✍🏾ବିଶ୍ବବିଜୟୀ ଦାଶ
ଶୋଲରୀ, ଭାଲେରୀ, ଘଣ୍ଟଶିଳା, ଖଣ୍ଡାହଣା ପାହାଡ଼ ପରିବେଷ୍ଟିତ ମରାଳ ମାଳିନୀ ନୀଳାମ୍ବୁ ଚ଼ିଲିକାର ତଟ ଦେଶରେ ବାଣପୁର ମାଟି, ତା’ ମଧ୍ୟରେ ଦେଓଗାଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ବାଉରୀବନ୍ଧୁ ବିଷୋୟୀ। ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପିଲା ବେଳରୁ ତାଙ୍କର ମୂଳ ଲକ୍ଷ୍ୟ ଥିଲା ସମାଜସେବା। ତାଙ୍କର ପେଶା ଶିକ୍ଷକତା ଓ ନିଶା ଥିଲା ସମାଜସେବା। ଗମ୍ଭାରିମୁଣ୍ଡା ଠାରେ ବିପ୍ଲବୀ ଜନନେତା ତଥା ଜାତୀୟତାବାଦୀ ନାଟ୍ୟକାର ପର୍ଶୁରାମ ହରିଚ଼ନ୍ଦନଙ୍କ ଦ୍ବାରା ଗଢ଼ି ଉଠିଥିଲା ପଲ୍ଲୀ ସଂସ୍କୃତି କଳା ପରିଷଦ। ଏହି କଳା ପରିଷଦ କେବଳ ଯେ କଳା ଚ଼ର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲା ତାହା ନୁହେଁ, ବରଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ ଗୋଟିଏ ସାମାଜିକ ଆନ୍ଦୋଳନ ସୃଷ୍ଟି କରି ଅନେକ ଯୁବ କଳାକାର, ସମାଜସେବୀ ଓ ଯୁବ କର୍ମଯୋଗୀ ସେ ଗଢ଼ିପାରିଥିଲେ। ବାଉରୀବନ୍ଧୁ ସାର୍ ଏହି କଳା ପରିଷଦ ଆଜୀବନ ସଦସ୍ୟ ଥିଲେ। ସେ ବହୁ ବିଦ୍ୟାଳୟରେ ଶିକ୍ଷକତା କରି ଜଣେ ଉଚ୍ଚକୋଟିର ଆଦର୍ଶ ଶିକ୍ଷକ ଭାବେ ଅନେକ ପ୍ରତିଭାବାନ ଛାତ୍ର ସୃଷ୍ଟି କରିଥିଲେ। ସମାଜସେବା କିମ୍ବା ଜନସେବା କାର୍ଯ୍ୟରେ ସବୁବେଳେ ସେ ଆଗଭର, ଯେକୌଣସି ପରିସ୍ଥିତି ରେ ସମାଜସେବା ପାଇଁ ଆଗେଇ ଆସନ୍ତି, କେବେ ହେଲେ ବି ପଛଘୁଞ୍ଚା ଦିଅନ୍ତି ନାହିଁ। ଗମ୍ଭାରିମୁଣ୍ଡା ଅଞ୍ଚଳର ଶିକ୍ଷାନୁଷ୍ଠାନ, ସରକାରୀ ଅନୁଷ୍ଠାନର ପ୍ରତିଷ୍ଠା ନିମନ୍ତେ ତାଙ୍କର ପୂର୍ଣ୍ଣ ସହଯୋଗ ରହିଥିଲା। ମୃତ୍ୟୁ ପର୍ଯ୍ୟନ୍ତ ଅନେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ତାଙ୍କ ପରିବାର ସହ ଆମ ପରିବାରର ସଂପର୍କ ଅତି ନିବିଡ଼ ଓ ବନ୍ଧୁତାପୂର୍ଣ୍ଣ ଥିଲା। ତାଙ୍କ ସହ ମୋର କଥାବାର୍ତ୍ତାରେ ତାଙ୍କ ଠାରୁ ଅନେକ କଥା ଶିଖିଥିଲି। ସେ ଦୁନିଆ ଛାଡ଼ି ଚ଼ାଲିଯିବାର ଏକ ବର୍ଷ ହୋଇଗଲା, କିନ୍ତୁ ଆଜି ବି ମନେପଡ଼ନ୍ତି ବାଉରୀବନ୍ଧୁ ସାର୍।
“ଜାତସ୍ୟ ହିଁ ଧ୍ରୁବ ମୃତ୍ୟୁ”। ମୃତ୍ୟୁଟା ଅତ୍ୟନ୍ତ ବାସ୍ତବ ଏବଂ ଧ୍ରୁବ ସତ୍ୟ।ଜନ୍ମ ଏବଂ ମୃତ୍ୟୁ ବିଧି ଅଭିପ୍ରେତ।କାଳଜୟୀ ପୁରୁଷ ମୃତ୍ୟୁର କଠୋରତା ମଧ୍ୟରେ ଅବଲୀନ ହେଲେ ମଧ୍ୟ ତାର ସାଧନା, ସିଦ୍ଧି ଏବଂ ସୁକୃତ ପାଇଁ ସେ ଯେପରି ଅମର ରହେ, ବାଉରୀବନ୍ଧୁ ବିଷୋୟୀ ସେହିପରି ତାଙ୍କର ସାଂସ୍କୃତିକ ପ୍ରତିଷ୍ଠା, ଶିକ୍ଷକତା ଏବଂ ସମାଜସେବାର ପରାକାଷ୍ଠା ନିମନ୍ତେ ଯେଉଁ ଅଙ୍ଗୀକାରବଦ୍ଧତା ଆମ ଅଞ୍ଚଳର ପ୍ରତ୍ୟେକ ମଣିଷ ନିକଟରେ ଛାଡ଼ି ଚ଼ାଲି ଯାଇଛନ୍ତି। ସେଥିପାଇଁ ଆମ ଅଞ୍ଚଳର ପ୍ରତିଟି ମଣିଷ ନିକଟରେ ଯୁଗେ ଯୁଗେ ଅମର ହୋଇରହିଥିବେ ଏଥିରେ ଦ୍ବିମତ ନାହିଁ। ଦିନ ଯାଏ, ଚ଼ିହ୍ନ ରହେ। ସ୍ମୃତିର ପାଉଁଶ ତଳୁ ମିଳିବ ଅସତ୍ୟ ସହରର ଅନେକ କାହାଣୀ- କିମ୍ବଦନ୍ତୀ, ମିଳିବ ଅନେକ କାଳ୍ପନିକ ଚ଼ିତ୍ରପଟ, କିନ୍ତୁ ମିଳିବନି ବାସ୍ତବ ମଣିଷର ଅଭୂଲା-ଅପାଶୋରା ମୁହଁଟିଏ। ଏକାଧାରାରେ ଜଣେ ଛାତ୍ର ବତ୍ସଳ ଶିକ୍ଷକ, ସୁସଂଗଠକ, ସୁପରାମର୍ଶଦାତା, ସମାଜସେବୀ ବାଉରୀବନ୍ଧୁ ବିଷୋୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଜୁନ୍ ୨୧ ଅବସରରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳୀ ଓ ଶତ ଶତ ପ୍ରଣାମ।