କଳାହାଣ୍ଡି ବିଶ୍ବବିଦ୍ୟାଳୟ ଆଲୁମିନି ଆସୋସିଏସନ ପକ୍ଷରୁ ଶ୍ରୀ ତ୍ରିପାଠୀଙ୍କୁ ସ୍ମାରକ ପତ୍ର ପ୍ରଦାନ
ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ଯର ସମୀକ୍ଷା କରିବା ସହ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ଏହି ଅବସରରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପରିଦର୍ଶନ ଅବସରରେ ଆଲୁମିନି ଆସୋସିଏସନ ପକ୍ଷରୁ ଶ୍ରୀ ତ୍ରିପାଠୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଯେଉଁଥିରେ ଏକ ହଜାର ବ୍ୟକ୍ତି ଏକାଠି ବସିବା ପାଇଁ ଏକ ଅତ୍ୟାଧୁନିକ ଅଡିଟୋରିୟମ ସହ ପ୍ରେକ୍ଷାଳୟ ନିର୍ମାଣ, କଳାହାଣ୍ଡି ବିଶ୍ବବିଦ୍ୟାଳୟ ଖେଳ ପଡିଆ ଠାରେ ପାଚେରୀ, ଗ୍ୟାଲେରୀ ନିର୍ମାଣ ସହ ସ୍ପୋର୍ଟ କମ୍ପ୍ଲେକ୍ସ ନିର୍ମାଣ, ଇନଡୋର କୋର୍ଟ ଓ ଜିମ୍ ନିର୍ମାଣ କରିବା, ଛାତ୍ରଛାତ୍ରୀଙ୍କ ପାଇଁ ନୂତନ କମନରୂମ, କ୍ୟାଣ୍ଟିନ, ଆଧ୍ୟାତ୍ମିକ ହଲ, ପୂରାତନ ଛାତ୍ର ସଂଘ କାର୍ଯ୍ୟାଳୟ, ଛାତ୍ର ସଂସଦ ପ୍ରକୋଷ୍ଠ ଆଦି ନିର୍ମାଣ ପାଇଁ ଦାବି କରାଯାଇଛି । ପୂର୍ବତନ ଅଧ୍ୟକ୍ଷ ଡ଼ଃ ଅଜୟ ମିଶ୍ର, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, ଆଲୁମିନି ଆସୋସିଏସନ ସାଧାରଣ ସମ୍ପାଦକ ଅବିନାଶ ଠାକୁର, ସହ ସମ୍ପାଦକ ମଣ୍ଟୁ ନାଏକ, ଅଭିଷେକ ମହାପାତ୍ର, ସତ୍ୟବ୍ରତ ଦାସ ପ୍ରମୁଖ ସାମିଲ ହୋଇ ଶ୍ରୀ ତ୍ରିପାଠୀଙ୍କ ସହ ଆଲୋଚନା କରିଥିଲେ ।