ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନିଜ ଗୋଡ଼ରେ ନିଜେ ଠିଆ ହେବାର ସ୍ବପ୍ନ ଦେଖିଥିଲେ ଲାଞ୍ଜିଗଡ଼ରୋଡ଼ର ରମେଶ ମହାନ୍ତିଙ୍କ ଝିଅ ସୋନମ୍ ଶୁଭଶ୍ରୀ ମହାନ୍ତି (୨୨)। ବାପା, ମା’ଙ୍କ ପ୍ରେରଣା ନେଇ ସେ ଶେଷ କରିଥିଲେ ଏଏନ୍ଏମ୍ ଟ୍ରେନିଂ । ଏହାପରେ ରାୟଗଡ଼ା ଜିଲ୍ଲା କାଶିପୁରର ଏକ ଏନଜିଓରେ ଚାକିରି ପାଇବା ପରେ ସେଠାରେ ସେ ଯୋଗଦେଇ ନିୟମିତ ଭାବେ କାର୍ଯ୍ୟ କରୁଥିଲେ। ତେବେ କିଛିଦିନ ତଳେ ସେ ଘରକୁ ଫେରିଥିବାବେଳେ (ମଙ୍ଗଳବାର) ନିଜ ସାନ ଭଉଣୀ ସହିତ ପୁଣି ବାହାରିଥିଲେ କାଶିପୁର ନିଜ ଗନ୍ତବ୍ୟ ପଥରେ। ରଜ ଛୁଟି ଥିବାରୁ ତାଙ୍କୁ ଘରେ ରହିବାକୁ ପରିବାର ଲୋକେ କହିଥିବା ବେଳେ ରଜ ପର୍ବ ଅପେକ୍ଷା କାଶିପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କ ପାଇଁ କାମ କରିବା ଗୁରୁତ୍ବପୂର୍ଣ୍ଣ କହିବା ସହିତ ସେ ଘର ଛାଡ଼ିଥିଲେ। ତେବେ ଗତକାଲି (ବୁଧବାର) ସକାଳୁ କାଶିପୁର ଠାରୁ ନିଜ ଚାକିରି ସ୍ଥଳ ମାଣ୍ଡିବିଶି ଅଞ୍ଚଳରେ ଯାଉଥିବା ବେଳେ ମାଣ୍ଡିବିଶି-ନଳାଚୂଆଁ ଗ୍ରାମ ନିକଟ କାଙ୍ଗତୁମ୍ବା ଘାଟିରେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଲାଞ୍ଜିଗଡରୋଡ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୁର୍ଘଟଣାରେ ସୋନମଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ତାଙ୍କ ଭଉଣୀ କରିସ୍ମା ମହାନ୍ତି (୨୦) ଗୁରୁତର ଆହତ ହୋଇ କାଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯିବା ପରେ ତାଙ୍କୁ ଘରକୁ ଅଣାଯାଇଛି। ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ତିନି ଜଣ ତାଙ୍କ ଏନଜିଓ କର୍ମକର୍ତ୍ତା ମାନଙ୍କ ସହିତ ତାଙ୍କ କାର୍ଯ୍ୟ ସ୍ଥଳକୁ ଯାଉଥିବା ବେଳେ କାଙ୍ଗତୁମ୍ବା ଘାଟିର ବୁଲାଣୀରେ ଭାରସାମ୍ୟ ହରାଇ ଗାଡି଼ ଧକ୍କା ହେବା ସହିତ ୧୦୦ ଫୁଟ୍ ତଳକୁ ଖସି ପଡିବା ଫଳରେ ସୋନମ୍ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାପରେ ତାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ କାଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କ ଶବ ବ୍ୟବଚ୍ଛେଦ ପରେ ବିଳମ୍ବିତ ରାତିରେ ଲାଞ୍ଜିଗଡ଼ରୋଡ଼ରେ ଆସି ପହଞ୍ଚିଛି ତାଙ୍କ ଶବ। ଶବ ପହଞ୍ଚିବା ପରେ ପରିବାରରେ କାନ୍ଦ ବୋବାଳି ପଡ଼ିଥିବାବେଳେ ଲାଞ୍ଜିଗଡ଼ରୋଡ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଲାଞ୍ଜିଗଡ଼ରୋଡ଼ର ଝିଅ ସୋନମ୍ ଏବେ ଚିର ନିଦ୍ରାରେ ଶୋଇ ଯାଇଥିବାବେଳେ ଉଚ୍ଚାକାଂକ୍ଷୀ ହେବା ତଥା ନିଜ ଝିଅକୁ ନିଜ ଗୋଡ଼ରେ ଠିଆ ହେବାପାଇଁ ପ୍ରେରଣା ଦେଇଥିବା ବାପା ମା’ଙ୍କ ଆଖିରୁ ଲୁହ ଶୁଖୁନି। ବର୍ତ୍ତମାନ ସୋନମ୍ ମହାନ୍ତିଙ୍କ ଶବ ଲାଞ୍ଜିଗଡ଼ରୋଡ଼ ପହଞ୍ଚି ଥିବାବେଳେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି। ସୋନମଙ୍କ ଅକାଳ ମୃତ୍ୟୁରେ ଲାଞ୍ଜିଗଡରୋଡ ସରପଞ୍ଚ ମମତା ଶବର, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳୀ ମାଝୀ ଓ ସଦସ୍ୟ ପରିକ୍ଷିତ ନାଏକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।