗା ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଜେପିର ନିର୍ଣ୍ଣାୟକ ଭୂମିକା 

କେସିଙ୍ଗାକୁ ଜିଲ୍ଲାରେ ୧ ନମ୍ବର ବ୍ଲକ ଭାବରେ ପରିଗଣିତ କରିବା -ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ରାଜ୍ୟର ସମସ୍ତ ବ୍ଲକରେ ଅଧ୍ୟକ୍ଷ ପଦବୀ ପାଇଁ ୧୨ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ ମଧ୍ୟ ପୁଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ ଶେଷ ହୋଇଥିଲା । କେସିଙ୍ଗା ବ୍ଲକ ୨୬ ଗୋଟି ପଞ୍ଚାୟତ ରହିଥିବା ବେଳେ ଚଳିତ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ ରହିଥିଲା । ସେହି ଦୃଷ୍ଟିରୁ ଅଧ୍ୟକ୍ଷ ପଦ ହାତେଇବା ପାଇଁ ବିଭିନ୍ନ ରାଜନୈତିକ ଦଳର ଅନେକ ଆଶାୟୀ ପ୍ରାର୍ଥୀ ରହିଥିଲେ । ଯାହାକି କେସିଙ୍ଗା ବ୍ଲକ ଅଧ୍ୟକ୍ଷ ପଦବୀକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା ବେଳେ କାହା ସପକ୍ଷରେ ଯାଉଛି ସେନେଇ ଲୋକଙ୍କ ମନରେ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଥିଲା । ତେବେ ଅଧ୍ୟକ୍ଷ ନିର୍ବାଚନ ପରେ ଚର୍ଚ୍ଚାର ପୂର୍ଣ୍ଣଛେଦ ହୋଇଥିବା ବେଳେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଗଠନ କରିବାରେ ବିଜେଡି ଓ ବିଜେପି ଦଳ ମଧ୍ୟରେ ଗଠବନ୍ଧନ କରାଯାଇ ବିଜେପିର ସମର୍ଥନରେ ବିଜେଡି ବ୍ଲକ ଅଧ୍ୟକ୍ଷ ପଦ ହାତେଇବାରେ ସଫଳ ହୋଇଛି । ହେଲେ କେସିଙ୍ଗା ବ୍ଲକରେ ବିଜେଡିର ପ୍ରାର୍ଥୀ ବ୍ଲକ ଅଧ୍ୟକ୍ଷ ପଦ ହାତେଇଥିଲେ ମଧ୍ୟ ଏଥିରେ ବିଜେପିର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ରହିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, କେସିଙ୍ଗା ବ୍ଲକରେ ୨୬ ଗୋଟି ପଞ୍ଚାୟତ ସମିତି ସଭ୍ୟ ରହିଥିବା ବେଳେ ଅଧ୍ୟକ୍ଷ ପଦବୀ ପାଇଁ ବିଜେଡିରୁ ସମର୍ଥୀତ ପ୍ରାର୍ଥୀ ଭାବେ କଶୃପଡା ସମିତି ସଭ୍ୟ ଚନ୍ଦନ ସେନାପତି, ବିଜେପିରୁ ସିରୋଲ ସମିତି ସଭ୍ୟ ପ୍ରତାପ ବାଗ ଓ ସ୍ବାଧିନ ପ୍ରାର୍ଥୀ ଭାବେ କୁଣ୍ଡାବନ୍ଧ ସମିତି ସଭ୍ୟ ମନୋଜ ପଟ୍ଟନାୟକ ଆଶାୟୀ ପ୍ରାର୍ଥୀ ରହି ସମିତି ସଭ୍ୟ ମାନଙ୍କୁ ଅଜ୍ଞାତବାସରେ ରଖିଥିଲେ । ଯାହାକି