ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗତ ତିନିବର୍ଷ ହେଲା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତର କିଡ଼ିଙ୍ଗ, ମାଡ଼ିବନ୍ଧା, କାଉଗୁଡ଼ା ସମେତ ପଞ୍ଚାୟତ ଅଞ୍ଚଳର ଚାଷଜମି ଲଗାତାର ମରୁଡ଼ିର ସମ୍ମୁଖୀନ ହେଉଛି । ବର୍ଷକୁ ବର୍ଷ ମରୁଡ଼ି ସତ୍ତ୍ବେ ଚାଷୀଙ୍କ ଜୀବନଜୀବିକା ଚାଷକାର୍ଯ୍ୟ ଏବଂ ବାରମ୍ବାର କ୍ଷତି ସହିଲେ ବି ଚାଷ ବ୍ୟତୀତ ସେମାନଙ୍କର ଅନ୍ୟ କୌଣସି ଉପାୟ ନାହିଁ । ଧାରକରଜ କରି ସେମାନେ ଚାଷ କରୁଛନ୍ତି ଆଉ କ୍ଷତି ସହୁଛନ୍ତି । ତେବେ ସରକାର ଚାଷ ଓ ଚାଷୀଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିବା ସହିତ ଫସଲ ବୀମା, ମରୁଡ଼ି ସହାୟତା ଓ କ୍ଷତିପୂରଣ ଆଦି ବ୍ୟବସ୍ଥା କରିଛନ୍ତି । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ସନ୍ତାପର ବିଷୟ ହେଲା, ଲଗାତାର ମରୁଡ଼ିର ସମ୍ମୁଖୀନ ହେଲେ ବି ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତର ଚାଷୀମାନେ ନା ବୀମା ନା କୌଣସି ସରକାରୀ ସହାୟତା ପାଇପାରୁଛନ୍ତି । ମରୁଡ଼ି ହେଲେ ପଞ୍ଚାୟତ ଅଞ୍ଚଳରେ କୃଷି ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ ଫିଲ୍ଡ ସର୍ଭେ ହୁଏ ଏବଂ ତଦନ୍ତ ହୁଏ । ସେହିପରି ଉଭୟ ବିଭାଗ ସହିତ ପରିସଂଖ୍ୟାନ ବିଭାଗ ଓ ବୀମା କଂପାନୀ କର୍ମଚାରୀଙ୍କ ଉପସ୍ଥିତିରେ କ୍ରପକଟିଂ ବି କରାଯାଏ । ମରୁଡ଼ି ସଂକ୍ରାନ୍ତୀୟ ରିପୋର୍ଟ ଯାଏ ଚାଷୀଙ୍କଠାରୁ କାଗଜପତ୍ର ସଂଗ୍ରହ କରାଯାଏ କିନ୍ତୁ ଚାଷୀଙ୍କ ସମସ୍ୟା ଦୂର ହୁଏନାହିଁ । ଗତ ତିନିବର୍ଷ ଧରି ଲଗାତାର ମରୁଡ଼ି ଫଳରେ ପଞ୍ଚାୟତର ସମସ୍ତ ଚାଷୀ ସର୍ବସ୍ବାନ୍ତ ହୋଇପଡ଼ିଛନ୍ତି । ଧାରକରଜ କରି ଚାଷ କରି ନୟାନ୍ତ ହେଲେଣି ଏ ବର୍ଷ କେମିତି ଚାଷ କରିବୁ ସାହସ ପାଉନାହାନ୍ତି । ତେବେ ସରକାରଙ୍କ ପକ୍ଷରୁ ଲାଞ୍ଜିଗଡ଼ ବ୍ଲକର କେତେକ ପଞ୍ଚାୟତକୁ ଏଥର ମରୁଡ଼ି ଘୋଷଣା କରାଯାଇଥିବାବେଳେ ସେଥିରୁ ମଧ୍ୟ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ବାଦ୍ ପଡ଼ିଛି । ଏହାକୁ ନେଇ ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ବୃଦ୍ଧି ପାଇଛି । ଏଣୁ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା ସହିତ ବୀମା ଏବଂ ସରକାରୀ ସହାୟତା ଯୋଗାଇଦେବାକୁ ଆଜି ଅଞ୍ଚଳର ଚାଷୀମାନେ ଲାଞ୍ଜିଗଡ଼ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗାଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାର ପ୍ରତିଲିପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ, କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ଚିଠି ଲେଖି ଦାବି କରିଛନ୍ତି । ସୁଶୀଲ କୁମାର ବାଗ, ନୀଲେଶ କୁମାର ନାଗ, ଈଶ୍ବର ବଗର୍ତ୍ତି, ଗୋପାଳଦାସ ମହାନନ୍ଦଙ୍କ ନେତ୍ରୁତ୍ବରେ କୁନ୍ତ ଶବର, ଦେବେନ୍ଦ୍ର ମାଝୀ, ଭୂପତି ଶବର, ବୈଷ୍ଣବ ଶବର ପ୍ରମୁଖ ସାମିଲ ହେବା ସହିତ ଦାବିପତ୍ର ପ୍ରଦାନ କରିଥିଲେ ।