ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ହେଲା ଆଲୋଚନା, ନିଆଗଲା ଆବଶ୍ୟକିୟ ପଦକ୍ଷେପ
ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ଏନ୍ଏସିର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ନବ ନିର୍ବାଚିତ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ସମସ୍ତ ପରିଷଦ ବୃନ୍ଦ ତଥା ନିର୍ବାହୀ ଅଧିକାରୀ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ୱାର୍ଡ଼ ନଂ ୧୨ ସହିତ ଅନ୍ୟ ସ୍ଥାନମାନଙ୍କରେ ବାକି ଥିବା ଜମିପଟ୍ଟା ବଣ୍ଟନ ନିମନ୍ତେ ଡ୍ରୋନ ସର୍ଭେ କାର୍ଯ୍ୟ ଅଗ୍ରୀମ ଭିତ୍ତିରେ କରାଯିବା ପାଇ ସ୍ଥିର କରାଗଲା । ୱାର୍ଡ ନଂ ୯ ସ୍ଥିତ ଜଗନ୍ନାଥ ମନ୍ଦିର ଛକ ଠାରୁ କଲେଜ ପର୍ଯ୍ୟନ୍ତ ରାସ୍ତା ମରାମତି କାର୍ଯ୍ୟ କରିବା ପାଇଁଁ ବିଡବ୍ଲୁଡି ବିଭାଗକୁ ଅନୁରୋଧ କରାଯାଉଛି । ୱାର୍ଡ଼ ନଂ ୧୧ ସ୍ଥିତ ଉଠା ଜଳସେଚନ ବିଭାଗର ଥିବା ଅଫିସ ଅଞ୍ଚଳକୁ ସର୍ବସାଧାରଣଙ୍କ ସୁବିଧା ପାଇଁ ପରିଷଦକୁ ହସ୍ତାନ୍ତର କରିବା ପାଇଁଁ ତହସିଲଦାର କେସିଙ୍ଗାଙ୍କ ଜରିଆରେ ଜିଲ୍ଲପାଳଙ୍କୁ ଅନୁରୋଧ କରାଯିବା ପାଇଁସ୍ଥିର କରାଗଲା । ୱାର୍ଡ ନଂ ୩ ରେଲୱେ ଅଣ୍ଡର ପାସ ଠାରେ ରାସ୍ତା କଡ଼ରେ ବିଦ୍ୟୁତ୍ ଖମ୍ବ ଲଗାଯିବା ସହିତ ଆଲୋକ ବ୍ୟବସ୍ଥା କରାଯିବାପାଇଁ ସ୍ଥିର କରାଗଲା । କେସିଙ୍ଗା ସାପ୍ତାହିକ ବଜାର ପାଇଁ ଜାଗା ନ ଥିବାରୁ ଆରଏମସି ପରିସର ମଧ୍ୟରେ ସ୍ଥାନ ଦେବାପାଇଁ ଉପ ଜିଲ୍ଲାପାଳଙ୍କୁ ଅନୁରୋଧ କରାଗଲା । ଏହା ସହିତ ସମସ୍ତ ୱାର୍ଡର ଆବଶ୍ୟକ ଥିବା ରାସ୍ତା ଓ ଡ୍ରେନ ମରାମତି କାର୍ଯ୍ୟ କରିବା ପାଇଁ ସ୍ଥିର କରାଗଲା। ଗ୍ରୀଷ୍ମ ଋତୁରେ ପଥିକ ମାନଙ୍କ ପାଇଁ ୫ ଗୋଟି ସ୍ଥାନରେ ଜଳଛତ୍ର ଖୋଲାଯାଇ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ପରିଚାଳନାର ଦାଇତ୍ଵ ଦେଇଥିବାରୁ ସମସ୍ତ ପରିଷଦ ବର୍ଗ ପ୍ରଶଂସା କରିଥିଲେ । ସମସ୍ତ ୱାର୍ଡ ମାନକରେ ପାନୀୟ ଜଳର ଅସୁବିଧାକୁ ଦୃଷ୍ଟିରେ ରଖି ନଳକୂପ ଓ ରାସ୍ତା କଡ଼ରେ ଥିବା ଷ୍ଟାଣ୍ଡ ପୋଷ୍ଟ ଗୁଡ଼ିକୁ ମରାମତି କରାଯିବାପାଇଁ ଜନ ସ୍ଵାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯିବା ପାଇଁ ସ୍ଥିର କରାଗଲା । ଗରିବ ଓ ଅସହାୟ ଲୋକମାନଙ୍କୁ ରାସନ୍ କାର୍ଡ ପ୍ରଦାନ କରିବା ପାଇଁଁ ସିଏସଓ କଳାହାଣ୍ଡିଙ୍କୁ ଅନୁରୋଧ କରାଗଲା ଏବଂ ସମସ୍ତ ୱାର୍ଡ ମାନଙ୍କରେ ସର୍ବସାଧାରଣଙ୍କ ଚାହିଦା/ସୁବିଧା ଦୃଷ୍ଟିରୁ ଆବଶ୍ୟକୀୟ ଗୋଷ୍ଠୀ କେନ୍ଦ୍ର ଗୁଡିକ ନିର୍ମାଣ କରାଯିବା ପାଇଁ ସ୍ଥିର କରାଗଲା ।