ମନୋଜ ପଟ୍ଟନାୟକଙ୍କ ପାଖରେ ୧୨ ଜଣ ସମିତି ସଭ୍ୟ, ଚନ୍ଦନ ସେନାପତିଙ୍କ ପାଖରେ ୯ ଜଣ ଓ ପ୍ରତାପ ବାଗଙ୍କ ପାଖରେ ୫ ଜଣ ସମିତି ସଭ୍ୟ ରହିଥିଲେ । ଯାହାକି ବ୍ଲକ୍ ଅଧ୍ୟକ୍ଷ ଗଠନ କରିବାରେ କାହାକୁ ମଧ୍ୟ ସଂଖ୍ୟା ଗରିଷ୍ଠତା ମିଳିପାରି ନଥିଲା । ଶେଷ ମୁହୁର୍ତ୍ତରେ ବିଜେପି ଓ ବିଜେଡ଼ିର ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ବୁଝାମଣା ହୋଇ ବିଜେଡି ଆଡ଼କୁ ସମର୍ଥନ ହୋଇଥିଲା । ଫଳରେ ବିଜେଡି ଓ ବିଜେପି ମଧ୍ୟରେ ୧୪ ଜଣ ସମିତି ସଭ୍ୟ ଏକତ୍ରିତ ହୋଇ ଶନିବାର ଦିନ ନିର୍ବାଚନରେ ଉପସ୍ଥିତ ରହିଥିଲେ । ଅନ୍ୟପକ୍ଷରେ ସ୍ବାଧିନ ପ୍ରାର୍ଥୀ ମନୋଜ ପଟ୍ଟନାୟକ ଅଧ୍ୟକ୍ଷ ପଦବୀ ହାତେଇବା ପାଇଁ ଶେଷ ପର୍ଯ୍ୟନ୍ତ ତାଙ୍କର ଉଦ୍ୟମ ଜାରି ରଖିଥିଲେ । ତାଙ୍କ ସହିତ ରହିଥିବା ସମିତି ସଭ୍ୟଙ୍କୁ ସାଙ୍ଗରେ ଧରି ନିର୍ବାଚନରେ ଉପସ୍ଥିତ ରହିଥିଲେ । ତେବେ ଅଧ୍ୟକ୍ଷ ପଦ ପାଇଁ ମନୋଜ ପଟ୍ଟନାୟକ ନିଜର ନାମାଙ୍କନ ପତ୍ର ଦାଖଲ କରିବା ପରିବର୍ତ୍ତେ ତାଙ୍କ ସହଧର୍ମିଣୀ ତଥା ଦେଓଗାଁ ପଞ୍ଚାୟତ ସମିତି ସଭ୍ୟା ରାଜଲକ୍ଷ୍ମୀ ପଟ୍ଟନାୟକଙ୍କୁ ଅଧ୍ୟକ୍ଷ ପଦବୀ ଭାବେ ନାମାଙ୍କନ ପତ୍ର ଦାଖଲ କରାଇଥିଲେ । ଯାହାକି ରାଜଲକ୍ଷ୍ମୀ ପଟ୍ଟନାୟକଙ୍କ ସପକ୍ଷରେ ୧୧ ଜଣ ସମିତି ସଭ୍ୟ ଭୋଟ ଦେଇଥିବା ବେଳେ ଅନ୍ୟ ଜଣେ ସମିତି ସଭ୍ୟ ଚନ୍ଦନ ସେନାପତିଙ୍କ ସପକ୍ଷରେ ଭୋଟ ଦେଇଥିଲେ । ଏଥିରେ ଚନ୍ଦନ ସେନାପତି ସପକ୍ଷରେ ସର୍ବମୋଟ ୧୫ ଜଣ ସମିତି ସଭ୍ୟ ଭୋଟ ଦେଇଥିଲେ । କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଭାବେ ଚନ୍ଦନ ସେନାପତି ନିର୍ବାଚିତ ହେବାପରେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, କଳାହାଣ୍ଡି ଜିଲ୍ଲାରେ କେସିଙ୍ଗା ବ୍ଲକକୁ ଏକ ନମ୍ବର ଭାବରେ ପରିଗଣିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ଯାହାକି ସମସ୍ତଙ୍କ ସହଯୋଗ ଦରକାର ବୋଲି ପ୍ରକାଶ କରିଛନ୍ତି । ସେହିପରି ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ରାସନ କାର୍ଡ ପ୍ରଭୃତି ଯୋଗାଇବା ହେଉଛି ପ୍ରାଥମିକ ଲକ୍ଷ୍ୟ ରହିଛି ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.