ଫେରାଇଲେ ଲକ୍ଷାଧିକ ମୂଲ୍ୟର ଜିନିଷ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ସାହୁଙ୍କ ମାନବିକତାକୁ ନେଇ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି । ପ୍ରାପ୍ତ ସୂଚନା ଆଧାରରେ ଶ୍ରୀ ସାହୁ କେସିଙ୍ଗାକୁ ନିଜର ଜଣେ ବ୍ୟକ୍ତିଙ୍କୁ ଆଣିବାକୁ ଯାଇଥିବା ବେଳେ ଉକ୍ତ ବ୍ୟକ୍ତିଙ୍କ ବ୍ୟାଗକୁ ଅନ୍ୟ ଜଣେ ନେଇ ତାଙ୍କ ବ୍ୟାଗ ଛାଡିଦେଇଥିବା ଜାଣିବାକୁ ପାଇଥିଲେ । ତେବେ ବ୍ୟାଗ ଛାଡିଥିବା ବ୍ୟକ୍ତିଙ୍କର ବ୍ୟାଗରେ ମୋବାଇଲ, ସୁନା ଓ ରୂପା ଅଳଙ୍କାର ଏବଂ ଅନ୍ୟାନ୍ୟ ସାମଗ୍ରୀ ଥିଲା । ବସରେ ଆସୁଥିବା ବେଳେ ସେ ଭୁଲବଶତଃ ନିଜ ବ୍ୟାଗ ବଦଳରେ ଶ୍ରୀ ସାହୁଙ୍କ ଲୋକଙ୍କ ବ୍ୟାଗ ନେଇ ଯାଇଥିଲେ ଓ ନିଜର ବ୍ୟାଗ ଛାଡିଥିଲେ । ପରବର୍ତୀ ସମୟରେ ସେ ଏହା ଜାଣିପାରି ନିଜ ମୋବାଇଲକୁ କଂଟ୍ରାକ୍ଟ କଲାପରେ ବିଜେଡି ସଭାପତି ଶ୍ରୀ ସାହୁ ବ୍ୟାଗ ନେଇ ଯିବାପାଇଁ କହିଥିଲେ । ବ୍ୟାଗ ଛାଡିଥିବା ଲୋକ ଜଣେ ମହିଳା ଓ ତାଙ୍କ ଘର ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବୋଲି ଜଣାପଡିଥିଲା । ଶ୍ରୀ ସାହୁ ତାଙ୍କୁ ଯୋଗାଯୋଗ କରିବା ପରେ ତାଙ୍କ ବାପା ଆସିଥିଲେ । କେସିଙ୍ଗା ଥାନାରେ ତାଙ୍କ ବାପାଙ୍କୁ ଉକ୍ତ ବ୍ୟାଗ ହସ୍ତାନ୍ତର କରିଥିଲେ ଶ୍ରୀ ସାହୁ । ଉକ୍ତ ବ୍ୟାଗରେ ପ୍ରାୟ ସୁନା ଅଳଙ୍କାର ୧ ଭରି, ରୂପା ଅଳଙ୍କାର ୩ ଭରି, ମୋବାଇଲ, ୨୦ ହଜାର ଟଙ୍କା, ଆଧାର କାର୍ଡ ଓ ଅନ୍ୟାନ୍ୟ ଜିନିଷ ଥିଲା । ଶ୍ରୀ ସାହୁଙ୍କର ଏଇ ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।