✍🏾 ବଂଶୀଧର ପଣ୍ଡା
କୋଭିଡର ଦ୍ଵିତୀୟ ଲହର । ସରକାର ଘୋଷଣା କଲେ ଲକଡ଼ାଉନ । ଦୋକାନ ବଜାର ବନ୍ଦ । କେବଳ ସରକାରଙ୍କ ଘୋଷଣା ପ୍ରକାରେ କେତୋଟି ଦୋକାନ ଖୋଲା । ତାହା ପୁଣି ଦିନ ବାରଟା କି ଦୁଇଟାରେ ବନ୍ଦ । ଆମ ଗାଁ ମନ୍ଦିର ପାଖରେ ଛୋଟ ଚା ଦୋକାନଟିଏ କରି ଗୁଜୁରାଣ ମେଣ୍ଟାଉ ଥିବା ସଇତା ମୁଣ୍ଡରେ ଚଡକ ପଡିଲା । ଚାରି ପ୍ରାଣୀ କୁଟୁମ୍ବ । କଣ କରିବ ? କରିବ କଣ ? ଏମିତି ସମୟରେ ବୁଦ୍ଧିମତୀ ସ୍ତ୍ରୀ ତାକୁ ଗୋଟେ ବୁଦ୍ଧି ବତେଇ ଦେଲା । ସ୍ୱାମୀକୁ କହିଲା -“ଏ କଥା ପାଇଁ ଏତେ ଚିନ୍ତା କାହିଁକି ? ଫ୍ଲାସରେ ଚା ଧରି ମନ୍ଦିର ପାଖ ଗଳିରେ ବସିବା ଆଉ ଲୋକଙ୍କୁ ଚା ବିକ୍ରି କରିବା ।
ବଡ ଝିଅଟି ପଢେ ସପ୍ତମ ଶ୍ରେଣୀରେ । ସାନ ଝିଅ ପଢେ ପଞ୍ଚମ ଶ୍ରେଣୀରେ । ମା’ କହିବା ପ୍ରକାରେ ଦୁଇ ଝିଅ ଫ୍ଲାସରେ ଚା ନେଇ ମନ୍ଦିର ପାଖ ଗଳିରେ ବସି ଚା ବିକ୍ରି କଲେ । ଯଦି ପୋଲିସ ଗାଡିର ସାଇରନ ଶୁଭିଲା ତେବେ ସଂଗେ ସଂଗେ ଅନ୍ଧାରରେ ଲୁଚିଯାଉଥିଲେ । ଆମ ପରି କେତେକ ସଇତାର ନିୟମିତ ଗ୍ରାହକ ସେଠାରେ ପହଞ୍ଚି ଅନ୍ଧାରରେ ହେଉ ପଛେ ଚା ଟିକିଏ ପିଇଦେଲେ ଆମ ଆତ୍ମା ଶାନ୍ତ ହେଉଥିଲା । ଏମିତି କେତେଦିନ ଚାଲିଲା । ଦିନେ ବଡ଼ଝିଅ ଚା ବିକ୍ରି କରୁଛି । ମନରେ ତାର ହରସ ନାହିଁ । ତର ତର ବି ହେଉଛି । କିଏ ପାଞ୍ଚ ଟଙ୍କା ବଢ଼େଇ ଦେଲେ ସେ ବଡ଼ କଫି ପିଇବା ଗ୍ଳାସରେ ଦଶ ଟଙ୍କାର ଚା ଦେଇଦେଉଛି । ଆମେ ଦି ଚାରିଜଣ ଚା ପିଇଲୁ । ମୁଁ ପଚାରିଲି କଥା କଣ ? ଆଜି ଏତେ ଚା’ ପାଞ୍ଚ ଟଙ୍କାରେ ଦେଉଛୁ । ସେ ଯାହା କହିଲା, ମୋ ମୁଣ୍ଡ ଘୁରିଗଲା ।
କହିଲା,-” ଆଜି ଟିଭି ରେ ଗଣିତ ବିଷୟରେ ସାର ପାଠ ପଢ଼େଇବେ । ମୋର ତ ମୋବଇଲ ନାହିଁ । ତେଣୁ….. ଏ ଚା ବେଗି ନ ସରିଲେ ମୁଁ ଘରକୁ ଯିବି କେମିତି ? ତେଣୁ ବେଗି ବେଗି ଚା ସରିବା ଦରକାର । ଚା ବିକ୍ରି ନ କରି ମୁଁ ଯଦି ଘରକୁ ଯିବି ତେବେ ମାଆ ମୋତେ କିଛି କହିବେନି ସତ କିନ୍ତୁ ଆମ ଘର ଚଳିବ କେମିତି ?
ସତରେ ଆଜ୍ଞା, ଆପଣ କୁହନ୍ତୁ ଏଥିପାଇଁ ଦାୟୀ କିଏ ? ପାଠ ପଢିବା ଅତି ଜରୁରୀ ନା ବଞ୍ଚିବା ଜରୁରୀ ।
ବାଲିଗୁଡା, କନ୍ଧମାଳ
ମୋ: ୯୪୩୮୩୬୪୨୭୦
OdiaBarta.in