ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଋତୁରାଜ ବସନ୍ତର ଗାରିମାକୁ ଅଧିକ ମାଦକତାପୂର୍ଣ୍ଣ କରିଦେଉଛି ମହୁଲ ଫୁଲ । ମହୁଲ ଫୁଲର ମହକରେ ମହକିତ ହୋଇ ଉଠିଛି କଳାହାଣ୍ଡି । ଏପଟେ ଢିଳା ସରକାରୀ ବ୍ୟବସ୍ଥା ଯୋଗୁଁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ମହୁଲ ଗୋଟାଳି । ସେମାନଙ୍କୁ ନିଜ ପରିଶ୍ରମର ଉଚିତ ମୁଲ୍ୟ ମିଳିପାରୁନଥିବା ବେଳେ ମାଲାମାଲ ହେଉଛନ୍ତି ଦଲାଲ । କଳାହାଣ୍ଡିର ପ୍ରାୟ ପ୍ରତ୍ୟେକ ଗ୍ରାମର ଅଧିବାସୀମାନେ ଏହି ସମୟରେ ମହୁଲ ଫୁଲ ସଂଗ୍ରହ କରି ବେଶ୍ ଦୁଇ ପଇସା ରୋଜଗାର କରିଥାନ୍ତି । ତେବେ ଦିନକୁ ଦିନ ବିଭିନ୍ନ ଅଞ୍ଚଳରେ ମଦଭାଟି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ମଦଭାଟିରୁ କୋଟି କୋଟି ଟଙ୍କା ରାଜସ୍ୱ ପାଉଛନ୍ତି ସରକାର । କିନ୍ତୁ ମହୁଲର ଅଭାବୀ ବିକ୍ରୀ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ସାଜିଛି ବାଧକ । ଶାାଗ ମାଛ ଦରରେ ଏହାକୁ କିଲୋଗ୍ରାମ ପ୍ରତି ୧୦ ରୁ ୧୨ ଟଙ୍କା ଓ ମାଣ ପ୍ରତି ୩୦ ରୁ ୩୫ ଟଙ୍କାରେ ବିକ୍ରୀ କରୁଛନ୍ତି ଲୋକେ । ମହୁଲ ସଂଗ୍ରହ ପାଇଁ ବା ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୀ ପାଇଁ ସରକାରଙ୍କର ସ୍ୱତନ୍ତ୍ର ନିୟମ ରହିଛି । ମହୁଲ କ୍ରୟ ବିକ୍ରୟ ଉପରେ ଜିଲ୍ଲାର ସମସ୍ତ ପଞ୍ଚାୟତର ଜନ ପ୍ରତିନିଧି ଏବଂ କିଛି ସରକାରୀ କର୍ମଚାରୀଙ୍କ ଗଠିତ କମିଟିରେ ମୂଲ୍ୟ ଧାର୍ଯ୍ୟ ହେବା କଥା । କିନ୍ତୁ ଏ ସବୁରେ ବ୍ୟତିକ୍ରମ ଦେଖାଯାଇଛି । ଗ୍ରାମାଞ୍ଚଳରେ ମଦଭାଟି ମାଲିକ ମାନେ କିଛି ଲୋକଙ୍କୁ ରଖି ଆଗୁଆ କମ୍ ଦରରେ ମହୁଲ କିଣି ଗଚ୍ଛିତ ରଖୁଛନ୍ତି । ପରେ ନାମକୁ ମାତ୍ର କିଛି ମହୁଲ କିଣି ସରକାରୀ ଦପ୍ତରରେ ଦେଖାଣିଆ ଭାବ ଦେଖାଉଛନ୍ତି । ଲଘୁ ବନଜାତ ଦ୍ରବ୍ୟର ଦର ଦାମ କମି ଯାଉଥିବା ବେଳେ, ମହୁଲରେ ତିଆରି ସାମଗ୍ରୀର ମୂଲ୍ୟ ଯୋର ସୋରରେ ବଢୁଛି । କଳାହାଣ୍ଡି ଜିଲ୍ଲାର ଅନେକ ଆଦିବାସୀ ଓ ଜନସାଧାରଣ ମହୁଲ ସଂଗ୍ରହ କରି ଆର୍ଥିକ ସ୍ଥିତିର ସନ୍ତୁଳନ ରକ୍ଷା କରିଥାନ୍ତି । ମହୁଲର ଅଭାବି ବିକ୍ରୀ ସେମାନଙ୍କ ପେଟ ପାଟଣା ପାଇଁ ବାଧକ ସାଜିଥିବା ଅଭିଯୋଗ ହେଉଛି । ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ପୂର୍ବରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ବସି କ୍ରୟ ବିକ୍ରୟ ଉପରେ ଆଲୋଚନା ହେଉଥିଲା । ଏବେ କିଛି ବର୍ଷ ହେବ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଲୋଚନା ହେବା ପୂର୍ବରୁ ଭାଟି ମାଲିକ ମାନେ, ଏପରିକି କିଛି ଖୁଚୁରା ବ୍ୟବସାୟୀ ଗାଁ ଗାଁ ବୁଲି ମହୁଲ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି । ଫଳରେ ସରକାରଙ୍କ ଧାର୍ଯ୍ୟମୂଲ୍ୟ ମୁତାବକ ପାଉଣା ପାଉନଥିବା ଯୋଗୁଁ ସେମାନଙ୍କର ପରିବାରର ଗୁଜୁରାଣ ମେଣ୍ଟାଇବା କାଠିକର ପାଠ ହେଉଛି । ଜିଲ୍ଲା ପ୍ରଶାସନ ଯଦି ଏହି ଦିଗପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଅନ୍ତେ, ତାହେଲେ ମହୁଲର ଅଭାବୀ ବିକ୍ରୀ ଉପରେ ଅଙ୍କୁଶ ଲାଗି ପାରନ୍ତା ଏବଂ ଆଦିବାସୀ ଓ ଜନସାଧାରଣ ମହୁଲର ଉଚିତ୍ ମୂଲ୍ୟ ପାଇ ପାରନ୍ତେ । ଅନ୍ୟପକ୍ଷେ ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରା ଯୋଗୁଁ ଭାଟି ମାଲିକମାନେ ମନମୁତାବକ ମହୁଲ କିଣି ମଦ ତିଆରି କରି ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରୁଛନ୍ତି । ଏନେଇ ଅବକାରୀ ନିରୀକ୍ଷଙ୍କୁ ପଚାରିବାରୁ ଭାଟିବାଲା ମାନଙ୍କର ତ ଲାଇସେନ୍ସ ଅଛି ସେମାନେ କିଣି ପାରିବେ । ହେଲେ ବର୍ତ୍ତମାନ ମାର୍ଚ୍ଚମାସ ଚାଲିଛି ଲାଇସେନସ୍ ସବୁର ରିନୁଆଲ ପ୍ରକ୍ରୀୟା ଚାଲିଛି । ରିନୁଆଲ ପ୍ରକ୍ରୀୟା ସରିଯିବା ପରେ କୋଉ ରେଟରେ ସେମାନେ ମହୁଲ କିଣୁଛନ୍ତି ଜଣାପଡିବ ବୋଲି କହିଥିଲେ ।