ଫଳ ବଜାରରେ ନିଆଁ, ନାକଦେମ ହେଲେ ସତ୍ୟବାନ

ସାବିତ୍ରୀ ବ୍ରତ ପୂଜା ପ୍ରସଙ୍ଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପତିବ୍ରତା ସଧବା ନାରୀମାନେ ସ୍ୱାମୀଙ୍କ ମଙ୍ଗଳ ମନାସୀ ସାବିତ୍ରୀ ବ୍ରତ ପାଳନ କରୁଛନ୍ତିି । ଆଉ ସାବିତ୍ରୀ ବ୍ରତ ପୂଜା ପାଇଁ ସମସ୍ତ ପ୍ରକାରର ଫଳର ଆବଶ୍ୟକତା ରହୁଥିବାରୁ ଫଳ ବଜାରରେ ଏବେ ନିଆଁ ଲାଗିଛି । ସତ୍ୟବାନ ରୁପୀ ପତିଦେବ ବାପୁଡା ଫଳ ବଜାରର ଫଳଦର ଦର ସବୁ ଦେଖି ଛାନିଆ । ସତ୍ୟବାନ ଭାବରେ ପୂଜା ପାଇଁ ପତ୍ନୀ ଦେବୀଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ପ୍ରୟାସ କରୁଥିବା ପତିଦେବ ଫଳ ସବୁର ଅତ୍ୟଧିକ ଚଢାଦର ଯୋଗୁଁ ଫଳ ବଜାର ମଧ୍ୟରେ ଅଣ ନିସ୍ୱାସୀ ପ୍ରାୟ ହୋଇଯାଉଥିବା ପ୍ରତୀୟମାନ ହେଉଥିଲା । କଳାହାଣ୍ଡି ସାରା ଫଳ ବଜାରର ଏହି ସ୍ଥିତି । ସୋମବାର ସାବିତ୍ରୀ ବ୍ରତକୁ ଲକ୍ଷ୍ୟ ରଖି ଦୁଇଦିନ ପୂର୍ବରୁ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି ସମସ୍ତ ପ୍ରକାରର ଫଳର ଦୁଇ ରୁ ତିନି ଗୁଣା ଦର ବୃଦ୍ଧି । ଗତ ଦୁଇଦିନ ତଳେ କିଲୋ ପ୍ରତି ୧୫୦ ଟଙ୍କା ରହିଆସିଥିବା ଲିଚୁ ସାବିତ୍ରୀ ପୂଜା ପାଇଁ ବଜାରରେ ଗୋଟାକୁ ୧୦ ଟଙ୍କା, ସେହିଭଳି ତରଭୁଜ ଯାହା ଗୋଟାକୁ ୩୦ ରୁ ୫୦ ଟଙ୍କାରେ ମିଳୁଥିଲା ଦୁଇଦିନ ହେଲା ତାହାରି ଦର ୧୦୦ ଟପି ଯାଇଛି । ସେଓ ଓ ଅଙ୍ଗୁର ୩୦୦ ଟଙ୍କା ପର୍ଯ୍ୟନ୍ତ କିଲୋ ହୋଇଛି । ସାବିତ୍ରୀ ବ୍ରତ ଯୋଗୁଁ ଫଳ ବଜାରରେ ନିଆଁ ଲାଗିଥିବା ବେଳେ ସାବିତ୍ରୀ ବ୍ରତ ପାଇଁ ଫଳ ଦରକୁ ଆଳ କରି ପରିବାକୁ ମଧ୍ୟ ଛୁଇଁ ହେଉନାହିଁ । ପରିବା ଦର ମଧ୍ୟ ଆଜି ଗତକାଲି ଠାରୁ କିଲୋ ପ୍ରତି ଦୁଇଗୁଣା ହୋଇଯାଇଥିବା ପ୍ରତୀୟ ମାନ ହେଉଥିଲା । ସବୁଠୁ ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖିବାକୁ ମିଳିଛି ପାଚିଯାଇ, ଶଢିଯାଇ ଥିବା ଓ କେତେଦିନରୁ ଶୁଖିଲା ହୋଇ ପଡିରହିଥିବା କେନ୍ଦୁ, ଚାହାଁର, ଜାମୁକୋଳି, କୁସୁମ ଫଳ, ତାଳ, ନାରଜୀ, କମଳା, ଖଜୁରୀ, ସପେଟା ମଧ୍ୟ ବାଦ୍ ପଡିନଥିଲେ । କେଉଁ ଫଳ ମଧ୍ୟ ଆଉ କିଲୋ ହିସାବରେ ବିକ୍ରୀ ହୋଇ ନଥିଲା । ସବୁ ପିସ୍ ଆକାରରେ ଚାଲିଥିଲା ବିକ୍ରୟ । ଚଢାଦରରେ ବିକ୍ରୀ ହେଉଥିବା ଏହି ଶୁଖିଲା ଓ ପଚିଯାଇଥିବା ଫଳ ସବୁ ମଧ୍ୟ ସାବିତ୍ରୀ ପୂଜାରେ ଫଳ ଭେରାଇଟି ପୁରଣ କରିବା ପାଇଁ ସତ୍ୟବାନ ସାଜିବାକୁ ରହିଥିବା ପତିଦେବ ମାନେ ଜୀବନ ବିକଳରେ ଚଢାଦରରେ ଅନ୍ୟ ଦିନ ମାନଙ୍କରେ ଅଲୋଡା ସାଜିଥିବା ଫଳ ଗୁଡିକୁ କିଣିନେବା ପାଇଁ ବାଧ୍ୟ ହୋଇଛନ୍ତି । ଶାଢ଼ୀ କିମ୍ବା ପ୍ରସାଧନ ସାମଗ୍ରୀ କିଣିବାରେ ଯେତେଟା କଷ୍ଟକର ହୋଇ ନଥିଲା ଫଳ କିଣିବା ସମୟରେ ସତ୍ୟବାନ ରୁପୀ ପତିଦେବ ମାନେ ଭୀତତ୍ରସ୍ତ ହୋଇପଡିଥିବା ଦେଖିବାକୁ ମିଳିଥିଲା । ନର୍ଲା, ରୁପ୍ରାରୋଡ, କେସିଙ୍ଗା, ଧର୍ମଗଡ, ଜୁନାଗଡ, ଭବାନୀପାଟଣା ସମେତ ଜିଲ୍ଲା ସାରା କପଡା ବଜାରରେ ମଧ୍ୟ ସାବିତ୍ରୀ ପାଇଁ ନାହିଁ ନଥିବା ଭିଡ ସାଙ୍ଗକୁ ଆକାଶ ଛୁଆଁ ଦର । ଅନିଚ୍ଛା ସତ୍ୱେ ହେଉ ପଛକେ କାରଣ ରହିଥିଲା ସାବିତ୍ରୀ ବ୍ରତ ପାଇଁ ପତ୍ନୀଙ୍କ ଇଚ୍ଛା ପୁରଣ କରି ପତ୍ନୀଙ୍କୁ ସନ୍ତୁଷ୍ଟ କରିବା । ଆଜି ସୋମବାର ପବିତ୍ର ସାବିତ୍ରୀ ବ୍ରତ । ସତୀ ନାରୀ ମାନେ ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରିବେ, ଉପାସରେ ରହି ବ୍ରତ କରି ସାବିତ୍ରୀ ଦେବୀଙ୍କ ଭଳି ଜମ ଦେବତାଙ୍କ ଠୁଁ ମଧ୍ୟ ସ୍ୱାମୀଙ୍କ ଆୟୁସ କଳେବଳେ କୌଶଳେ ଫେରାଇ ଆଣିବାର ଦକ୍ଷତା ହାସିଲ କରି ଶାଶୁ, ଶ୍ୱଶୁର ଓ ପରିବାର ସ୍ୱଜନଙ୍କ ମଙ୍ଗଳ କାମନାର ମାଧ୍ୟମ ସାଜି ସମସ୍ତଙ୍କର ପ୍ରୀୟ ଭାବଜନ ହୋଇପାରିବେ ବୋଲି ହିନ୍ଦୁ ନାରୀ ମାନଙ୍କ ଏହି ବ୍ରତ ପାଳନର ଉଦେ୍ଦଶ୍ୟ ରହିଥିବା ଜଣାପଡେ । ସବୁକଥା ଓ ଉଦ୍ଦେଶ୍ୟ ଠିକ୍ । ହେଲେ ଅତ୍ୟଧିକ ଚଢାଦର ଯୁକ୍ତ ଫଳ ବଜାର ଯେ ସତ୍ୟବାନ ରୁପୀ ସ୍ୱାମୀ ମାନଙ୍କର ମନୋସ୍କାମନା ପୁରଣରେ ବ୍ୟାଘାତ ସାଜୁଛି ଏଥିରେ ତିଳେହେଲେ ସନ୍ଦେହ ନାହିଁ । ଏଥିରେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କର ମଧ୍ୟ ଆୟତ୍ତ ନାହିଁ । ଏବଂ ଏହାର ବିକଳ୍ପ ମଧ୍ୟ କିଛି ନାହିଁ ବୋଲି ବୁଦ୍ଧିଜିବୀ ମାନେ ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.