ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ଜୁନ୍ ୨୧ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ। ଭାରତ ସମେତ ସାରା ବିଶ୍ବ ପାଳନ କରୁଛି ଏହି ଦିବସ। ମାନବ ଜୀବନରେ ଯୋଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହା ପ୍ରାଚୀନ ଭାରତୀୟ ସଂସ୍କୃତିର ଅମୂଲ୍ୟ ଉପହାର। ଯୋଗ କରିବା ଦ୍ବାରା ଶରୀର ଓ ମନର ସର୍ବୋତ୍ତମ ସ୍ବାସ୍ଥ୍ୟରକ୍ଷା ଯେ ସମ୍ଭବ, ସେଥିପାଇଁ ବିଶ୍ବବ୍ୟାପୀ ଲୋକେ ଏବେ ସୁସ୍ଥ ରହିବା ପାଇଁ ଯୋଗକୁ ଆପଣେଇ ନେଇଛନ୍ତି। ଯୋଗ ଚିନ୍ତା, କ୍ରିୟା, ସଂଯମ ଏବଂ ପୂର୍ଣ୍ଣତା ଆଣିବା ଲାଗି ଏକ ଶିଦ୍ଧ ଉପଚାର। ତେଣୁ ସାଧାରଣ ଜନତାଙ୍କ ପାଖରେ ଏହି ମହାନ ବାର୍ତ୍ତା ପହଞ୍ଚାଇବା ପାଇଁ ଆଜି ଏକଲ ଅଭିଯାନ ନର୍ଲା ସଂଚ ସମିତି ଏବଂ ପତଞ୍ଜଳୀ ଯୁବା ଭାରତ ପକ୍ଷରୁ ବୁଢିପଦର ଠାରେ ପାଳିତ ହୋଇଛି ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ। ଏକଲ ଅଭିଯାନ ନର୍ଲା ସଂଚ ସମିତି ପ୍ରମୁଖ ରୋମାଞ୍ଚଳ ଧଙ୍ଗଡାମାଝୀଙ୍କ ତତ୍ୱବଧାନରେ ଦେବଗରି ମଠ ବୁଢିପଦର ପ୍ରାଙ୍ଗଣରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ସଂଚ ସମିତି ସଭାପତି ବଦ୍ରି ପ୍ରସାଦ ମିଶ୍ର, ସଂପାଦକ ସାରଥି ନାଏକ, ପୂର୍ବତନ ରାକ୍ସି ସରପଞ୍ଚ ବିଜୟ ଧଙ୍ଗଡାମାଝୀ ଓ ଚନ୍ଦ୍ରମାଁ ଧଙ୍ଗଡାମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଯୋଗ ଶିକ୍ଷକ ସୁକଦେବ ସାହୁ ଯୋଗ ଶିକ୍ଷା ପ୍ରଦାନ କରିଥିବାବେଳେ ଏକଲ ଅଭିଯାନର ଗ୍ରାମ ପ୍ରମୁଖ ସତ୍ରୁଘନ ଧଙ୍ଗଡାମାଝୀ ଓ ଅଙ୍ଗନୱାଡ଼ି କର୍ମୀ ମଦନାବତି ଶିଖା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ବୁଢିପଦର ଗ୍ରାମର ଅନେକ ମହିଳା ଓ ଶିଶୁମାନେ ଉପସ୍ଥିତ ରହି ଯୋଗ ଶିକ୍ଷା କରିବା ସହ ଏହି ବିଶେଷ ଦିବସକୁ ପାଳନ କରିଥିଲେ।