ବସନ୍ତ ଋତୁର ନୀଳ ପରିବେଶ
ଆଣିଛି ଖୁସିର ଗୁଞ୍ଜନ,
ମୁହରେ ଖେଳୁଛି ହସର ଝଳକ
ଗୁଞ୍ଜରି ଉଠୁଛି ମନ ।
କୋଇଳି ଗାଉଛି ସୁମଧୁର କଣ୍ଠେ
କରି କୁହୁ କୁହୁ ସ୍ବନ,
ପ୍ରଭୁ ରାଧାକୃଷ୍ଣ ଯୁଗଳ ମୂରତି
ଗାଉଛି କୀର୍ତ୍ତିମାନ ।
ନିର୍ମଳ ଆକାଶ ଦିଶେ ରଙ୍ଗ ବୋଲା
ରଙ୍ଗରେ ଯାଇଛି ଭିଜି,
ଫୁଳର ମହକ ଦେହର ଚମକ
ଆନନ୍ଦେ ଯାଇଛି ହଜି ।
ଶୀତ ନଥାଏ ବରଷା ନଥାଏ
ନଥାଏ ସେଇଠି ଖରା,
ସୁନ୍ଦର ମଧୁର ନବପଲ୍ଲବିତ
ନବ ଯୌବନରେ ଚତୁର୍ଦିଗ ଭରା ।
ରଙ୍ଗୀନ ଋତୁର ରଙ୍ଗ ପ୍ରଜାପତି
ଭ୍ରମର ମଧୁପ ଗଣ,
ନବପ୍ରସ୍ପୁଟିତ ପୁଷ୍ପରାଜିକୁ କରନ୍ତି
କରୁଣ ପ୍ରେମ ନିବେଦନ ।
ଭ୍ରମର ଗୁଞ୍ଜନ ସମୀର ପରଶ
ବନ ଉପବନ ହୁଏ ଦୈଳାୟିତ,
ସୁନ୍ଦର ବସନ୍ତ ମଧୁର ରସ
ପ୍ରାଣି ଉଦ୍ଭିଦକୁ କରେ ମଧୁମିତ ।
ବସନ୍ତ ଋତୁକୁ ରଙ୍ଗଭରା କରେ
ପବିତ୍ର ହୋଲି ଉତ୍ସବ,
ସର୍ବେ ଏକ ହୋଇ ହୋଲି ଖେଲନ୍ତି
ଭୁଲିଯାଇ ଭେଦ ଭାବ ।
କବି କାଳିଦାସ ମୁଖରୁ ନିସୃତ
‘ସର୍ବ ପ୍ରିୟେ ଚାରୁତରଂ ବସନ୍ତେ’,
ପ୍ରିୟ ବସନ୍ତ କରିଛି ସାର୍ଥକ
ଏହା ରହିଯିବ ମୋ ଜୀବନଗ୍ରନ୍ଥେ ।

ଟକାରୁମାଲ, କର୍ଲାମୁଣ୍ଡା କଳାହାଣ୍ଡି




