କିଡ଼ନୀ ରୋଗରେ ଥିଲେ ଆକ୍ରାନ୍ତ, ଦୃଷ୍ଟି ଦେଲାନି ପ୍ରଶାସନ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ରାଜପୁର ପଞ୍ଚାୟତର ସୁନାମଧନ୍ୟ ଦାସକାଠିଆ ଗୁରୁ ଇନ୍ଦ୍ରମଣି ଭୋଇଙ୍କ ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ କର୍ଲାମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଦୀର୍ଘଦିନ ହେଲା କିଡନୀ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲେ । ଦୀର୍ଘ ୫୦ ବର୍ଷ ଧରି ଲୋକ କଳା ସହିତ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିଥିବା ଏହି କଳାକାର ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ମାନୀତ ହୋଇ ଏହି ଅଞ୍ଚଳକୁ ଗୌରବନିତ କରିଥିଲେ । ତାଙ୍କ ବିୟୋଗରେ ଗ୍ରାମର ବିଭିନ୍ନ ସଂଘ, ଅନୁଷ୍ଠାନ, ପ୍ରେସ୍ କ୍ଲବ, ବ୍ଲକ ତଥା ଜିଲ୍ଲା କଳାକାର ସଙ୍ଘ, ରାଜନୈତିକ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି । ତେବେ ଭୋଇଙ୍କ ପରିବାରରେ ସ୍ତ୍ରୀ ଓ ବଢ଼ିଲା ଝିଅ ଅଛନ୍ତି । ପରିବାରରେ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି । ସେ କିଡ଼ନୀ ଜନିତ ରୋଗର ଶିକାର ହୋଇଥିଲେ ଓ ଆର୍ଥିକ ଅଭାବରୁ ଉପଯୁକ୍ତ ଚିକିତ୍ସା କରି ନ ପାରି ମୃତ୍ୟୁବରଣ କରିଛନ୍ତି । ପ୍ରକାଶଯୋଗ୍ୟ ଯେ, ସେ ଯଦିଓ କଳାକାର ଭତ୍ତା ପାଉଥିଲେ କିନ୍ତୁ ତାହା ନଗଣ୍ୟ ଥିଲା । ପରିବାର ପରିଚାଳନା ସହ ନିଜ ଚିକିତ୍ସା ଖର୍ଚ୍ଚ ପାଇଁ ଏହା ଯଥେଷ୍ଟ ନ ଥିଲା । ସରକାରଙ୍କ ଠାରେ ଏହି ସ୍ୱାଭିମାନୀ କଳାକାର ଜଣକ ହାତ ପତାଇନ ଥିଲେ ବି ସରକାର ନିଜ ଆଡୁ ଆଗ୍ରହ ଦେଖାଇନଥିଲେ । ଜଣେ ଦାୟିତ୍ୱବାନ ଓ ସ୍ୱାଭିମାନ କଳାକାରଙ୍କୁ ହରାଇ ଅଞ୍ଚଳବାସୀ ସ୍ତବ୍ଧ ହୋଇଯାଇଛନ୍ତି ।